ମହାବେଦି
ଦେବର୍ଷି ନାରଦଙ୍କ ଉପଦେଶ ଅନୁସାରେ ମହାରାଜା ଇନ୍ଦ୍ରଦ୍ୟୁମ୍ନ ନୀଳମାଧବଙ୍କ ଦର୍ଶନ ଲାଭ ପାଇଁ ଯେଉଁ ସ୍ଥାନରେ ସହସ୍ର ଅଶ୍ୱମେଧ ଯଜ୍ଞ ଅନୁଷ୍ଠାନ କରିଥିଲେ ତାହାକୁ ସ୍କନ୍ଧ ପୁରାଣ ଅନୁଯାୟୀ ମହାବେଦି କୁହାଯାଏ । ଏହି ମହାବେଦୀରେ ଏକ ଆବଦ୍ଧଗୃହ ନିର୍ମାଣ କରାଯାଇ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଗଢା ଯାଇଥିଲା । ଏହି ଆବଦ୍ଧଗୃହ ମହାରାଣୀ ଗୁଣ୍ଡିଚା ଦେବୀଙ୍କ ନାମରେ ନାମିତ ଗୁଣ୍ଡିଚା ଘର । ଶାସ୍ତ୍ରପୁରାଣରେ ଏହି ଗୁଣ୍ଡିଚା ଘରକୁ ଆଡପମଣ୍ଡପ, ରାସମଣ୍ଡପ, ମହାବେଦି ଭାବେ ବର୍ଣ୍ଣନା କରାଯାଇଛି । ପୁରୀରର ପ୍ରଚଳିତକଥା ଅନୁସାରେ ଏହା ହେଉଛି ମହାପ୍ରଭୁଙ୍କର ଜନ୍ମବେଦୀ । ପ୍ରତିବର୍ଷ ରଥଯାତ୍ରାରେ ମହାପ୍ରଭୁ ଏଠାକୁ ଯାତ୍ରା କରିଥାଆନ୍ତି । ବଡଦେଉଳଠାରୁ ପ୍ରାୟ ଅଢେଇ କିମି ଦୂରରେ ଏହି ମନ୍ଦିର ଅବସ୍ଥିିିିତ। ଗୁଣ୍ଡିଚା ଘର ରାଜା କପିଳେନ୍ଦ୍ର ଦେବଙ୍କ ଦ୍ୱାରା ଏକ ମନ୍ଦିର ରୂପେ ନିର୍ମାଣ କରାଯାଇଥିବାର ଜଣାଯାଏ। ମାଦଳା ପାଞ୍ଜି ବର୍ଣ୍ଣନା ଅନୁସାରେ ରାଜା ଦ୍ୱିତୀୟ ରାମଚନ୍ଦ୍ରଦେବଙ୍କ ଚତୁର୍ଥ ଅଙ୍କରେ ୧୭୨୮ ଖ୍ରୀଷ୍ଟାବ୍ଦରେ ତାଙ୍କର ବକ୍ସି ବେଣୁ ଭ୍ରମରବର ରାୟ ଗୁଣ୍ଡିଚା ମନ୍ଦିରର ଜଗମୋହନ ନିର୍ମାଣ କରାଇଥିଲେ। ଗୁଣ୍ଡିଚା ମନ୍ଦିରକୁ ଘେରି ରହିଛି ଦୁଇଟି ପ୍ରାଚୀର - ଭିତର ବେଢା ଓ ବାହାର ବେଢା । ବାହାର ବେଢା ପ୍ରାଚୀରର ଲମ୍ବ ପ୍ରାୟ ୪୩୦ ଫୁଟ, ପ୍ରସ୍ଥ ୩୨୦ ଫୁଟ ଓ ଉଚ୍ଚତା ପ୍ରାୟ ୨୦ ଫୁଟ। ମନ୍ଦିରରେ ଦୁଇଟି ଦ୍ୱାର ଯଥା ସିଂହ ଦ୍ୱାର ଓ ନାକଚଣା ଦ୍ୱାର