ରାଜ୍ୟ କଥା କହିବ କିଏ?

Sep 02, 2026 - 04:18
ରାଜ୍ୟ କଥା କହିବ କିଏ?

"ସରୋଜ କୁମାର ସାମଲ ଭୂମିର ରତ୍ନ, ଆମ ମୌରସିର ସଂପତ୍ତି। "ଆମ"ର ଅର୍ଥ ଆମ ଅଧିକାରର ଚାରିକାନ୍ଥ।

ଏରୁଣ୍ଡିର ନିର୍ଣ୍ଣୟ ପାଇଁ ନିର୍ଦ୍ଧାରକ ହେଉଛି ମାଟି ସହିତ "ସହଜୀବନ"ର ସଂପର୍କ।

ସୀମାରେଖା ଟାଣିବାର ଏହି ମାନସିକତାକୁ ସମାଜବିଜ୍ଞାନୀ ଜୋଏଲ କଟକିନ୍ ଜନଜାତୀୟ ଆଚରଣର ସଂଜ୍ଞା ଦେଇପାରନ୍ତି।

ଏହି ସାମୂହିକତା ହେଉଛି ଜାତୀୟତାର ମୂଳ ପାହାଚ।

ନାଗରିକତା ଏକାଧାରରେ ଆଧୁନିକ ଜାତୀୟ ଜନଜୀବନର ଉତ୍ପାଦନକ୍ଷମ ବିହନ, ଏବଂ ସମୃଦ୍ଧ ଫସଲ ମଧ୍ୟ।

ସେଥିପାଇଁ ଆମେ ସଂବିଧାନମୁଖୀ ହୋଇ ରାଷ୍ଟ୍ର-ସଂଘପ୍ରେମୀ ହୋଇଥାଉଁ।

କିନ୍ତୁ ରାଜ୍ୟର ଭୂମିଗତ ସ୍ବାର୍ଥ ବିପର୍ଯ୍ୟସ୍ତ ହେଲେ ରାଷ୍ଟ୍ରସଂଘର ଭାବନା ବ୍ୟାହତ ହୁଏ, ସମନ୍ବିତ ବିକାଶ ବିପନ୍ନ ହୋଇଥାଏ।ଖଣିଜ ବିକାଶ ଓ ନିୟନ୍ତ୍ରଣ ଆଇନର ସଦ୍ୟତମ ସଂଶୋଧନର ଆଲୋଚନା କଥିତ ପୃଷ୍ଠଭୂମିରେ ବେଶ୍ ପ୍ରାସଙ୍ଗିକ।

୨୦୨୮ ସୁଦ୍ଧା ଆକାଂକ୍ଷିତ ୫ ଟ୍ରିଲିଅନ ଡଲାରର ଅର୍ଥନୈତିକ ଅବୟବ ଧାରଣ କରିବାକୁ ହେଲେ, ଆମକୁ ଭିତ୍ତିଭୂମି ଉନ୍ନୟନ କ୍ଷେତ୍ରରେ ସର୍ବାଧିକ ବିନିଯୋଗ କରିବାକୁ ହେବ।

ସେଥିପାଇଁ ବଡ଼ ଓ ଲଘୁ ଖଣିଜର ବର୍ଦ୍ଧିତ ଉତ୍ପାଦନ, ତଥା ଉପଯୁକ୍ତ ବିନିଯୋଗ ଉପରେ ପ୍ରାଥମିକତା ଦିଆଯିବା ଅବଧାର୍ଯ୍ୟ।

ଖଣିର ବିକାଶ ପାଇଁ ଲୋଡ଼ା ଭୂ-ନକ୍‌ସା ପ୍ରସ୍ତୁତି, ଭୂମିର ନିର୍ଭୁଲ୍‌ ପର୍ଯ୍ୟବେକ୍ଷଣ ତଥା ପରିମାପ, ପୃଷ୍ଠର ମାଟି ଖନନ ଓ ସ୍ତୂପୀକରଣ ପାଇଁ ଭିତ୍ତିଭୂମି, ସର୍ବାପରି ସଂଯୋଗ ସକାଶେ ଉତ୍ତମ ସଡ଼କ ନିର୍ମାଣ ଭଳି କାର୍ଯ୍ୟ।

ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିରୀକ୍ଷଣରେ ଏହି କାର୍ଯ୍ୟ ଲିଜ୍‌ ଗ୍ରହୀତା ବା ଲିଜଧାରୀମାନେ ସଂପାଦନ କରୁଛନ୍ତି।

