ଟ୍ରକ ପଛପଟେ ବାଇକ ପିଟି ହୋଇ ୨ ଭାଇଙ୍କ ମୃତ୍ୟୁ
ଖୋର୍ଦ୍ଧା : ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ଭାଇଙ୍କର ମୃତ୍ୟୁ । ରାସ୍ତା ପାର୍ଶ୍ୱରେ ଠିଆ ହୋଇଥିବା ଟ୍ରକକୁ ପଛରୁ ଧକ୍କା ଦେଇ ୨ ଭାଇଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଗତ ବିଳମ୍ବିତ ରାତିରେ ବୋଲଗଡ ଥାନା ଦିଘିରୀ ନିକଟ ୫୭ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ ୨ଭାଇ । ମୃତକ ହେଲେ ଦିଘିରୀ ଗାଁ ର ଦୁଇ ଭାଇ ଆକାଶ ପ୍ରଧାନ (୨୭) ଏବଂ ବିକାଶ ପ୍ରଧାନ (୨୩) ।
ଘଟନାନୁସାରେ, ବୋଲଗଡ ଥାନା ଦିଘିରୀ ନିକଟ ୫୭ ନମ୍ବର ଜାତୀୟ ରାଜପଥରେ ଟ୍ରକ ଟି କୌଣସି କାରଣରୁ ଅଚଳ ହୋଇ ରାସ୍ତା ମଝିରେ ଛିଡ଼ା ହୋଇଥିଲା । ଗତ ବିଳମ୍ବିତ ରାତିରେ ସେହି ରାସ୍ତା ଦେଇ ୨ ଭାଇ ମୋଟର ସାଇକେଲରେ ଯାଉଥିବାବେଳେ ଟ୍ରକ୍ ପଛରେ ପିଟି ହୋଇ ରାସ୍ତା ଉପରକୁ ଛିଟିକି ପଡ଼ିଥିଲେ । ଦୁର୍ଘଟଣା ପରେ ୨ଭାଇଙ୍କୁ ଗୁରୁତର ଅବସ୍ଥାରେ ବୋଲଗଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ଡାକ୍ତର ଦୁଇ ଭାଇଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ବୋଲଗଡ ଥାନାରେ ଏକ ମାମଲା ରୁଜୁ କରି ଟ୍ରକ୍ ଓ ବାଇକ୍ କୁ ଜବତ କରାଯାଇଛି । ମୃତଦେହକୁ ପୋଲିସ ଜବତକରି ଶବ ବ୍ଯବଚ୍ଛେଦ ପାଇଁ ପଠାଇଛି।