ବିଶାଖାପାଟଣା ଷ୍ଟିଲ୍ ପ୍ଲାଣ୍ଟରେ ବିସ୍ଫୋରଣ ଘଟି ୮ ମୃତ

ବିସାଖାପାଟଣା: ଆନ୍ଧ୍ରପ୍ରଦେଶର ଭିସାଖାପାଟଣାସ୍ଥିତ ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡ୍ (ଆରଆଇଏନଏଲ୍) ଷ୍ଟିଲ୍ ପ୍ଲାଣ୍ଟରେ ବିସ୍ଫୋରଣ ଘଟି ୮ଜଣଙ୍କର ମୃତ୍ୟୁ ହୋଇଛି। ତରଳାଯାଇଥିବା ଲୁହାକୁ କାଷ୍ଟିଂ ୟୁନିଟ୍କୁ ନେବା ସମୟରେ ଏକ ବିଶାଳ ପାତ୍ର ହଠାତ୍ ବିସ୍ଫୋରଣ ହେବା ଫଳରେ ସେଠାରେ କାର୍ଯ୍ୟରତ ଜଣେ ମ୍ୟାନେଜର ଓ ୪ ଜଣ ନିୟମିତ କର୍ମଚାରୀଙ୍କ ସମେତ ସମୁଦାୟ ୮ ଜଣଙ୍କର ମୃତ୍ୟୁ ହେବା ସହ ଅନ୍ୟ ୬ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ମୃତକ ମାନେ ହେଉଛନ୍ତି ମ୍ୟାନେଜର ଗୋଲ୍ଡ କୁମାର, ନିୟମିତ କର୍ମଚାରୀ ଗୋନିଥା ଭାନୁ କୁମାର, ଜି ଭି ଆପାରାଓ, ଏମ୍ କ୍ରିଷ୍ଣା ନାଗୁ, କେ ପ୍ରଭାକର ରାଓ ଏବଂ ଚୁକ୍ତିଭିତ୍ତିକ ଶ୍ରମିକ ରମଣା, ତ୍ରିନାଥ, ଏନ୍ ଅପ୍ପାଲା ରାଜୁ। ପ୍ରାୟ ୧,୫୦୦ ଡିଗ୍ରୀ ସେଲସିୟସ୍ ତାପମାତ୍ରାରେ ଗରମ ଥିବା ୧୫୦ ଟନ୍ ତରଳ ଷ୍ଟିଲ୍ ଭର୍ତ୍ତି ପାତ୍ରଟି ଫାଟିଯିବାରୁ ପ୍ରାୟ ୫୦୦ ମିଟର ଅଞ୍ଚଳରେ ନିଆଁ ଓ ତରଳ ଧାତୁ ବିଛେଇ ହୋଇଯାଇଥିଲା, ଯାହାକି ଗତ ୧୪ ବର୍ଷ ମଧ୍ୟରେ ଏହି ୩୪ ବର୍ଷର ପୁରୁଣା ପ୍ଲାଣ୍ଟ ଇତିହାସରେ ସବୁଠାରୁ ବଡ଼ ଦୁର୍ଘଟଣା। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରି ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଓ ଆହତଙ୍କ ପାଇଁ ୫୦ ହଜାର ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।