କିନ୍ତୁ ଏମାନଙ୍କ ଉପରେ ନିୟନ୍ତ୍ରଣର ପରିସର କିନ୍ତୁ ବ୍ୟାପକ।

ଏଥିରେ ରୟାଲଟି ବା ରାଜଭାଗ ଠାରୁ ଆରମ୍ଭ କରି ଅନ୍ୟ ଆନୁଷଙ୍ଗିକ ଦେୟ, ନିରନ୍ତର ଓ ବିଧିସମ୍ମତ ଉତ୍ତୋଳନ ପାଇଁ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକାର ଅନୁପାଳନ ପାଇଁ ସମୁଚିତ ପଦକ୍ଷେପ ଗ୍ରହଣ, ପରିବେଶ ଓ ବିଭିନ୍ନ "କନ୍‌ଜରଭେସନ" ବା ସଂରକ୍ଷଣମୂଳକ ଆଇନ ସହିତ ସଂଗତି ରକ୍ଷା ମୋଟାମୋଟି ଭାବରେ ଅନ୍ତର୍ଭୁକ୍ତ।

ଏହି ପ୍ରକ୍ରିୟାର ପରିଚାଳନାଗତ ନିୟନ୍ତ୍ରଣ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କ୍ଷମତା ପରିସରଭୁକ୍ତ ହୋଇଥିଲେ ମଧ୍ୟ ଅତିରିକ୍ତ ଦେୟ ଧାର୍ଯ୍ୟ କରିବାକୁ ରାଜ୍ୟର କ୍ଷମତା ହୋଇଛି ବର୍ତ୍ତମାନ ବିତର୍କର ବିଷୟବସ୍ତୁ।

ଅବଶ୍ୟ ୨୦୨୬ ମସିହାର ସଂଶୋଧନ, ଆଇନର ମାନ୍ୟତା ପାଇବା ପରେ, ବୈଧାନିକ ଦୃଷ୍ଟିକୋଣରୁ ଏହି ତର୍କର ଅବସାନ ଘଟିଛି; କିନ୍ତୁ ଏହି ସଂଶୋଧନର ଔଚିତ୍ୟ ନେଇ ପ୍ରଶ୍ନ ଉଠୁଛି।

ତାଲିକା-୨ର ବ୍ୟବସ୍ଥା ପତ୍ର ଅନୁଯାୟୀ ଖଣି ପରିଚାଳନାର ନିୟନ୍ତ୍ରଣରେ ରାଜ୍ୟର ଅଧିକାର କେନ୍ଦ୍ର ତାଲିକାଭୁକ୍ତ ଏଣ୍ଟ୍ରି ୫୪ ଅନୁସାରେ ନିରୀକ୍ଷଣଭୁକ୍ତ ହେବାକୁ ବାଧ୍ୟ।

କିନ୍ତୁ ଏହି ସାଂବିଧାନିକ ଉପସ୍ଥାପନରେ କେଉଁଠି ହେଲେ ରାଜ୍ୟ ଟିକସ ସଂକ୍ରାନ୍ତରେ କ୍ଷମତାର ଧାରଣ, ଅର୍ଜନ, ଅର୍ପଣ, ପ୍ରତିନିଧାନ ବା ଏ ସବୁର ବାରଣ ବିଷୟରେ ନିର୍ଦ୍ଦିଷ୍ଟ ଭାବେ ଉଲ୍ଲେଖ ନାହିଁ।ରାଜ୍ୟ ତାଲିକାର ଏଣ୍ଟ୍ରି ୪୯ରେ ଜମି ଓ କୋଠାବାଡ଼ି ସଂପୂର୍ଣ୍ଣ ରୂପେ ରାଜ୍ୟ ଅଧିକାରଭୁକ୍ତ।

କିନ୍ତୁ, ପ୍ରଶ୍ନ ଉଠୁଛି ଖଣିଜ ଧାରଣ କରିଥିବା ଜମି ଉପରେ ଖଣିଜ ସମ୍ବନ୍ଧିତ କିଛି ଅତିରିକ୍ତ ଦେୟ ସେସ୍ ଆକାରରେ ରାଜ୍ୟ ସରକାର ଧାର୍ଯ୍ୟ ଓ ଆଦାୟ କରିପାରିବେ ନା ନାହିଁ?

