ବାହୁଡା ଯାତ୍ରା ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ବୈଠକ
ଭୁବନେଶ୍ୱର : ବାହୁଡ଼ିବେ ଶ୍ରୀଜିଉ । ଆସନ୍ତା ୨୪ ତାରିଖରେ ହେବ ବାହୁଡ଼ାଯାତ୍ରା । ଏନେଇ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବଡ଼ ବୈଠକ ଅନୁଷ୍ଠିତ ହୋଇଯାଇଛି । ମହାପ୍ରଭୁଙ୍କ ବାହୁଡା ଯାତ୍ରା ବେଳେ ଭିଡ଼କୁ ସୁରୁଖୁରୁରେ ପରିଚାଳନା ଓ ସୂଚନା ସଞ୍ଚାର ଉପରେ ଅଧିକ ଗୁରୁତ୍ୱ ଦେବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହିତ ମୁଖ୍ୟମନ୍ତ୍ରୀ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ପ୍ରଶାସନ ଓ ପୋଲିସର ମାର୍ଗଦର୍ଶିକା ପାଳନ କରିବାକୁ ନିବେଦନ ମଧ୍ୟ କରିଛନ୍ତି ।
ଭିଡରେ ଜନଗହଳିକୁ କ୍ରାଉଡ ଡେନସିଟି ପଦ୍ଧତିରେ ଅନୁଧ୍ୟାନ କରିବାକୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ସିସିଟିଭିରୁ ମିଳୁଥିବା ସୂଚନାକୁ ଇଣ୍ଟିଗ୍ରେଟେଡ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ବ୍ୟବସ୍ଥା ଜରିଆରେ ସମସ୍ୟା ଥିବା ସ୍ଥାନକୁ ତୁରନ୍ତ ପ୍ରଦାନ କରାଗଲେ, ସମସ୍ୟାର ସମାଧାନ ହୋଇପାରିବ ।
ରଥଯାତ୍ରା ଠାରୁ ଆଜି ପର୍ଯ୍ୟନ୍ତ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ପ୍ରାୟତଃ ଠିକ୍ ଭାବରେ ପରିଚାଳିତ ହୋଇଛି । ପହଣ୍ଡି, ରଥଟଣା, ଦକ୍ଷିଣ ମୋଡ଼, ଆଡ଼ପ ମଣ୍ଡପ ଦର୍ଶନ ସମୟରେ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ନିୟମିତ ତଦାରଖ କରୁଛନ୍ତି । ସେବାୟତ ମାନଙ୍କ ନିଷ୍ଠା ଓ ସମର୍ପଣ ମନୋଭାବର ଉଚ୍ଚ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଦେଇଛନ୍ତି । ଲଗାଣ ବର୍ଷା, ପ୍ରତିକୂଳ ପାଗ, ଗରମ ଓ ଗୁଳୁଗୁଳି ସତ୍ତ୍ୱେ ଅଧିକାରୀ ଓ କର୍ମଚାରୀ ତଥା ଭକ୍ତମାନଙ୍କ ସେବା ଓ ସମର୍ପଣ କୌଣସି ମାତ୍ରାରେ ପ୍ରଭାବିତ ହୋଇନାହିଁ । ମହାପ୍ରଭୁଙ୍କ ସେବାରେ ସମସ୍ତ ଅଧିକାରୀ ଓ କର୍ମଚାରୀ ଟିମ୍ ସ୍ପିରିଟ ନେଇ କାମ କରୁଥିବାରୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଛନ୍ତି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।