ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ
/sambad/media/media_files/2026/09/12/mkg-flood-at-mkg-9-2026-09-12-16-22-29.jpg)
ବ୍ରିଜ୍ ଉପରେ ପ୍ରାୟ ୩ ଫୁଟ ପାଣି
କୋରକୋଣ୍ଡା ବ୍ଲକର ନୀଳାକାମ୍ବେରୁ ପଞ୍ଚାୟତର ୨ଟି ଗ୍ରାମ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି। ଆଜି ରେକର୍ଡ କରାଯାଇଥିବା ବର୍ଷାର ପରିମାଣ ଅନୁସାରେ ମାଲକାନଗିରି ବ୍ଲକରେ ୧୩୬.୮ ମିଲିମିଟର ବର୍ଷା ହୋଇଥିବା ବେଳେ ମାଥିଲି ବ୍ଲକରେ ୮୫ ମିଲିମିଟର,ଚିତ୍ରକୋଣ୍ଡା ବ୍ଲକରେ ୧୯୨ ମିଲିମିଟର,କୋରକୋଣ୍ଡା ବ୍ଲକରେ ୧୩୪ ମିଲିମିଟର,କାଲିମେଳା ବ୍ଲକରେ ୮୫ ମିଲିମିଟର ଏବଂ ପଡିଆ ବ୍ଲକରେ ୨୯ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ପଟେରୁ, କାଙ୍ଗରୁକୋଣ୍ଡା, ଏମ୍ଭି-୯୦, କନ୍ୟାଶ୍ରମ,ଏମ୍ଭି -୭ ଅଞ୍ଚଳ ସମେତ ପାଙ୍ଗାମ ବ୍ରିଜ୍ ଉପରେ ପ୍ରାୟ ୨ରୁ ୩ ଫୁଟ ପାଣି ପ୍ରବାହିତ ହେଉଛି। ବିଶେଷକରି ପଟେରୁ ବ୍ରିଜ୍ ଉପରେ ପ୍ରାୟ ୩ ଫୁଟ ପାଣି ଚାଲୁଥିବାରୁ ସ୍ଥିତି ଚିନ୍ତାଜନକ ହୋଇପଡ଼ିଛି। ପାଣି ଆହୁରି ବଢ଼ିଲେ ପଟେରୁ ଅଞ୍ଚଳରେ ବନ୍ୟା ପରିସ୍ଥିତି ଅଧିକ ଭୟଙ୍କର ହେବାର ଆଶଙ୍କା ରହିଛି। ବ୍ରିଜ୍ ଉପରେ ପାଣି ଚାଲୁଥିବାରୁ ଉଭୟ ପାର୍ଶ୍ୱରେ ଶତାଧିକ ଗାଡ଼ି ଅଟକି ରହିଛି। ଯାତ୍ରୀମାନେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଥିବା ବେଳେ ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରଛାତ୍ରୀମାନେ ମଧ୍ୟ ନାହିଁ ନଥିବା ହଇରାଣ ହେଉଥିବା ଦେଖାଯାଇଛି।
/sambad/media/media_files/2026/09/12/mkg-flood-at-mkg-10-1-2026-09-12-16-23-50.jpg)
ଶୁଖିଲା ଖାଦ୍ୟ ଓ ପାଣି ବଣ୍ଟନ
ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ସଜାଗ ରହିଛି। ସକାଳୁ ବ୍ରିଜ୍ ନିକଟରେ ଅଟକିଥିବା ଯାତ୍ରୀମାନଙ୍କ ପାଇଁ ଶୁଖିଲା ଖାଦ୍ୟ ଓ ପାଣିର ବ୍ୟବସ୍ଥା କରାଯାଇଥିବା ବେଳେ ଆଜି ମଧ୍ୟାହ୍ନରେ ରନ୍ଧା ଖାଦ୍ୟ ଯୋଗାଇଦେବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। ଲଗାଣ ବର୍ଷା ଓ ବନ୍ୟା ଆଶଙ୍କାକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ତୁରନ୍ତ ବନ୍ଦ କରିଛି। ସ୍ଥିତି ସ୍ୱାଭାବିକ ନହେବା ପର୍ଯ୍ୟନ୍ତ ସ୍କୁଲ ଓ ଅଙ୍ଗନବାଡ଼ି ବନ୍ଦ ରହିବ ବୋଲି ନିର୍ଦ୍ଦେଶ ଜାରି ହୋଇଛି।