ପ୍ରକୃତରେ ଭୂପୃଷ୍ଠ ଠାରୁ ଖଣିଜକୁ ଅଲଗା କରି ଦେଖାଯାଇ ପାରିବ ନାହିଁ।

କିନ୍ତୁ ଆଇନ ହେତୁ ବିଭାଜନର ଗାର ପଡ଼ିଛି।

ତାଲିକା-୨ର ଏଣ୍ଟ୍ରି ୪୯ ଅନୁଯାୟୀ ଭୂମି ଉପରେ ଦେୟ ଧାର୍ଯ୍ୟ କରିବା ରାଜ୍ୟ ସରକାରଙ୍କ ଅଧିକାରଭୁକ୍ତ, କିନ୍ତୁ ଏଣ୍ଟ୍ରି ୫୦ ଅନୁସାରେ ଖଣିଜପୂର୍ଣ୍ଣ ଜମି ଉପରେ ରାଜ୍ୟର କ୍ଷମତା କେନ୍ଦ୍ରୀୟ ଅନୁମୋଦନ ଆଶ୍ରୟୀ ଅଟେ।

ଅପର ପକ୍ଷେ, ଭୂପୃଷ୍ଠ ଖନନ ଓ ପଥର ମିଶ୍ରିତ ମାଟିର ସ୍ତର ("ଓଭର ବର୍ଡନ")ର ଅପସାରଣ ବ୍ୟତିରକେ ଖଣିଜ ଉତ୍ତୋଳନ ସମ୍ଭବ ନୁହେଁ।

ବର୍ତ୍ତମାନ ସମୟରେ ପ୍ରାୟ ଖଣି ସବୁ ଉନ୍ମୁକ୍ତ।

ସେଥିପାଇଁ ପୃଷ୍ଠର ମାଟି ତଥା "ଓଭର ବର୍ଡନ" ନିଷ୍ପ୍ରାଣ।

ଖଣିର ସର୍ବାଧିକ ଉପଯୋଗ ପରେ ଶୂନ୍ୟଗର୍ଭା ଖାଦାନଗୁଡ଼ିକୁ ପରିପୂରଣ ଲାଗି ଲୋଡ଼ା ଭୂପୃ‌ଷ୍ଠ ଓ ଭୂତ୍ବକର ମାଟି।

ଏହି ପରିପ୍ରେକ୍ଷୀରେ ଭୂମି ଟିକସ (ଏଣ୍ଟ୍ରି ୪୯)ର ପରିସର ମଧ୍ୟରେ ଖଣିଜ ସଂପନ୍ନ ମାଟି ଅନ୍ତର୍ଭୁକ୍ତ ହେବା ନ୍ୟାୟସଂଗତ।୨୦୨୬ର ସଂଶୋଧନ ପୂର୍ବରୁ କେନ୍ଦ୍ର ତାଲିକାର ଏଣ୍ଟ୍ରି ୫୪ ଏବଂ ରାଜ୍ୟ ତାଲିକାର ଏଣ୍ଟ୍ରି ୨୩, ୪୯ ଓ ୫୦ ମଧ୍ୟରେ ଦ୍ବନ୍ଦ୍ବର ମୂଳ ତିନିଟି ବିଷୟରେ ନିହିତ ଥିଲା (୧) ରୟାଲିଟିକୁ ଟିକସ କୁହାଯିବ କି?, (୨) ଖଣିଜ ଭରା ଭୂମିର ସ୍ଥିତି ପ୍ରାଥମିକ ଭାବରେ ଖାଲି ଜମି ସହିତ କ"ଣ ସମାନ?, (୩) ରାଜ୍ୟ ତାଲିକାର ଏଣ୍ଟ୍ରି ୪୯ ଓ ଏଣ୍ଟ୍ରି ୫୦ ଭିତରେ ଥିବା ଅମେଳ ହେତୁ ଉଭୟ ଏକାଠି ରହିବା ଉଚିତ କି?

ଓ ତାହା କେନ୍ଦ୍ର ତାଲିକାର ଏଣ୍ଟ୍ରି ୫୪ର ପ୍ରଭାବରୁ ମୁକ୍ତ କି?

