ଲଘୁଚାପ ସକ୍ରିୟ , ୫ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ଭୁବନେଶ୍ୱର : ବଙ୍ଗୋପସାଗରରେ ଗଠିତ ଲଘୁଚାପ କ୍ଷେତ୍ର ଆହୁରି ଶକ୍ତିଶାଳୀ ହୋଇ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହୋଇଛି। ଏହାର ପ୍ରଭାବରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଲଗାତାର ବର୍ଷା ଜାରି ରହିଛି। ପାଣିପାଗ ବିଭାଗ ଆଗାମୀ ୨୪ ଘଣ୍ଟା ପାଇଁ ବୌଦ୍ଧ, କନ୍ଧମାଳ, ସୁବର୍ଣ୍ଣପୁର, ସମ୍ବଲପୁର ଏବଂ ଅନୁଗୋଳ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି । ସେହିପରି ୮ଟି ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଏବଂ ଅନ୍ୟ ସମସ୍ତ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ରହିଛି । ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଉପକୂଳ ଓ ସଂଲଗ୍ନ ସମୁଦ୍ର ଅଞ୍ଚଳରେ ଘଣ୍ଟାପ୍ରତି ୪୦–୫୦ କିମି ବେଗରେ ପବନ ସହ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟରେ ସମୁଦ୍ର ଅଶାନ୍ତ ରହିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ପାଣିପାଗ ବିଭାଗ ଅନୁରୋଧ କରିଛି ।
ପ୍ରବଳ ବର୍ଷା ଯୋଗୁଁ ସାଧାରଣ ଜନଜୀବନ ବ୍ୟାହତ ହୋଇଛି । ତଳିଆ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଉପୁଜୁଛି । ଅନ୍ୟପଟେ ବୈତରଣୀ, ବଂଶଧାରା, ନାଗାବଳୀ ଏବଂ ଜଳକା ଭଳି ପ୍ରମୁଖ ନଦୀଗୁଡ଼ିକର ଜଳସ୍ତର କ୍ରମାଗତ ଭାବେ ବଢ଼ିବାରେ ଲାଗିଛି । କିଛି ସ୍ଥାନରେ ବିପଦ ସଙ୍କେତ ପାର୍ କରିଛି ନଦୀ ଜଳସ୍ତର । ପ୍ରବଳ ବର୍ଷା ଯୋଗୁ ଅନେକ ସ୍ଥାନରେ ଘରଦ୍ୱାର ଭାଙ୍ଗିବା ସହ ଚାଷଜମି ପାଣିରେ ବୁଡ଼ି ରହିଛି ।