ଏବଂ ଉତ୍ତର ପଟକୁ ରହିଛି ନୃସିଂହ ମନ୍ଦିର। ସିଂହ ଦ୍ୱାର ସମ୍ମୁଖରେ ଦୁଇଟି ସିଂହଙ୍କ ମୂର୍ତ୍ତି ସହିତ ଉପରେ ନବଗ୍ରହ ପଟି ରହିଛନ୍ତି। ଭିତର ବେଢାରେ ରୋଷଘର, ମୁକ୍ତି ମଣ୍ଡପ, ଶ୍ରୀଗୋପାଳ ଜୀଉ ମନ୍ଦିର ଓ ସୂର୍ଯ୍ୟପୂଜା ମଣ୍ଡପ ଅବସ୍ଥିତ। ସେହିଭଳି ଗୁଣ୍ଡିଚା ମନ୍ଦିରର ଉଚ୍ଚତା ପ୍ରାୟ ୭୫ ଫୁଟ। ସମଗ୍ର ମନ୍ଦିର ଚାରି ଭାଗରେ ବିଭକ୍ତ ଗର୍ଭଗୃହ, ଜଗମୋହନ ନାଟମନ୍ଦିର ଓ ଭୋଗ ମଣ୍ଡପ। ଗର୍ଭଗୃହ ମଧ୍ୟରେ ଥିବା ସିଂହାସନକୁ ରତ୍ନବେଦି କୁହାଯାଏ, ଯାହାର ଲମ୍ବ ୧୯ ଫୁଟ ଓ ଉଚ୍ଚତା ୪ଫୁଟ। ଜଗମୋହନ ପାଶ୍ୱର୍ରେ ରହିଛି ଭଣ୍ଡାରଘର । ରଥରୁ ଓହ୍ଲାଇ ଠାକୁରମାନେ ଗୋଟି ପହଣ୍ଡିରେ ସିଂହଦ୍ୱାର ମଧ୍ୟରେ ପ୍ରବେଶ କରି ବାହାର ବେଢାକୁ ଯାଆନ୍ତି । ବାହାର ବେଢାରୁ ହାରାବତୀ ଦ୍ୱାର ଦେଇ ଭିତର ବେଢାକୁ ଯାଇ ସେଠାରୁ ନାଟମନ୍ଦିର ଭିତରକୁ ଗରୁଡସ୍ତମ୍ଭ ପାଶ୍ୱର୍ରେ ଥିବା ଦ୍ୱାର ବାଟେ ପ୍ରବେଶ କରନ୍ତି । ନାଟମନ୍ଦିରରୁ ଜଗମୋହନ ଭିତର ଦେଇ ଗର୍ଭଗୃହର ରନିବେହି ଉପରକୁ ବିଜେ କରନ୍ତି । ନାଟ ମଣ୍ଡପର ଛାତଟି ଚାରୋଟି ସ୍ତମ୍ଭ ଉପରେ ନିର୍ମିତ । ପ୍ରତ୍ୟେକ ସ୍ତମ୍ଭର ଉଚ୍ଚତା ପ୍ରାଚ ପଚିଶ ଫୁଟ । ଗୁଣ୍ଡିଚାଘର ଭୋଗମଣ୍ଡପର ଲମ୍ବ ପ୍ରାୟ ୩୫ଫୁଟ, ପ୍ରସ୍ଥ ୨୦ ଫୁଟ । ଏହାର ରୋଷଘରେ ୨୦୩ଟି ଚୁଲି ରହିଛି । ଶ୍ରୀଗୁଣ୍ଡିଚା ଦିନ ଶ୍ରୀବିଗହ୍ରମାନେ ସିଂହ ଦ୍ୱାର ଦେଇ ଗୁଣ୍ଡିଚା ମନ୍ଦିରକୁ ପ୍ରବେଶ କରନ୍ତି ଏବଂ ବାହୁଡାଦିନ ନାକଚଣା ଦ୍ୱାର ଦେଇ ରଥ ଉପରକୁ ବିଜେ କରନ୍ତି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।