ଇଣ୍ଡିଆ ସି‌େମଣ୍ଟ ଲିିମିଟେଡ ବନାମ ତାମିଲନାଡୁ ମକଦ୍ଦମାରେ ସାତଜଣିଆ ବେଞ୍ଚ ରୟାଲଟିକୁ ଟିକସ ବୋଲି ଚିହ୍ନିତ କରି ରାଜ୍ୟ ସରକାରଙ୍କ ଦ୍ବାରା ଖଣିର ଜମି ଉପରେ ଧାର୍ଯ୍ୟ ଉପକର ତଥା ସେସ୍‌କୁ କ୍ଷମତା ବହିର୍ଭୂତ ପଦକ୍ଷେପ ବୋଲି କହିଲେ।

କିନ୍ତୁ ଜମି ଓ ତା" ତଳେ ନିହିତ ସମ୍ବଳ ଉପରେ ରାଜ୍ୟ ସରକାରଙ୍କ ଅଧିକାରର ସୀମା, ସାଂବିଧାନିକ ସ୍ଥିତିର ଆପାତଃ ଅସ୍ପଷ୍ଟତା ହେତୁ ତାହା ଅସମାହିତ ହୋଇ ରହିଥିଲା।

୨୦୨୪ରେ ମାନ୍ୟବର ସୁପ୍ରିମ୍ କୋର୍ଟର ନଅଜଣିଆ ସାଂବିଧାନିକ ବେଞ୍ଚର ୮-୧ ଗରିଷ୍ଠତା ରାୟରେ ଏହି ବୌଦ୍ଧିକ ବିଡ଼ମ୍ବନାର ଅନ୍ତ ଘଟିଲା।

ଖଣିଜ ବିକାଶ ପ୍ରାଧିକରଣ ବନାମ ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ ବିଷୟରେ ସର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟ ଭାବରେ ଏଣ୍ଟ୍ରି ୪୯ର ସୀମା ମଧ୍ୟରେ ଖଣିଜସଂପନ୍ନ ଭୂମି ଉପରେ ଟିକସ ବସେଇବାକୁ ରାଜ୍ୟ କ୍ଷମତାପ୍ରାପ୍ତ ବୋଲି ଦର୍ଶେଇବା ସହିତ ରୟାଲଟି ଗୋଟିଏ ଟିକସ ନୁହେଁ ବୋଲି କହିଲେ।

ଓଡ଼ିଶା ଭଳି ରାଜ୍ୟ ଏହି ରାୟର ସଫଳ କାର୍ଯ୍ୟକାରିତାରୁ ପ୍ରତ୍ୟକ୍ଷ ଓ ପ୍ରଭୂତ ଭାବେ ଲାଭାନ୍ବିତ ହେବା ସହିତ- ସଂଘୀୟ ଢାଞ୍ଚାରେ ନିଜର ହକ୍‌କୁ ପ୍ରତିଷ୍ଠା କରିପାରି ଥାଆନ୍ତେ।

ରୟାଲଟି (ରାଜଭାଗ) ବୋଇଲେ ଖଣିଜ ସଂପନ୍ନ ଅଞ୍ଚଳକୁ ପ୍ରବେଶ ଓ ସମ୍ବନ୍ଧିତ ଜମିର ଉପଯୋଗର ଅଧିକାର ଅର୍ଜନ ପାଇଁ ସ୍ଥିରୀକୃତ ଦେୟକୁ ବୁଝାଏ, ଯାହାକୁ ଲିଜ୍‌ଦାତାଙ୍କ ସ୍ବୀକୃତି ପାଇଁ ଗ୍ରହୀତାଙ୍କ ପକ୍ଷରୁ ଦେବାକୁ ପଡ଼ିଥାଏ।

ପୁନଶ୍ଚ ଆ‌ଇ.ବି.ଏମ.

ଦ୍ବାରା ଧାର୍ଯ୍ୟ ହାରାହାରି ବିକ୍ରି ମୂଲ୍ୟ ଉପରେ ଭିତ୍ତି କରି କେନ୍ଦ୍ର ସରକାର ଏହାକୁ ବିଜ୍ଞପିତ କରିଥାଆନ୍ତି।

ରାଜ୍ୟର ଭୂମିକା କିଛି ନ ଥାଏ।

ରାଜ୍ୟ ସରକାରଙ୍କ ସେସ୍ କିନ୍ତୁ ହେଉଛି ସଂପତ୍ତି ତଥା ରାଜ୍ୟ ତାଲିକାଭୁକ୍ତ ଜମି ବା ଭୂମିର ଉପଯୋଗ ପାଇଁ ସ୍ଥିରୀକୃତ ସରକାରୀ ଦେୟ।

