ବିରଳ ଚିକିତ୍ସା

ନ୍ୟୁରୋଟେକ୍ନୋଲୋଜି କ୍ଷେତ୍ରରେ ଏକ ଐତିହାସିକ ଓ ବିପ୍ଳବାତ୍ମକ ସଫଳତା ସାମ୍ନାକୁ ଆସିଛି । ସୂଚନାଅନୁସାରେ ଏଲନ ମସ୍କଙ୍କ ‘ନ୍ୟୁରାଲିଙ୍କ୍’ ସହ ନିବିଡ଼ ସମ୍ପର୍କ ଥିବା ସାନ ଫ୍ରାନ୍ସିସ୍କୋର ଏକ ଲଞ୍ଜେଭିଟି ଷ୍ଟାର୍ଟଅପ୍ କମ୍ପାନୀ ‘କୋହେରେନ୍ସ ନ୍ୟୁରୋ’ କର୍କଟ ରୋଗର ଚିହ୍ନଟ ଓ ଚିକିତ୍ସା ପାଇଁ ଏକ ସ୍ୱତନ୍ତ୍ର ବ୍ରେନ୍ ଇମ୍ପ୍ଲାଣ୍ଟର ମାନବ ପରୀକ୍ଷଣ ଆରମ୍ଭ କରିଛି । ‘ୱାୟାର୍ଡ’ ରିପୋର୍ଟ ଅନୁଯାୟୀ, କମ୍ପାନୀ ଏହାର ପ୍ରମୁଖ ଡିଭାଇସ୍କୁ ତିନିଜଣ ସହମତି ପ୍ରକାଶ କରିଥିବା ରୋଗୀଙ୍କ ଶରୀରରେ ସଫଳତାର ସହ ପରୀକ୍ଷଣ କରିଛନ୍ତି । ତେବେ ପ୍ରଥମଥର ପାଇଁ ଏକ ବ୍ରେନ୍-କମ୍ପ୍ୟୁଟର ଇଣ୍ଟରଫେସ ମାଧ୍ୟମରେ ମାରାତ୍ମକ ଟ୍ୟୁମରର ବୈଦ୍ୟୁତିକ ସଙ୍କେତକୁ ଟ୍ରାକ୍ ଏବଂ ନଷ୍ଟ କରିବାରେ ବ୍ୟବହୃତ ହୋଇଛି । ଏହି ପ୍ରାରମ୍ଭିକ ପରୀକ୍ଷଣ ସମୟରେ, ଟ୍ୟୁମର ବାହାର କରିବା ପାଇଁ ସର୍ଜରୀ ହେଉଥିବା ରୋଗୀଙ୍କ ମସ୍ତିଷ୍କରେ ଏହି ବୋତାମ ଆକାରର ଇମ୍ପ୍ଲାଣ୍ଟକୁ ପ୍ରାୟ ୩୦ ମିନିଟ୍ ପାଇଁ ରଖାଯାଇ ସୁରକ୍ଷା ଓ ସଙ୍କେତର ସ୍ପଷ୍ଟତା ଯାଞ୍ଚ କରାଯିବା ପରେ ସାବଧାନତାର ସହ ବାହାର କରାଯାଇଥିଲା । ଗ୍ଲିଓବ୍ଲାଷ୍ଟୋମା ଭଳି ଏକ ଅତି ଆକ୍ରମଣାତ୍ମକ ଏବଂ ମାରାତ୍ମକ ମସ୍ତିଷ୍କ କର୍କଟର ଚିକିତ୍ସାକୁ ସହଜ କରିବା ଏହାର ମୂଳ ଲକ୍ଷ୍ୟ ଅଟେ। ଏହି ଇମ୍ପ୍ଲାଣ୍ଟର ବିଜ୍ଞାନ ଏହା ପ୍ରମାଣ କରେ ଯେ କର୍କଟ ଟିସୁଗୁଡ଼ିକ ଏକ ବୈଦ୍ୟୁତିକ ସକ୍ରିୟ ସତ୍ତା ଭାବେ କାର୍ଯ୍ୟ କରନ୍ତି ଏବଂ ସେମାନେ ନିଜର ବୃଦ୍ଧି ପାଇଁ ମସ୍ତିଷ୍କର ସୁସ୍ଥ ବାୟୋଇଲେକ୍ଟ୍ରିକାଲ ସଙ୍କେତକୁ ହାଇଜ୍ୟାକ୍ କରନ୍ତି । କମ୍ପାନୀର ଏହି ସ୍ୱତନ୍ତ୍ର ସିଷ୍ଟମ୍ ‘ଏସଓଏମଏ’ ଟ୍ୟୁମରର ସୂକ୍ଷ୍ମ ବୈଦ୍ୟୁତିକ ଗୁଣକୁ ପଢ଼ିବା ସହ ଏକ ନିର୍ଦ୍ଦିଷ୍ଟ ବୈଦ୍ୟୁତିକ ତରଙ୍ଗ ସୃଷ୍ଟି କରି ଟ୍ୟୁମରର ବିକାଶକୁ ରୋକିଥାଏ । ଏହି ମାଇକ୍ରୋ-ଇମ୍ପ୍ଲାଣ୍ଟ ସହିତ କାନ ଉପରେ ପିନ୍ଧାଯାଉଥିବା ଏକ କଏନ୍ ଆକାରର ଡିଭାଇସ୍ ଏବଂ ମୋବାଇଲ୍ ଆପ୍ଲିକେସନ୍ ଜଡ଼ିତ ରହିଛି । ଯାହା ଦ୍ୱାରା ଡାକ୍ତରମାନେ ଦୂରରେ ଥାଇ ମଧ୍ୟ ରୋଗୀର ତଥ୍ୟ ଉପରେ ନଜର ରଖିପାରିବେ ଏବଂ ରୋଗୀକୁ ବାରମ୍ବାର ହସ୍ପିଟାଲ୍ ନଯାଇ ମଧ୍ୟ ସହଜରେ ଚିକିତ୍ସା ଯୋଗାଇ ଦିଆଯାଇପାରିବ ।