/sambad/media/media_files/2026/09/12/mkg-flood-at-mkg-12-2026-09-12-16-24-43.jpg)
କର୍ମଚାରୀମାନଙ୍କ ଛୁଟି ବାତିଲ
ଜିଲ୍ଲାର ସମସ୍ତ ବ୍ଲକର ତହସିଲଦାର,ବିଡିଓ ସମେତ ସରକାରୀ କର୍ମଚାରୀମାନଙ୍କ ଛୁଟି ବାତିଲ କରାଯାଇଛି। ଏହାସହ ଆର୍ଆଇମାନଙ୍କୁ ବ୍ରିଜ୍ ଓ ତଳିଆ ଅଞ୍ଚଳରେ ନିୟୋଜିତ କରାଯାଇ ଲୋକଙ୍କ ଗତିବିଧି ଉପରେ କଡ଼ା ନଜର ରଖିବା ସହ ସମ୍ଭାବ୍ୟ ବିପଦ ସମୟରେ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ବର୍ତ୍ତମାନ କେତେକ ଅଞ୍ଚଳରେ ସ୍ଥିତି ଧୀରେ ଧୀରେ ସୁଧୁରୁଥିବା ସଙ୍କେତ ମିଳୁଥିଲେ ମଧ୍ୟ ଅନେକ ବ୍ରିଜ୍ ଉପରେ ଏବେ ବି ପାଣି ପ୍ରବାହିତ ହେଉଛି। ତେଣୁ ପାଣି ନକମିବା ପର୍ଯ୍ୟନ୍ତ ଲୋକମାନଙ୍କୁ ବ୍ରିଜ୍ ପାର ନହେବାକୁ ପ୍ରଶାସନ ପକ୍ଷରୁ ସତର୍କ କରାଯାଉଛି।
/sambad/media/media_files/2026/09/12/mkg-flood-at-mkg-4-2026-09-12-16-25-05.jpg)
ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର
ସ୍ଥିତି ଆହୁରି ଖରାପ ହେଲେ ତଳିଆ ଅଞ୍ଚଳର ଲୋକଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରି ଅସ୍ଥାୟୀ ଆଶ୍ରୟସ୍ଥଳୀରେ ରଖିବା ପାଇଁ ପ୍ରଶାସନ ପ୍ରସ୍ତୁତ ରହିଛି। କୌଣସି ଅପ୍ରୀତିକର ଘଟଣା ଯେପରି ନଘଟେ, ସେଥିପାଇଁ ଜିଲ୍ଲାପାଳ ନିଜେ ବିଭିନ୍ନ ସ୍ଥାନରେ ପହଞ୍ଚି ପରିସ୍ଥିତିର ତଦାରଖ କରୁଥିବା ଜଣାପଡ଼ିଛି। ଲଗାଣ ବର୍ଷା ଜାରି ରହିଲେ ଆଗାମୀ କିଛି ଘଣ୍ଟା ମାଲକାନଗିରି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଜଳସ୍ତର ବୃଦ୍ଧି ପାଇଲେ ଅନେକ ଅଞ୍ଚଳରେ ଯୋଗାଯୋଗ ବିଚ୍ଛିନ୍ନ ହେବା ସହ ବନ୍ୟା ସ୍ଥିତି ଆହୁରି ଗମ୍ଭୀର ହେବାର ଆଶଙ୍କା ରହିଛି। ଏପରି ସ୍ଥିତିରେ ଲୋକଙ୍କୁ ସତର୍କ ରହିବା ସହ ପ୍ରଶାସନର ନିର୍ଦ୍ଦେଶ ମାନିବାକୁ ଅନୁରୋଧ କରାଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
