ରତ୍ନସିଂହାସନ

Jul 18, 2026 - 15:31
ରତ୍ନସିଂହାସନ

 

ଦାରୁବ୍ରହ୍ମ ଚତୁର୍ଦ୍ଧା ମୂର୍ତ୍ତି ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ଯେଉଁ ସିଂହାସନରେ ଅଧିଷ୍ଠିତ, ତାହା 'ରତ୍ନବେଦୀ', 'ରତ୍ନ ସିଂହାସନ', 'ରତ୍ନମଣ୍ଡପ' ବା 'ନୀଳାଦ୍ରି ମଣ୍ଡପ' ନାମରେ ନାମିତ। ଏହି ସ୍ଥାନ ଶ୍ରୀମନ୍ଦିରର ମୁଖ୍ୟ ସ୍ଥାନ। ଏହା ଏକ ପବିତ୍ର ସ୍ଥଳ । କେତେକ ଗବେଷକ ଏହି ସ୍ଥଳକୁ ମଧ୍ୟ କ୍ଷୀର ସାଗରର ଆଖ୍ୟା ଦେଇଛନ୍ତି। ସେମାନଙ୍କ ମତରେ, ଏହି ସ୍ଥାନରେ ମହାପ୍ରଭୁ, ଶ୍ରୀଦେବୀ ଓ ଭୂଦେବୀଙ୍କ ସହ ଅନନ୍ତ ଶୟନରେ ବିରାଜମାନ କରିଅଛନ୍ତି । ଜଗନ୍ନାଥ ସଂସ୍କୃତିର ଏକ ବିଶିଷ୍ଟ ସ୍ଥାନ ହେଉଛି ନୀଳାଦ୍ରିମଣ୍ଡପ। ମହାଭାରତର ବନପର୍ବରେ ଲୋମଶ ମୁନି ତୀର୍ଥ ପାଇଁ ବାହାରିଥିବା ମହାରାଜ ଯୁଧିଷ୍ଠିରଙ୍କୁ ସମ୍ବୋଧନ କରି କହିଛନ୍ତି, "ହେ ରାଜନ୍! ତୁମ ସମ୍ମୁଖରେ ଥିବା ସାଗର ସଂଲଗ୍ନ ବେଦୀରୂପା ଧରିତ୍ରୀକୁ ଦର୍ଶନ କର । ଏହି ସାଗର ସଂଲଗ୍ନା ଧରିତ୍ରୀ କାଶ୍ୟପ ଋଷିଙ୍କ ଅନୁରୋଧ କ୍ରମେ ଆବିର୍ଭୂତା ହୋଇଛନ୍ତି। ଏହି ବେଦୀକୁ ଆରୋହଣ କରିବା ବ୍ୟକ୍ତି ଧୀର୍ଯ୍ୟବାନ, ତେଜବାନ ତଥା ଦୀପ୍ତିମାନ୍ ହୁଅନ୍ତି । ଲୋମଶ ମୁନିଙ୍କ କଥାନୁସାରେ ପାଣ୍ଡବମାନେ ତୀର୍ଥାଟନ ସମୟରେ ସେହି ମହାବେଦୀକୁ ଆରୋହଣ କରିଥିଲେ। କିମ୍ବଦନ୍ତୀ ଅନୁଯାୟୀ ସେହି ମହାବେଦୀ ହେଉଛି 'ନୀଳାଦ୍ରି ମଣ୍ଡପ' । ଏହି ରତ୍ନସିଂହାସନର ପ୍ରାଚୀନତା ସମ୍ପର୍କରେ ମହାଭାରତର ବନପର୍ବରେ ଯେଉଁ 'ବେଦୀରୂପା ସ୍ଥିତା'ର ଉଲ୍ଲେଖ ରହିଛି, ତାହା କେତେକଙ୍କ ମତରେ ମହାପ୍ରଭୁଙ୍କ ରତ୍ନବେଦୀକୁ ବୁଝାଏ ବୋଲି କହିଛନ୍ତି । ମାତ୍ର ଅନ୍ୟ କେତେକ ଏହାକୁ ଅସ୍ୱୀକାର କରି କହିଛନ୍ତି ଯେ, ମହାରାଜ ଇନ୍ଦ୍ରଦ୍ୟୁମ୍ନ ଯେଉଁ ସ୍ଥଳରେ ସହସ୍ର ଅଶ୍ୱମେଧ ଯଜ୍ଞ କରାଇ ଚତୁର୍ଦ୍ଧା ମୂର୍ତ୍ତିକୁ ପ୍ରତିଷ୍ଠା କରିଥିଲେ, ତାହା 'ମହାବେଦୀ', ତାହା 'ରତ୍ନବେଦୀ' ନୁହେଁ। ତେଣୁ ମନରେ ସ୍ୱତଃ ପ୍ରଶ୍ନ ଉଠେ ମହାବେଦୀ ଓ ରତ୍ନବେଦୀ ଗୋଟିଏ ବେଦୀକୁ କୁହାଯାଏ କି? ଏହା ଗୋଟିଏ ବେଦିକୁ ବୁଝାଇ ନାହିଁ । ଏ ସମ୍ପର୍କରେ ପୁରାଣ କହେ, ମହାରାଜ ଇନ୍ଦ୍ରଦ୍ୟୁମ୍ନ ପ୍ରଥମେ ଯେଉଁ ମନ୍ଦିର ନିର୍ମାଣ କରି ବିଷ୍ଣୁ ପ୍ରତିମାକୁ ସ୍ଥାପନ କରିଥିଲେ, ତାହା କାଳକ୍ରମେ ଧ୍ୱଂସ ପାଇଥିଲା ଏବଂ ପରବର୍ତ୍ତୀ ସମୟରେ ଶ୍ରୀମନ୍ଦିରର ରତ୍ନସିଂହାସନ ଏକାଧିବାର ନିର୍ମିତ ହୋଇଥିବାର ଦୃଷ୍ଟାନ୍ତ ରହିଛି । ଏଥିରୁ ଆମେ ଏହି ସିଦ୍ଧାନ୍ତରେ ପହଞ୍ଚୁଥାଉ ଯେ, ମହାରାଜ ଇନ୍ଦ୍ରଦ୍ୟୁମ୍ନଙ୍କ ନିର୍ମିତ ମୂଳ ମନ୍ଦିରର ଯେଉଁ ସିଂହାସନରେ ପ୍ରଭୁ ଆଦ୍ୟରୁ ଅଧିଷ୍ଠିତ ହୋଇଥିଲେ, ତାହା ହିଁ 'ମହାବେଦୀ' ଅଟେ । ପରନ୍ତୁ ଶ୍ରୀମନ୍ଦିରର ସିଂହାସନ ରତ୍ନସିଂହାସନ, ରତ୍ନବେଦୀ ବା ରତ୍ନମଣ୍ଡପ ନାମରେ ଖ୍ୟାତ ଫଳରେ ମହାବେଦୀ ଓ ରତ୍ନବେଦୀ ଏକ ନୁହେଁ, ଏହା ପ୍ରତିପାଦିତ ହୋଇଅଛି ।

 

ଉପରୋକ୍ତ ଲେଖା ଶ୍ରୀମନ୍ଦିର ପୁସ୍ତକରେ ଲେଖିକା ବିଜୟଲକ୍ଷ୍ମୀ ଦାଶ (ମିଶ୍ର)ଙ୍କ ଲିଖିତ ରତ୍ନସିଂହାସନ ଲେଖାର କିୟଦଂଶ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।