ଭୁଟାନରେ ଫାଟିଲା ହିମ୍ ହ୍ରଦ, ଉତ୍ତର ପଶ୍ଚିମବଙ୍ଗ ଓ ଆସାମ ସୀମାନ୍ତରେ ବନ୍ୟା ଆଶଙ୍କା
ନନ୍ଦିଘୋଷ ବ୍ୟୁରୋ: ଭୁଟାନରେ ହିମ୍ ହ୍ରଦ ଫାଟିବା ଯୋଗୁଁ ଉତ୍ତର ପଶ୍ଚିମବଙ୍ଗ ଓ ଆସାମର ସୀମାନ୍ତ ଅଞ୍ଚଳରେ ବନ୍ୟା ଆଶଙ୍କା ଦେଖାଦେଇଛି। ଏହାକୁ ଦୃଷ୍ଟିରେ ରଖି ଉଭୟ ରାଜ୍ୟର ପ୍ରଶାସନ ପକ୍ଷରୁ ହାଇ ଆଲର୍ଟ ଜାରି କରାଯାଇଛି। ସଙ୍କୋଶ ନଦୀ ଓ ଏହାର ଉପନଦୀଗୁଡ଼ିକରେ ହଠାତ୍ ଜଳସ୍ତର ବୃଦ୍ଧି ଆଶଙ୍କା ଥିବାରୁ ନଦୀକୂଳବର୍ତ୍ତୀ ଅଞ୍ଚଳରୁ ପ୍ରାୟ ୧୫ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି।
ଗତ ରାତି ପ୍ରାୟ ୮ଟା ୧୫ ମିନିଟ୍ ସମୟରେ ଭୁଟାନର ଲେମଥାଙ୍ଗ ଅଞ୍ଚଳରେ ଥିବା ସିତାମ୍ଫୁ ହିମବାହ ହ୍ରଦ ଫାଟିଯାଇଥିଲା। ଫଳରେ ହ୍ରଦରୁ ବାହାରିଥିବା ଜଳରାଶି ମୋଫୁ ନଦୀ ଦେଇ ଦ୍ରୁତଗତିରେ ସଙ୍କୋଶ ନଦୀ ଆଡ଼କୁ ପ୍ରବାହିତ ହୋଇଥିଲା। ରାତି ସୁଦ୍ଧା ଏହି ଜଳ ଟାକ୍ତସିମାଖାଙ୍ଗ ଅଞ୍ଚଳରେ ପହଞ୍ଚିଥିବା ଖବର ମିଳିଥିଲା। ପଶ୍ଚିମବଙ୍ଗର ଆଲିପୁରଦ୍ୱାର ଜିଲ୍ଲାର ଭାଲ୍କା-୧, ଭାଲ୍କା-୨, ଚେଙ୍ଗମାରି ଓ ଲ୍ୟାଣ୍ଡ ଗ୍ରାମ ପଞ୍ଚାୟତ ଅଞ୍ଚଳରୁ ପ୍ରାୟ ୧୫ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ନଦୀକୂଳ ଓ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ତୁରନ୍ତ ସତର୍କ ରହିବା ସହ ଆବଶ୍ୟକ ପଡ଼ିଲେ ଘର ଛାଡ଼ିବାକୁ ପ୍ରଶାସନ ପରାମର୍ଶ ଦେଇଛି। ଭୁଟାନରେ ନିୟୋଜିତ କିଛି ସେନା କର୍ମଚାରୀଙ୍କୁ ମଧ୍ୟ ସୁରକ୍ଷିତ ସ୍ଥାନକୁ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଘଟଣା ପରେ ଆଲିପୁରଦ୍ୱାର, ଜଳପାଇଗୁଡ଼ି ଓ ଦାର୍ଜିଲିଂ ସମେତ ଉତ୍ତର ବଙ୍ଗର ବିଭିନ୍ନ ଜିଲ୍ଲାରେ ସତର୍କତା ଜାରି ହୋଇଛି। ସଙ୍କୋଶ ନଦୀ ଓ ଏହାର ଉପନଦୀ କୂଳରେ ସାଇରନ୍ ବଜାଇ ଲୋକଙ୍କୁ ସତର୍କ କରାଯାଉଛି। ବିପର୍ଯ୍ୟୟ ପରିଚାଳନା ବାହିନୀ, ଏନଡିଆରଏଫ୍ ଓ ଏସଡିଆରଏଫ୍ ଟିମ୍କୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି। ଦାର୍ଜିଲିଂର ବିଜେପି ସାଂସଦ ରାଜୁ ବିଷ୍ଟ ଏକ ଭିଡିଓ ଜାରି କରି ଲୋକଙ୍କୁ ସତର୍କ ରହିବାକୁ ଅପିଲ୍ କରିଛନ୍ତି। ପଶ୍ଚିମବଙ୍ଗର ମନ୍ତ୍ରୀ ନିଶିଥ ପ୍ରମାଣିକ ଓ ମନୋଜ କୁମାର ଓରାଓଁ ମଧ୍ୟ ନଦୀକୂଳବର୍ତ୍ତୀ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ପରାମର୍ଶ ଦେଇଛନ୍ତି।
ଭାରତୀୟ ପ୍ରଶାସନ ପକ୍ଷରୁ ଜାରି ସ୍ୱତନ୍ତ୍ର ପରାମର୍ଶରେ କୁହାଯାଇଛି ଯେ, ଭୁଟାନରେ ଉପରମୁଣ୍ଡରେ ଆସିଥିବା ଆକସ୍ମିକ୍ ବନ୍ୟା ଯୋଗୁଁ ଆସାମର ଧୁବ୍ରୀ ଓ ପଶ୍ଚିମବଙ୍ଗର ଆଲିପୁରଦ୍ୱାର ଜିଲ୍ଲାରେ ଜଳସ୍ତର ଦ୍ରୁତଗତିରେ ବଢ଼ିପାରେ। ଘଟଣାର ୬ରୁ ୮ ଘଣ୍ଟା ମଧ୍ୟରେ ବନ୍ୟା ଜଳ ଭାରତ-ଭୁଟାନ ସୀମାରେ ପହଞ୍ଚିବାର ଆଶଙ୍କା ରହିଛି। ତେବେ ବର୍ତ୍ତମାନ ସୁଦ୍ଧା କୌଣସି ମୃତାହତଙ୍କ ଖବର ମିଳିନାହିଁ। ପ୍ରଶାସନ ପରିସ୍ଥିତି ଉପରେ ନିରନ୍ତର ନଜର ରଖିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
