ଭାରତକୁ ଆସିବାର ନିଷ୍ପତ୍ତି ଲାଗି ଗର୍ବିତ
"ଏଲି ଅବରାମ ଭାରତୀୟ ମନୋରଂଜନ ଶିଳ୍ପର ଜଣେ ଜଣାଶୁଣା ଚେହେରା।
ସେ ୨୦୧୨ରୁ ବଲିଉଡ୍ ଅଭିନେତ୍ରୀ ଭାବେ ସକ୍ରିୟ ଅଛନ୍ତି।
୩୫ ବର୍ଷୀୟା ଏଲିଙ୍କ ଜନ୍ମ କିନ୍ତୁ ସୁଦୂର ସ୍ବିଡେନ୍ରେ।
ସେ ସ୍କୁଲ୍ରେ ପଢ଼ୁଥିବା ବେଳେ ଟିଭିରେ "ଦେବଦାସ" ଚଳଚ୍ଚିତ୍ର ଦେଖି ମାଧୁରୀ ଓ ଐଶ୍ବର୍ଯ୍ୟାଙ୍କ ଭଳି ଅଭିନୟ ଓ ନୃତ୍ୟ କରିବାର ସ୍ବପ୍ନ ଦେଖିବା ଆରମ୍ଭ କରିଥିଲେ।
ସେତେବେଳେ ତାଙ୍କୁ ମାତ୍ର ୧୪ ବର୍ଷ ହୋଇଥିଲା।
୧୭ ବର୍ଷ ବୟସରେ ସେ ଷ୍ଟକ୍ହୋମ୍ର ଏକ ନୃତ୍ୟ ଦଳରେ ଯୋଗ ଦେଇ ବଲିଉଡ୍ ଗୀତରେ ନୃତ୍ୟ କରିବାର ସୁଯୋଗ ପାଇଲେ।
ବଲିଉଡ୍ ଅଭିନେତ୍ରୀ ପାଲଟିବାର ଆକର୍ଷଣ ଦିନକୁ ଦିନ ଦୁର୍ବାର ହେବାକୁ ଲାଗିଲା।
ଶେଷରେ ସେ ପରିଣାମ କଥା ଚିନ୍ତା ନକରି ୨୨ ବର୍ଷ ବୟସରେ ମୁମ୍ବାଇ ଚାଲିଆସିଲେ।
ଅନେକ ସଂଘର୍ଷ ପରେ ତାଙ୍କୁ ଏକ ବିଜ୍ଞାପନରେ କାମ କରିବାର ସୁଯୋଗ ମିଳିଲା।
ପ୍ରଥମ ବଡ଼ ସଫଳତା ମିଳିଲା ଯେତେବେଳେ ସେ ଅଡିସନ୍ ଦେଇ "ମିକି ଭାଇସର୍" ଚଳଚ୍ଚିତ୍ରର ନାୟିକା ଚରିତ୍ର ହାତେଇନେଲେ।Advertisment ଜଣେ ବିଦେଶିନୀ ହେଲେ ବି ତାଙ୍କୁ ସେବେଠାରୁ ଅନେକ ସୁଯୋଗ ଓ ସମ୍ମାନ ମିଳିଛି।
ସେହି କାରଣରୁ ସେ ଏବେ ପଛକୁ ଚାହିଁ ଭାରତ ଆସିବାର ନିଷ୍ପତ୍ତିକୁ ନେଇ ଗର୍ବ କରୁଛନ୍ତି ଏବଂ ଭାରତୀୟ ଚଳଚ୍ଚିତ୍ର ଶିଳ୍ପ ଓ ଦର୍ଶକଙ୍କୁ କୃତଜ୍ଞତା ପ୍ରକାଶ କରୁଛନ୍ତି।
ସେ କହିଛନ୍ତି ଯେ ଏଠାରେ ଯେତିକି ସଂଘର୍ଷ କରିବାକୁ ପଡ଼ିଛି ସେସବୁ ଅର୍ଥପୂର୍ଣ୍ଣ ଥିଲା।
ଯୁବା ବୟସରେ ନିଜ ଦେଶ ଛାଡ଼ି ଭାରତକୁ ଆସିବାର ଆଖିବୁଜା ନିଷ୍ପତ୍ତି ନେଇ ସେ ଗର୍ବିତ, କାରଣ ଭାରତରେ ରହିବାର ଅଭିଜ୍ଞତା ତାଙ୍କ ବ୍ୟକ୍ତିତ୍ବକୁ ଆକାର ଦେବାରେ ମଧ୍ୟ ବଡ଼ ଭୂମିକା ନିଭାଇଛି।
ସେହିପରି ବଲିଉଡ୍ ନିର୍ଦେଶକମାନେ ତାଙ୍କ ଉପରେ ଯେତିକି ଭରସା କରିଛନ୍ତି ଭାରତୀୟ ଦର୍ଶକମାନେ ମଧ୍ୟ ସେତିକି ଗ୍ରହଣ କରିଛନ୍ତି, ପ୍ରଶଂସା ଓ ସମର୍ଥନ ଅଜାଡ଼ି ଦେଇଛନ୍ତି ବୋଲି ସେ ଖୁବ୍ ଆଶ୍ବସ୍ତ।
ଏ ସବୁକିଛି ପାଇଁ ନିଜକୁ ଭାଗ୍ୟବତୀ ମନେ କରନ୍ତି ବୋଲି ସେ ମନ୍ତବ୍ୟ ଦେଇଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।