ବୋଇତ ବନ୍ଦାଣରେ ସାମିଲ ହେଲେ ସିଏମ୍
ନନ୍ଦିଘୋଷ ବ୍ୟୁରୋ: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ଐତିହାସିକ ‘ବୋଇତ ବନ୍ଦାଣ ଉତ୍ସବ’ ତଥା ପାରାଦୀପ ବନ୍ଦର ଦିବସ ସମାରୋହରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଅବସରରେ ସେ ଓଡ଼ିଶାର ଗୌରବମୟ ନୌ-ବାଣିଜ୍ୟ ପରମ୍ପରା, ସାମ୍ପ୍ରତିକ ଶିଳ୍ପ ଅଭିବୃଦ୍ଧି, ଭବିଷ୍ୟତର ସାମୁଦ୍ରିକ ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ଵ ଦେଇଛନ୍ତି। ପ୍ରାଚୀନ କଳିଙ୍ଗର ସାଧବପୁଅମାନେ ଦକ୍ଷିଣ-ପୂର୍ବ ଏସିଆର ଜାଭା, ସୁମାତ୍ରା, ବାଲି, ମିଆଁମାର, ଭିଏତନାମ, କାମ୍ବୋଡିଆ ଓ ଶ୍ରୀଲଙ୍କାକୁ ବାଣିଜ୍ୟ କରିବାକୁ ଯାଉଥିଲେ। ସାଂସ୍କୃତିକ ସମ୍ପର୍କ ବି ଯୋଡ଼ି ହୋଇଥିଲା। ବନ୍ଦର ଦିବସ ସମାରୋହ ଅବସରରେ ତାକୁ ମନେ ପକାଇଥିଲେ ମୁଖ୍ୟମନ୍ତ୍ରୀ। ‘ସମୃଦ୍ଧ ଓଡ଼ିଶା ୨୦୩୬’ ଲକ୍ଷ୍ୟ ହାସଲ ପାଇଁ ଆଗେଇ ଆସିବାକୁ ସେ ଆହ୍ଵାନ ଦେଇଥିଲେ।
କାର୍ତ୍ତିକ ମାସରୁ ସ୍ଥଳଭାଗରୁ ସମୁଦ୍ରକୁ ଅନୁକୂଳ ବାୟୁ ପ୍ରବାହିତ ହେଉଥିବାରୁ ପ୍ରାଚୀନ କାଳରେ ପାଲ-ଟଣା ଡଙ୍ଗା ମାଧ୍ୟମରେ ସମୁଦ୍ର ଯାତ୍ରା ସହଜ ହେଉଥିଲା। ସାଧବପୁଅମାନେ କେବଳ ବାଣିଜ୍ୟିକ ସାମଗ୍ରୀ ନୁହେଁ, ବରଂ ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ଦୂରଦେଶକୁ ନେଇଥିଲେ। ବାଲି ଦ୍ୱୀପରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ଉପସ୍ଥିତିରେ ପାଳିତ ହେଉଥିବା ବାଲିଯାତ୍ରା ଓ ବୋଇତ ବନ୍ଦାଣ ସହ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ କନଫରେନ୍ସିଂରେ କଥା ହୋଇଥିଲେ। ପୁଞ୍ଜି ନିବେଶ, ବନ୍ଦର କ୍ଷମତା ଓ ‘ସମୃଦ୍ଧ ଓଡ଼ିଶା ୨୦୩୬’ ଲକ୍ଷ୍ୟ ନେଇ ରାଜ୍ୟକୁ ପୁଞ୍ଜି ନିବେଶର ହବ୍ ଭାବେ ଗଢ଼ି ତୋଳିବାକୁ ଉଦ୍ୟମ ହୋଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