ବକେୟା ବାବଦକୁ ଓଡ଼ିଶା ବାର ହଜାର କୋଟି କିମ୍ବା ଏକ ଲକ୍ଷ କୋଟି ପାଇଥାଆନ୍ତା; ଯେଉଁ ରାଜନୈତିକ ଗଣିତ ଆଲୋଚନାର ବିଷୟବସ୍ତୁ ନୁହେଁ।

ଏହା ଥିଲା, ଅପେକ୍ଷାକୃତ ଅନଗ୍ରସରତାରୁ ବାହାରି ଆଗକୁ ଯିବା ପାଇଁ ପୁଞ୍ଜିର ଉପଲବ୍‌ଧତା।

ଏହି ଅବସରରେ ହାଇକୋର୍ଟଙ୍କ ଦ୍ବାରା ଖାରଜ ଓରିସେଡ୍ ଆଇନ, ୨୦୦୪ କିମ୍ବା ତା"ର କିଛି ସଂସ୍କାରିତ ପ୍ରତିରୂପର ପୁନଃ ସଂସ୍ଥାପନ କରାଯାଇ ପାରିଥାଆନ୍ତା।

ଖଣି ଅଧ୍ୟୁଷିତ ଜିଲ୍ଲାର ହିତାର୍ଥେ ବ୍ୟୟର ପରିମାଣକୁ ବଢ଼ାଯାଇ ପାରିଥାଆନ୍ତା।

ରାଜ୍ୟରେ ଭିତ୍ତିଭୂମି ଉନ୍ନୟନ, ଜନସ୍ବାସ୍ଥ୍ୟ, ଶିକ୍ଷା, ପୁଷ୍ଟି, ଜୀବିକା କ୍ଷେତ୍ରରେ ନୂଆ ନୂଆ ମାଇଲଷ୍ଟୋନ ପାଇଁ ଆମେ ସାହସ ବାନ୍ଧି ପାରିଥାଆନ୍ତେ।

୨୦୨୬ ମସିହା ସଂଶୋଧନ ଦ୍ବାରା ରାଜ୍ୟ ତାଲିକାର ଏଣ୍ଟ୍ରି ୪୯ ଓ ୫୦ର ଅବଲମ୍ବନକୁ ସଂପୂର୍ଣ୍ଣ ଅବରୁଦ୍ଧ କରି ଦିଆଯାଇଛି।

ପୁଣି ‌ଧାରା ୯(ଘ)କୁ ପିଛିଲା ବର୍ଷରୁ କାର୍ଯ୍ୟକାରୀ କରି ରାଜ୍ୟଗୁଡ଼ିକର ବକେୟା ପାଉଣାକୁ ଖାରଜ କରି ଦିଆଯାଇଛି।ପ୍ରଶ୍ନ ଉଠୁଛି, ଏଠାରେ ଆଲୋଚିତ ରାଜ୍ୟର ଟିକସ କ୍ଷମତା ସଂବିଧାନର ବିରୁଦ୍ଧାଚରଣ କରୁଥିଲା କି?

