ରେଳ ଧାରଣାରୁ ବରିଷ୍ଠ ଆଇନଜୀବୀଙ୍କ ମୃତଦେହ ଉଦ୍ଧାର

Jun 24, 2026 - 06:27
ରେଳ ଧାରଣାରୁ ବରିଷ୍ଠ ଆଇନଜୀବୀଙ୍କ ମୃତଦେହ ଉଦ୍ଧାର

ଝାରସୁଗୁଡା : ରେଳ ଧାରଣାରୁ ବରିଷ୍ଠ ଆଇନଜୀବୀ ତଥା ସମାଜସେବୀ ତ୍ରିନାଥ ଗୁଆଲଙ୍କ ମୃତଦେହ ଉଦ୍ଧାର । ଆଜି ସକାଳେ ଝାରସୁଗୁଡ଼ା ନିକଟ ବାଲିଜୋରି ରେଳ ଲାଇନରେ ଜଣେ ବ୍ୟକ୍ତିଙ୍କ ମୃତଦେହ ପଡିଥିବାର ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ପରେ ମୃତକଙ୍କ ପରିଚୟ ତ୍ରିନାଥ ଗୁଆଲ ବୋଲି ଜଣାପଡିଥିଲା । ସେ ଝାରସୁଗୁଡା ଜିଲ୍ଲାର ବରିଷ୍ଠ ଆଇନଜୀବୀ ଜିଲ୍ଲା ଓକିଲ ସଂଘ ସଭାପତି ତଥା ପୂର୍ବତନ ଯୁବ ବିଜେଡି ସଭାପତି ମଧ୍ୟ ରହିଥିଲେ । ରେଳଧାରଣା ନିକଟରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଏହା ହତ୍ୟା କି ଆତ୍ମହତ୍ୟା ଜଣାପଡି ନାହିଁ । ମୃତଦେହ ନିକଟରେ ତାଙ୍କ ମୋବାଇଲ ଫୋନ ସହ ଏକ ହାତଲେଖା ଚିଠି ମଧ୍ୟ ପୋଲିସ ଉଦ୍ଧାର କରିଛି । ସେଥିରେ 'ମୋ ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି' ବୋଲି ଲେଖା ରହିଛି। 

ତ୍ରିନାଥ ଗୁଆଲ ୩ ଥର ଜିଲ୍ଲା ଓକିଲ ସଂଘର ସଭାପତି ଥିଲେ। ତାଙ୍କ ଅକାଳ ବିୟୋଗ ଖବର ପ୍ରଚାରିତ ହେବା ପରେ ଆଇନଜୀବୀ ମହଲ , ରାଜନୈତିକ ବର୍ଗ ଓ ସାମାଜିକ ସଂଗଠନଗୁଡ଼ିକ ମଧ୍ୟରେ ଗଭୀର ଶୋକର ଛାୟା ଖେଳିଯାଇଛି । ପୁଲିସ ତଦନ୍ତ ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ସୂଚନା ମିଳିଛି।