ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଇଁ ଟ୍ରାଫିକ କଟକଣା

ପୁରୀ : ଆଉ ଦିନକ ପରେ ସୋମବାର ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା । ଶ୍ରୀ ଜୀଉଙ୍କ ଦିବ୍ୟ ସ୍ନାନ ପାଇଁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହୋଇଛି । ଶନିବାର ଏକ ସାମ୍ବାଦିକ ସମ୍ମିଳନୀ କରି ପୁରୀ ଏସପି ପ୍ରତୀକ ସିଂ ସୂଚନା ଦେଇଛନ୍ତି ।
ଚଳିତ ବର୍ଷ ଶ୍ରୀମନ୍ଦିରର ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପାଇଁ ପ୍ରାୟ ୩ ରୁ ୪ ଲକ୍ଷ ଭକ୍ତଙ୍କ ସମାଗମ ହେବା ନେଇ ଅନୁମାନ କରାଯାଉଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ରାଞ୍ଚଳ ଆଇଜିପି ଡ.ସତ୍ୟଜିତ ନାଏକ ଏବଂ ପୁରୀ ଏସପି ପ୍ରତୀକ ସିଂହ ସୁରକ୍ଷା, ନିରାପତ୍ତା, ଟ୍ରାଫିକ ନିୟନ୍ତ୍ରଣ ଓ ଜନଗହଳି ବ୍ୟବସ୍ଥାପନାର କ୍ଷେତ୍ରସ୍ତରୀୟ ଯାଞ୍ଚ ଓ ସମୀକ୍ଷା କରିଛନ୍ତି।
ଶ୍ରୀମନ୍ଦିରକୁ ସଂଯୋଗ ରାସ୍ତାରେ ଯାନବାହନ ଚଳାଚଳ ନିଷିଦ୍ଧ ରହିବ । ସିଂହଦ୍ୱାର ଦେଇ ପ୍ରବେଶ ଓ ଉତ୍ତର ଦ୍ୱାରରେ ପ୍ରସ୍ଥାନ ବ୍ୟବସ୍ଥା କରାଯାଇଛି। ସିସିଟିଭି ନଜରରେ ରହିବ ବଡଦାଣ୍ଡ ଓ ଶ୍ରୀମନ୍ଦିର। ଶ୍ରୀମନ୍ଦିର ଭିତରେ ୫୨ଟି ସିସିଟିଭି ଲଗାଯାଇଛି। ଶ୍ରୀମନ୍ଦିର ବାହାରେ ୨୫୦ ସିସିଟିଭି ଲଗାଯାଇଛି। ସହରର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ୩୦ଟି ସିସିଟିଭି ଲଗାଯାଇଛି ।
ଭକ୍ତମାନେ କିଭଳି ଶୃଙ୍ଖଳିତ ମହାପ୍ରଭୁଙ୍କ ଗଜାନନ ବେଶ ଦର୍ଶନ କରିପାରିବେ, ସେଥିପାଇଁ ଓଡ଼ିଶା ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଆଇନ ଶୃଙ୍ଖଳା ରକ୍ଷା ଏବଂ ଭିଡ଼ ନିୟନ୍ତ୍ରଣ ପାଇଁ ସହର ସାରା ପ୍ରାୟ ୭୯ ପ୍ଲାଟୁନ ପୋର୍ସ ମୁତୟନ କରାଯିବ । ଏସପି, ଅତିରିକ୍ତ ଏସପି, ଡିଏସପି ଏବଂ ଇନ୍ସପେକ୍ଟର ରାଙ୍କର ବହୁ ବରିଷ୍ଠ ଅଧିକାରୀ ଡ୍ୟୁଟିରେ ରହିବେ।
ଗାଡି ପାର୍କିଂ ନେଇ ପୁରୀ ପୁଲିସ ଆଡଭାଇଜରୀ ଜାରି କରାଯାଇଛି। ଶୃଙ୍ଖଳିତ ସ୍ନାନଯାତ୍ରା ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି ଜୋରସୋରରେ ହେଉଛି। ସୁରକ୍ଷା ବ୍ୟବସ୍ଥା ପାଇଁ ୭୯ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ୨୦୦ ସିସିଟିଭି କ୍ୟାମେରା ନଜରରେ ରହିବ ପୁରା ସହର।ଶ୍ରୀମନ୍ଦିର କାର୍ଯ୍ୟାଳୟ ଠାରୁ ମାର୍କେଟ ଛକ ପର୍ଯ୍ୟନ୍ତ ବ୍ୟାରିକେଡ ରହିବ। ଦକ୍ଷିଣ ଦ୍ୱାର ଦେଇ ପରିମାଣିକ ଟିକେଟ ଦର୍ଶନଧାରୀ ପ୍ରବେଶ କରିବେ। ନିର୍ଦ୍ଧାରିତ ଟ୍ରାଫିକ୍ ରୁଟ୍ ଅନୁଯାୟୀ ଗାଡି ପାର୍କିଂ ବ୍ୟବସ୍ଥା କରାଯାଇଛି। ଭୁବନେଶ୍ୱରରୁ ଯାଉଥିବା ଗାଡି ପାଇଁ ମାର୍କେଟ ଛକରେ ପାର୍କିଂ ବ୍ୟବସ୍ଥା। ମାତ୍ର ଶ୍ରୀମନ୍ଦିରକୁ ସଂଯୋଗ ରାସ୍ତାରେ ଯାନବାହନ ଚଳାଚଳ ନିଷିଦ୍ଧ ରହିଛି।
ଯେକୌଣସି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ଲାଗି କୁଇକ୍ ଆକ୍ସନ ଟିମ୍ , ବୋମା ନିଷ୍କ୍ରିୟକାରୀ ଦଳ ଏବଂ ସନ୍ଧାନୀ କୁକୁର ମୁତୟନ ରହିବେ। କୌଣସି ଅପ୍ରୀତିକର ପରିସ୍ଥିତି କିମ୍ବା ପିକପକେଟ୍, ଚେନ୍ ଛିଣ୍ଡାଇବା ଭଳି ଅପରାଧକୁ ରୋକିବା ପାଇଁ ପୋଲିସ ପ୍ରଯୁକ୍ତିବିଦ୍ୟାର ସହଯୋଗ ନେଇଛି । ଇଣ୍ଟିଗ୍ରେଟେଡ୍ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ୍ ସେଣ୍ଟରରୁ ସମଗ୍ର ପୁରୀ ସହରର ଗତିବିଧି ଉପରେ ରିଆଲ୍-ଟାଇମ୍ ନଜର ରଖାଯିବ ।
ସ୍ନାନଯାତ୍ରା ସମୟରେ ପ୍ରବଳ ଗରମ ଓ ଗହଳିକୁ ଦୃଷ୍ଟିରେ ରଖି ପ୍ରାଥମିକ ଚିକିତ୍ସା କେନ୍ଦ୍ର, ଆମ୍ବୁଲାନ୍ସ ଏବଂ ମେଡିକାଲ୍ ଟିମ୍ ସର୍ବଦା ପ୍ରସ୍ତୁତ ରହିବେ। ନିଖୋଜ ବ୍ୟକ୍ତି ବା ପିଲାମାନଙ୍କୁ ଖୋଜିବା ପାଇଁ ସୂଚନା କେନ୍ଦ୍ର ମଧ୍ୟ ସକ୍ରିୟ ରହିବ।