ସଂକ୍ଷିପ୍ତ ଉତ୍ତର ହେଉଛି ନା।

ସେଥିପାଇଁ ସର୍ବୋଚ୍ଚ ନ୍ୟାୟାଳୟର ସାଂବିଧାନିକ ବେଞ୍ଚ ସ୍ପଷ୍ଟ ରାୟ ଦେଇସାରିଥିଲେ।

ସଂବିଧାନର ଧାରା ୧୪୧ର ପରିସର ମଧ୍ୟରେ ଏହି ଆଦେଶ ହିଁ ଦେଶର ଆଇନ ହୋଇଥାଆନ୍ତା।

ଏହି ଦେୟ ମୁଦ୍ରାସ୍ଫୀତି କାରକ ହେବାର ଆଶଙ୍କା ନିରାଧାର ଅଟେ।

ଯେହେତୁ ଖଣିଜର ବଜାର ମୂଲ୍ୟ ଚାହିଦା ଭିତ୍ତିକ, ବେଳେବେଳେ ଉଦ୍‌ବୃତ୍ତ ଆୟ ଅକଳନୀୟ।

ଏହାର ଗନ୍ତବ୍ୟ ଘରୋଇ କୋଷ।

ଅଧିକନ୍ତୁ ଉଭୟ ରାଜ୍ୟ ଓ କେନ୍ଦ୍ର ତାଲିକାର ବିଶେଷ ଅଧିକାର ଦ୍ବାରା କେନ୍ଦ୍ର ସରକାର ଏହି ଟିକସରେ ସଂଗତି ଆଣିବା ସହିତ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକୁ ସଂରକ୍ଷଣ ଦେଇ ପାରିଥାଆନ୍ତେ।ଯେତେବେଳେ ଦେଣନେଣର ଏହି ବ୍ୟବସାୟରେ ପ୍ରତିଷ୍ଠାନଗୁଡ଼ିକର ଆର୍ଥିକ ଉଚ୍ଚତା କମ୍ ଦିନରେ ଆକାଶ ଛୁଉଁଛି, ସେତେବେଳେ ଏହି ଆଇନଗତ ସ୍ପର୍ଶକାତରତା ଦୁର୍ବୋଧ୍ୟ ହେବା ସ୍ବାଭାବିକ।

ହାର୍ଭାର୍ଡର ଯଶରେ ଖ୍ୟାତ ଶିକ୍ଷାବିତ୍ ମାଇକେଲ ୱାଲଟନ ଉଦ୍ୟୋଗର କ୍ଷେତ୍ରକୁ ଗାର ଟାଣି ଦୁଇ ଖଣ୍ଡ କରିଛନ୍ତି।

ପ୍ରଥମଟି ହେଉଛି ସରକାରଙ୍କ ହାତ ଲାଗୁଥିବା ବ୍ୟବସାୟ, ଯଥା ଖଣି, ଇଷ୍ଟେଟ, ଠିକା ଏବଂ ଅନ୍ୟଟି ସରକାରଙ୍କ ହାତ ପାଆନ୍ତାରୁ ଦୂରରେ ଥିବା "ଅନ୍ୟ ସବୁ"।

ପ୍ରଥମରେ ଅର୍ଜନର ବୃଦ୍ଧିକୁ ପ୍ଳାବନ କୁହାଗଲେ, "ଅନ୍ୟ ସବୁ" କ୍ଷେତ୍ରରେ ଏହା ଆକାଂକ୍ଷିତ ମନ୍ଦ ନିର୍ଝରଣ।

ଛେଲୁଆଏ ହେଲେ ବି ଏହି ଫୁଲିଲା ଜଳରାଶିରୁ ରାଜ୍ୟଗୁଡ଼ିକ ନେବେ ନାହିଁ କାହିଁକି?

ଅଧିକନ୍ତୁ ଆଇନଶୃଙ୍ଖଳା, ବିସ୍ଥାପନ ପୁନର୍ବସତି, ପରିବେଶ ସଂରକ୍ଷଣ, ବନବାସୀ ଜନଜାତି ସହିତ ସାଧାରଣ ଜନଜୀବନରେ ଗୁଣାତ୍ମକ ସ୍ବାଚ୍ଛନ୍ଦ୍ୟ- ସବୁ ଦାୟିତ୍ବ ରାଜ୍ୟର କାନ୍ଧରେ।

କହିବ କିଏ?

ବିଜୟର ଶିରୀପା ପିନ୍ଧି ଦିଲ୍ଲୀ ଗଲେ ଖାଲି ସାର୍ଥକ ପ୍ରତିନିଧିତ୍ବ ହୁଏ ନାହିଁ।

କହୁଥିବା, ଲେଖୁଥିବା, ଭାବୁଥିବା ଲୋକଙ୍କ ମଧ୍ୟରୁ ଆଉ ଜଣେ ସୁରେନ୍ଦ୍ର ମହାନ୍ତି ଉଠି ଆସନ୍ତେ କି, ପୁଣି ନୂଆ ରୂପରେ ସ୍ବାଭିମାନ ଓ ସ୍ବାବଲମ୍ବନ ପାଇଁ ଶତାବ୍ଦୀର ସୂର୍ଯ୍ୟଙ୍କୁ ଠିଆ କରାନ୍ତେ।

ଏମିତି ସୂର୍ଯ୍ୟଙ୍କ ଏବେ ଦରକାର ଅଛି।(ମତାମତ ଲେଖକଙ୍କ ନିଜସ୍ବ)ମୋ: ୯୪୩୭୨୨୬୬୪୪Advertisment "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)