ରିଲିଜ୍ ପୂର୍ବରୁ ‘ଆଭେଞ୍ଜର୍ସ ଡୁମ୍ସଡେ’ର ଧମାକା, ଭାରତରେ ୫୭ କୋଟି ପାର୍, ବିକ୍ରି ହେଲା ୯ ଲକ୍ଷ ଟିକେଟ୍
ନନ୍ଦିଘୋଷ ବ୍ୟୁରୋ: ରିଲିଜ୍କୁ ଆହୁରି ଅନେକ ଦିନ ବାକି ଥିବାବେଳେ ଭାରତୀୟ ବକ୍ସ ଅଫିସରେ ଧମାଲ କରୁଛି ହଲିଉଡ୍ର ବହୁ ପ୍ରତୀକ୍ଷିତ ଫିଲ୍ମ ‘ଆଭେଞ୍ଜର୍ସ ଡୁମ୍ସଡେ’। ମାର୍ଭେଲ ସିନେମାଟିକ୍ ୟୁନିଭର୍ସର ଏହି ମେଗା ବଜେଟ୍ ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଏବେଠାରୁ ଉତ୍ସାହ ଦେଖିବାକୁ ମିଳିଛି। ବିଶେଷକରି ଅଭିନେତା ରବର୍ଟ ଡାଉନି ଜୁନିଅର ଡକ୍ଟର ଡୁମ୍ ଭୂମିକାରେ ନଜର ଆସିବା ଖବର ଫିଲ୍ମକୁ ନେଇ ଚର୍ଚ୍ଚାକୁ ଆହୁରି ବଢ଼ାଇଛି। ରିଲିଜ୍ ପୂର୍ବରୁ ହିଁ ଆଡଭାନ୍ସ ବୁକିଂରୁ ଫିଲ୍ମଟି ଭାରତରେ ୫୭ କୋଟିରୁ ଅଧିକ ଟଙ୍କା ଆୟ କରିସାରିଥିବା ରିପୋର୍ଟ ଆସିଛି।
ବକ୍ସ ଅଫିସ୍ ଟ୍ରାକର ସାକନିଲ୍କର ରିପୋର୍ଟ ଅନୁଯାୟୀ, ଫିଲ୍ମର ପ୍ରଥମ ଦିନ ପାଇଁ ଦେଶବ୍ୟାପୀ ଟିକେଟ୍ ବୁକିଂରେ ଜବରଦସ୍ତ ଚାହିଦା ଦେଖିବାକୁ ମିଳିଛି। ବ୍ଲକ୍ ହୋଇଥିବା ସିଟ୍କୁ ବାଦ୍ ଦେଲେ, ଏପର୍ଯ୍ୟନ୍ତ ୭.୮୪ ଲକ୍ଷ ଟିକେଟ୍ ବିକ୍ରି ହୋଇଥିବାବେଳେ ଏଥିରୁ ୪୯.୩୮ କୋଟି ଟଙ୍କା ଆୟ ହୋଇଛି। ସେହିପରି ବ୍ଲକ୍ ସିଟ୍କୁ ମିଶାଇଲେ ମୋଟ ଆଡଭାନ୍ସ ବୁକିଂ ପରିମାଣ ୫୭.୫୭ କୋଟି ଟଙ୍କାରେ ପହଞ୍ଚିଛି। ଏହି ସମୟ ମଧ୍ୟରେ ମୋଟ ୯.୧୦ ଲକ୍ଷ ଟିକେଟ୍ ବୁକ୍ ହୋଇଥିବା ଜଣାପଡ଼ିଛି।
କେଉଁ ଭାଷାରେ ଅଧିକ ଚାହିଦା?
ଦିଲ୍ଲୀ-ଏନ୍ସିଆର୍, ମୁମ୍ବାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ ଓ ଚେନ୍ନାଇ ଭଳି ବଡ଼ ସହରରେ ଫିଲ୍ମର ଆଡଭାନ୍ସ ବୁକିଂକୁ ନେଇ ଅଧିକ ଉତ୍ସାହ ରହିଛି। ବିଶେଷକରି IMAX, 3D ଓ 4DX ଭଳି ପ୍ରିମିୟମ୍ ଫର୍ମାଟ୍ରେ ଟିକେଟ୍ ଦ୍ରୁତ ଗତିରେ ବିକ୍ରି ହେଉଛି। ଅନେକ ସ୍ଥାନରେ ସକାଳ ଓ ସନ୍ଧ୍ୟା ଶୋ’ର ଟିକେଟ୍ ମଧ୍ୟ ପୂର୍ବରୁ ବୁକ୍ ହୋଇଯାଇଛି। ଇଂରାଜୀ ସହ ହିନ୍ଦୀ, ତାମିଲ ଓ ତେଲୁଗୁ ଭାଷାରେ ଡବ୍ ହୋଇଥିବା ସଂସ୍କରଣକୁ ମଧ୍ୟ ଦର୍ଶକଙ୍କ ଭଲ ପ୍ରତିକ୍ରିୟା ମିଳୁଛି।
ଭାଙ୍ଗିପାରେ ‘ଆଭେଞ୍ଜର୍ସ ଏଣ୍ଡଗେମ୍’ର ରେକର୍ଡ!
ଆଡଭାନ୍ସ ବୁକିଂର ଏହି ଧାରା ଜାରି ରହିଲେ ଭାରତରେ ହଲିଉଡ୍ ଫିଲ୍ମର ସବୁଠାରୁ ବଡ଼ ଓପନିଂ ରେକର୍ଡକୁ ‘ଆଭେଞ୍ଜର୍ସ ଡୁମ୍ସଡେ’ ଭାଙ୍ଗିପାରେ ବୋଲି ଆକଳନ କରାଯାଉଛି। ୨୦୧୯ରେ ରିଲିଜ୍ ହୋଇଥିବା ‘ଆଭେଞ୍ଜର୍ସ ଏଣ୍ଡଗେମ୍’ ଭାରତୀୟ ବକ୍ସ ଅଫିସରେ ଐତିହାସିକ ସଫଳତା ହାସଲ କରିଥିଲା। ଏବେ ଡୁମ୍ସଡେ ମଧ୍ୟ ସମାନ ଧରଣର ରେକର୍ଡ ସୃଷ୍ଟି କରିବ ବୋଲି ଆଶା ରହିଛି।
ରୁସୋ ବ୍ରଦର୍ସଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମରେ ରବର୍ଟ ଡାଉନି ଜୁନିଅର ଖଳନାୟକ ଡକ୍ଟର ଡୁମ୍ ଭୂମିକାରେ ଅଭିନୟ କରିଛନ୍ତି। ଏଥିସହ ମାର୍ଭେଲ୍ର ଅନେକ ପୁରୁଣା ଓ ନୂଆ ସୁପରହିରୋଙ୍କୁ ଏକାଠି ଦେଖିବାକୁ ପାଇବେ ଦର୍ଶକ। ଡିସେମ୍ବର ୧୭ରେ ଭାରତୀୟ ସିନେମା ହଲ୍ରେ ରିଲିଜ୍ ହେବାକୁ ଥିବା ଏହି ଫିଲ୍ମର ଆଡଭାନ୍ସ ବୁକିଂ ଏବେଠାରୁ ଯେଉଁଭଳି ରେକର୍ଡ କରୁଛି, ତାହା ମାର୍ଭେଲ୍ର ବକ୍ସ ଅଫିସ୍ ଦବଦବା ପୁଣି ଥରେ ପ୍ରମାଣିତ କରୁଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
