ଯୋଗ୍ୟଙ୍କୁ ମିଳୁନି ଘର, ଅଯୋଗ୍ୟ ହାତେଇବା ଅଭିଯୋଗରେ ରାସ୍ତାରେ ଗର୍ଜିଲେ ମହିଳା

Oct 12, 2026 - 17:57
ଯୋଗ୍ୟଙ୍କୁ ମିଳୁନି ଘର, ଅଯୋଗ୍ୟ ହାତେଇବା ଅଭିଯୋଗରେ ରାସ୍ତାରେ ଗର୍ଜିଲେ ମହିଳା

ନନ୍ଦିଘୋଷ ବ୍ୟୁରୋ: ସରକାର ଗରିବ ଓ ଅସହାୟ ଲୋକଙ୍କୁ ମୁଣ୍ଡ ଗୁଞ୍ଜିବା ପାଇଁ ପକ୍କା ଘର ଯୋଗାଇଦେବା ଲକ୍ଷ୍ୟରେ ବିଭିନ୍ନ ଆବାସ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। କିନ୍ତୁ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ କଲମିଶ୍ରି ପଞ୍ଚାୟତ ଲେଣ୍ଡୁରା ଭଗବାନପୁର ୧୨ ନମ୍ବର ୱାର୍ଡରେ ଏହି ଯୋଜନାର ଚିତ୍ର ସମ୍ପୂର୍ଣ୍ଣ ଓଲଟା ଦେଖିବାକୁ ମିଳିଛି। ପ୍ରକୃତ ଯୋଗ୍ୟ ହିତାଧିକାରୀମାନେ ବର୍ଷ ବର୍ଷ ଧରି ଘର ଖଣ୍ଡିଏ ପାଇବାରୁ ବଞ୍ଚିତ ହୋଇ ରହିଥିବା ବେଳେ, ପ୍ରଶାସନିକ ଅବହେଳା ଓ ଦୁର୍ନୀତି ଯୋଗୁଁ ଅଯୋଗ୍ୟ ବ୍ୟକ୍ତିମାନେ ଘର ହାତେଇ ନେଉଥିବା ଭଳି ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି।

ଅଭିଯୋଗ ଅନୁଯାୟୀ, ଉକ୍ତ ୱାର୍ଡର ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ ପରିବାର ଆଜି ବି ଭଙ୍ଗାରୁଜା ଓ ଚାଳଛପର ଘର ତଳେ ଦୀନହୀନ ଅବସ୍ଥାରେ ଦିନ କାଟୁଛନ୍ତି। ମୁଣ୍ଡ ଉପରେ ପକ୍କା ଛାତ ଖଣ୍ଡିଏ ପାଇଁ ଏହି ଗରିବ ପରିବାରଗୁଡ଼ିକ ବାରମ୍ବାର ପଞ୍ଚାୟତଠାରୁ ଆରମ୍ଭ କରି ବ୍ଲକ ଅଫିସ୍ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ନିରାଶ ହୋଇଛନ୍ତି। ଗ୍ରାମବାସୀଙ୍କ କହିବା କଥା, ଇନକ୍ୱାରୀରେ ହାତଗୁଞ୍ଜା ନେଇ ଅଧିକାରୀ ଓ ଲୋକ ପ୍ରତିନିଧି ମାନେ ସରକାରୀ ଯୋଜନାରୁ ନାଁ କାଟି ଦେଉଥିବା ଅଭିଯୋଗ ଆଣିଛନ୍ତି ।

ଅସହାୟ ହିତାଧିକାରୀମାନେ ବାରମ୍ବାର ନିଜର ଗୁହାରି ଜଣାଇଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ କିମ୍ବା ଲୋକପ୍ରତିନିଧିମାନେ ଏଥିପ୍ରତି ଆଦୌ କର୍ଣ୍ଣପାତ କରୁନାହାନ୍ତି। ପ୍ରଶାସନର ଏହି ଆବେଗହୀନ ଓ ଅଣଦେଖା ମନୋଭାବ ବିରୋଧରେ ଗ୍ରାମର ଶହ ଶହ ମହିଳା ଏକାଠି ହୋଇ ରାସ୍ତାକୁ ଓହ୍ଲାଇଛନ୍ତି। ଗାଁ ଦାଣ୍ଡରେ ସରକାରୀ ଅଫିସର ଓ ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ ନାରାବାଜି କରିବା ସହ ତୀବ୍ର ପ୍ରତିବାଦ କରିଛନ୍ତି।

ତେବେ ଅଞ୍ଚଳବାସୀଙ୍କ ସ୍ପଷ୍ଟ ଦାବି ଯେ, ତୁରନ୍ତ ଏହି ଆବାସ ଯୋଜନାରେ ହୋଇଥିବା ଅନିୟମିତତାର ଉଚ୍ଚସ୍ତରୀୟ ତଦନ୍ତ କରାଯାଉ। ଅଯୋଗ୍ୟ ହିତାଧିକାରୀଙ୍କ ନାମ ତାଲିକାରୁ ବାଦ୍ ଦେଇ ପ୍ରକୃତ ଗରିବ ଓ ଯୋଗ୍ୟ ପରିବାରକୁ ତୁରନ୍ତ ଆବାସ ଘର ଯୋଗାଇ ଦିଆଯାଉ। ଯଦି ପ୍ରଶାସନ ଆଗାମୀ ଦିନରେ ଏହି ସମସ୍ୟାର ସମାଧାନ ନକରେ, ତେବେ ଏହି ଆନ୍ଦୋଳନ ଆଗାମୀ ଦିନରେ ଆହୁରି ବ୍ୟାପକ ଓ ସ୍ଥାନୀୟ ବ୍ଲକ ଘେରାଉ ରୂପ ନେବ ବୋଲି ମହିଳାମାନେ ଚେତାବନୀ ଦେଇଛନ୍ତି

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)