ବାଲିଅନ୍ତା ସୌମ୍ୟରଞ୍ଜନ ହତ୍ୟାକାଣ୍ଡ : ୭୬୭ ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା କ୍ରାଇମ୍‌ବ୍ରାଞ୍ଚ

Aug 05, 2026 - 15:52
ବାଲିଅନ୍ତା ସୌମ୍ୟରଞ୍ଜନ ହତ୍ୟାକାଣ୍ଡ : ୭୬୭ ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା କ୍ରାଇମ୍‌ବ୍ରାଞ୍ଚ

ଭୁବନେଶ୍ୱର : ବାଲିଅନ୍ତା କନଷ୍ଟେବଳ ସୌମ୍ୟରଞ୍ଜନ ସ୍ବାଇଁ ଭିଡ଼ ହତ୍ୟା ଘଟଣା । ୧୧ ଅଭିଯୁକ୍ତଙ୍କ ବିରୋଧରେ ୭୬୭ ପୃଷ୍ଠାର ଏକ ବିସ୍ତୃତ ଚାର୍ଜସିଟ୍ ଦାଖଲ କରିଛି କ୍ରାଇମବ୍ରାଞ୍ଚ । ଦୀର୍ଘ ଦିନର ତଦନ୍ତ ପରେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟରେ ଚାର୍ଜସିଟ୍ ଦାଖଲ ହୋଇଛି । ୯  ଅଭିଯୁକ୍ତଙ୍କୁ ଚାର୍ଜସିଟ୍ ରୁ ବାଦ୍‌ ଦେଇଛି କ୍ରାଇମବ୍ରାଞ୍ଚ । ଏବେ ସୁଦ୍ଧା କିଛି ଅଭିଯୁକ୍ତ ଫେରାରଥିବା ଚାର୍ଜଶିଟ୍‌ରେ ଉଲ୍ଲେଖ ରହିଛି । ଏହି ମାମଲାରେ ପୂର୍ବରୁ ସମୁଦାୟ ୨୦ ଜଣଙ୍କୁ ଗିରଫ କରାଯାଇଥିଲା । କ୍ଲିନ ଚିଟ ପାଇଥିବା ବ୍ୟକ୍ତିମାନେ ହେଲେ ସନ୍ତୋଷ ପତି ଓରଫ ମଣ୍ଟୁ, ସୁରଜ ଓଝା, ସଂଗ୍ରାମ ଭୋଇ, ପ୍ରମୋଦ ଜେନା, ବଣ୍ଟି ଜେନା, ସୁରଜିତ ରଣା, ଅଭିଷେକ କର, ସଦାନନ୍ଦ ଖୁଣ୍ଟିଆ, ଏବଂ ବିକ୍ରମ କେଶରୀ ଦାସ ।

ଅନ୍ୟପକ୍ଷରେ, ଏହି ମାମଲାରେ ଗିରଫ ହୋଇଥିବା ଅବଶିଷ୍ଟ ୯ ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିଲା, ମାତ୍ର କ୍ରାଇମବ୍ରାଞ୍ଚ ତଦନ୍ତ ସମୟରେ ସେମାନଙ୍କ ବିରୋଧରେ କୌଣସି ପ୍ରମାଣ ମିଳିନାହିଁ । ତେଣୁ ଏହି ୯ ଜଣଙ୍କ ନାମରେ ହୋଇଥିବା ଅଭିଯୋଗ ଗ୍ରହଣୀୟ ନୁହେଁ ବୋଲି କ୍ରାଇମବ୍ରାଞ୍ଚ କୋର୍ଟରେ ସ୍ପଷ୍ଟ କରିଛି । ସୌମ୍ୟଙ୍କ ହତ୍ୟା ପରେ ଅଞ୍ଚଳରେ ଦେଖାଦେଇଥିବା ଜନ ଅସନ୍ତୋଷ ଏବଂ ପୋଲିସର ପ୍ରାଥମିକ ତଦନ୍ତକୁ ନେଇ ଉଠିଥିବା ପ୍ରଶ୍ନ ପରେ ମାମଲାଟି କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା । ବର୍ତ୍ତମାନ ଏହି ବିସ୍ତୃତ ଚାର୍ଜସିଟ୍ ଦାଖଲ ହେବା ପରେ ମାମଲାର ପରବର୍ତ୍ତୀ ବିଚାର ପ୍ରକ୍ରିୟା କୋର୍ଟରେ ଆରମ୍ଭ ହେବ ।

ସୂଚନାନୁସାରେ, ଗତ ମେ’ ୭ ତାରିଖରେ ବାଲିଅନ୍ତା ଥାନା ଅଞ୍ଚଳରେ ଘଟିଥିଲା ବର୍ବରୋଚିତ ହତ୍ୟାକାଣ୍ଡ । ଭିଡ଼ ଭିତରେ ଜିଆରପି କନେଷ୍ଟବଳ ସୌମ୍ୟରଂଜନ ସ୍ୱାଇଁଙ୍କୁ ପିଟି ପିଟି ହତ୍ୟା କରାଯାଇଥିଲା । ଏହି ଅମାନୁଷିକ କାଣ୍ଡରେ ସ୍ୱର ଓଡିଶା ହୁଲସ୍ତୁଲ ହୋଇଥିଲା । ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦେଇଥିଲେ । ତଦନ୍ତକାରୀ ଅଧିକାରୀ ଡିଏସ୍‌ପି ରତ୍ନପ୍ରଭା ଶତପଥୀ ସମସ୍ତ ପ୍ରତ୍ୟକ୍ଷଦର୍ଶୀ ସାକ୍ଷ୍ୟ, ପ୍ରମାଣ, ବୈଜ୍ଞାନିକ ଓ ପାରିପାର୍ଶ୍ୱିକ ପ୍ରମାଣ ସଂଗ୍ରହ କରିବା ପରେ ନିର୍ଦ୍ଧାରିତ ସମୟ ମଧ୍ୟରେ କୋର୍ଟରେ ଚାର୍ଜଶିଟ୍‌ ଦାଖଲ କରିଛନ୍ତି। ଅଭିଯୁକ୍ତମାନଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା (BNS), ୨୦୨୩ର ଦଫା ୧୦୩(୧), ୧୯୧(୨), ୧୯୧(୩), ୧୮୯(୪), ୧୯୦, ଏବଂ ୧୨୭(୨) ଅଧୀନରେ ମାମଲା ରୁଜୁ କରାଯାଇଛି ।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।