ସହଜ ନଥିଲା ସଫଳତା
ଅଭିନେତ୍ରୀ ହେବାର ଚେହେରା ନାହିଁ କହି ଯେଉଁମାନେ ଦିନେ ତାଙ୍କୁ ପ୍ରତ୍ୟାଖ୍ୟାନ କରିଥିଲେ, ଆଜି ସେହି ରଶ୍ମିକା ମନ୍ଦାନା ନିଜର ଦୃଢ଼ ଇଚ୍ଛାଶକ୍ତି ବଳରେ ଦେଶର ଜଣେ ଆଗଧାଡ଼ିର ପାନ-ଇଣ୍ଡିଆ ସୁପରଷ୍ଟାର୍ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି । କର୍ଣ୍ଣାଟକରେ ଜନ୍ମିତ ରଶ୍ମିକାଙ୍କ ପିଲାଦିନ ଆର୍ଥିକ ସଂଘର୍ଷ ଭିତରେ କଟିଥିଲା, ଯେଉଁଠି ପରିବାର ପାଇଁ ଘରଭଡ଼ା ଦେବା କିମ୍ବା ତାଙ୍କ ପାଇଁ ଖେଳନାଟିଏ କିଣିବା ବି କଷ୍ଟକର ଥିଲା । ଛାତ୍ରାବାସର ଶୃଙ୍ଖଳିତ ପରିବେଶରେ ବଢ଼ିଥିବା ରଶ୍ମିକା ପାଠପଢ଼ା ଅପେକ୍ଷା ନୃତ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଧିକ ରୁଚି ରଖୁଥିଲେ । ଅଭିନେତ୍ରୀ ହେବାର ସ୍ୱପ୍ନ କେବେ ଦେଖି ନଥିବା ରଶ୍ମିକା କଲେଜ ସମୟରେ ‘କ୍ଲିନ୍ ଆଣ୍ଡ କ୍ଲିଅର୍ ଟାଇମ୍ସ ଫ୍ରେଶ୍ ଫେସ୍’ ପ୍ରତିଯୋଗିତା ଜିତିବା ପରେ ମଡେଲିଂ ଓ ଅଭିନୟର ସୁଯୋଗ ପାଇଥିଲେ । ତେବେ ସଫଳତାର ଏହି ବାଟ ଆଦୌ ସହଜ ନଥିଲା । କ୍ୟାରିୟରର ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରାୟ ୨୦-୨୫ଟି ଅଡିସନରୁ ରିଜେକ୍ଟ ହେବାପରେ ମଧ୍ୟ ହାରି ନଥିଲେ ରଶ୍ମିକା । ନିଜର ପରିଶ୍ରମ ଜାରି ରଖିଥିଲେ । ସମସ୍ତ ବିଫଳତାକୁ ସଫଳତାର ସିଡି ଭାବେ ଗ୍ରହଣ କରି କ୍ୟାରିୟର ଆଗକୁ ବଢିଥିଲେ ଏବଂ ସଫଳତା ପାଇଥିଲେ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।