ଚଳିତ ବର୍ଷ ରଥଯାତ୍ରାରେ ମିଳିବ ନାହିଁ ରନ୍ଧା ଖାଦ୍ୟ

Jul 04, 2026 - 15:29
ଚଳିତ ବର୍ଷ ରଥଯାତ୍ରାରେ ମିଳିବ ନାହିଁ ରନ୍ଧା ଖାଦ୍ୟ

ପୁରୀ :  ଆସନ୍ତା ରଥଯାତ୍ରାକୁ ନେଇ ପୁରୀରେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର ହୋଇଛି । ଚଳିତ ରଥଯାତ୍ରାରେ ମିଳିବ ନାହିଁ ରନ୍ଧାଖାଦ୍ୟ । ପରିବର୍ତ୍ତେ ବଣ୍ଟନ ହେବ ଶୁଖିଲା ଖାଦ୍ୟ । ଶ୍ରୀଜିଉଙ୍କ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଭକ୍ତ ପୁରୀ ଆସିବାକୁ ଥିବାବେଳେ ସ୍ୱଚ୍ଛତା ଓ ଜନସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । 

ଗୃହ ଓ ନଗର ଉନ୍ନୟନ ବିଭାଗର ନୂଆ ନିର୍ଦ୍ଦେଶାବଳୀ ଅନୁଯାୟୀ, ସ୍ୱେଚ୍ଛାସେବୀ ସଂଗଠନ ଓ ଅନ୍ନ ଦାତାମାନେ କେବଳ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରିପାରିବେ । ଏହି ପଦକ୍ଷେପ ଦ୍ୱାରା ପରିବେଶ ସ୍ୱଚ୍ଛ ରହିବା ସହ ଖାଦ୍ୟଜନିତ ସମସ୍ୟାକୁ ଏଡ଼ାଇବା ଲକ୍ଷ୍ୟ ରହିଛି ।

ଆଉ 10 ଦିନ ପରେ ଅନୁଷ୍ଠିତ ହେବ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ୬ ତାରିଖରେ ପୁରୀ ଗସ୍ତକରି ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ଏହାପୂର୍ବରୁ ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ପୁରୀ ଗସ୍ତ କରି ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିଥିଲେ । ସେ ବିଭିନ୍ନ ସ୍ଥାନ ବୁଲି ଆବଶ୍ୟକ ବ୍ୟବସ୍ଥାର ଯାଞ୍ଚ କରିବା ସହ ଅଧିକାରୀମାନଙ୍କୁ ପ୍ରୟୋଜନୀୟ ନିର୍ଦ୍ଦେଶ ଦେଇଥିଲେ।

ଭକ୍ତମାନଙ୍କ ସୁବିଧା ପାଇଁ ସହରର ବିଭିନ୍ନ ସ୍ଥାନରେ ସୂଚନା ଫଳକ ଲଗାଯିବ। ଏଥିରେ ଅନୁମୋଦିତ ଖାଦ୍ୟ କେନ୍ଦ୍ର, ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା ଓ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା କେନ୍ଦ୍ର ସମ୍ପର୍କରେ ସୂଚନା ରହିବ।

ଏହାସହ ବର୍ଷା ଋତୁକୁ ଦୃଷ୍ଟିରେ ରଖି ପୁରୀ ସହରର ସମସ୍ତ ଡ୍ରେନ୍ ସଫେଇ ଓ ପଙ୍କ ଉଠା କାମ ଶେଷ ହୋଇଛି। ଜଳ ଜମିବା ଆଶଙ୍କା ଥିବା ୩୦ଟି ସ୍ଥାନ ଚିହ୍ନଟ କରାଯାଇ ସେଠାରେ ଉଚ୍ଚ କ୍ଷମତାସମ୍ପନ୍ନ ପମ୍ପ ବସାଯାଇଛି। ଏଥିସହ ଯାନବାହନ ପାର୍କିଂ ପାଇଁ ୨୪ଟି ସ୍ୱତନ୍ତ୍ର ପାର୍କିଂ ସ୍ଥାନ ମଧ୍ୟ ପ୍ରସ୍ତୁତ କରାଯାଇଛି । ବୁଲାଗୋରୁଙ୍କୁ ନିୟନ୍ତ୍ରଣ କରିବା ପାଇଁ କାଞ୍ଜିଆହୁଦାର ବ୍ୟବସ୍ଥା କରାଯାଇଛି । ବର୍ଷାକୁ ଆଖି ଆଗରେ ରଖି ୩୦ଟି ଖାଲୁଆ ଅଞ୍ଚଳରୁ ଜଳ ନିଷ୍କାସନ କରିବା ନିମନ୍ତେ ଚିହ୍ନଟ ପ୍ରକ୍ରିୟା ସରିଛି । ଏହି ସ୍ଥାନମାନଙ୍କରେ ଉଚ୍ଚ ଶକ୍ତି ସଂପନ୍ନ ପମ୍ପ ସେଟ୍ ରଖାଯାଇଛି । ରଥଯାତ୍ରାକୁ ସୁରକ୍ଷିତ, ସ୍ୱଚ୍ଛ ଓ ସୁବ୍ୟବସ୍ଥିତ କରିବା ଉପରେ ପ୍ରଶାସନର ମୁଖ୍ୟ ଗୁରୁତ୍ୱ ରହିଛି ।