୧୫ ହଜାର ଫୁଟ ଉଚ୍ଚରେ ଆଙ୍କୁଛନ୍ତି ଟାଟୁ
ଆମେରିକାର ୩୮ ବର୍ଷୀୟ ଟାଟୁ ଆର୍ଟିଷ୍ଟ ଫଙ୍କି ମାଟସ୍ ଫ୍ଲୋରିଡାରେ ଏକ ଅଦ୍ଭୁତ କାରନାମା କରି ଗିନିଜ୍ ୱାର୍ଲ୍ଡ ରେକର୍ଡସ୍ ସୃଷ୍ଟି କରିଛନ୍ତି । ସେ ୧୫ ହଜାର ଫୁଟ୍ ଉଚ୍ଚତାରେ ସ୍କାଇଡାଇଭିଂ କରୁଥିବା ବେଳେ ଘଣ୍ଟା ପ୍ରତି ପ୍ରାୟ ୧୨୦ ମାଇଲ୍ ବେଗରେ ତଳକୁ ଖସୁଥିବା ସମୟରେ ନିଜ ହାତରେ ଇଂରାଜୀ ଶବ୍ଦ ଫ୍ଲାଏର ଟାଟୁ ଆଙ୍କିଛନ୍ତି । ପ୍ରବଳ ପବନରେ ଟାଟୁ ମେସିନ୍ ଯେପରି ଉଡ଼ି ନଯାଏ ସେଥିପାଇଁ ସେ ମେସିନ୍କୁ ନିଜ ହାତରେ ଟେପ୍ ସାହାଯ୍ୟରେ ବାନ୍ଧି ରଖିଥିବା ଦେଖିବାକୁ ମିଳିଥିଲା । ତେବେ ଥଣ୍ଡା ପବନରେ ଟାଟୁ କାଳି କିଭଳି ଜମାଟ ନ ବାନ୍ଧିବ, ତାହା ତାଙ୍କ ପାଇଁ ସବୁଠାରୁ ବଡ଼ ଆହ୍ୱାନ ଥିଲା । ଏହାକୁ ସବୁଠାରୁ ଅଧିକ ଉଚ୍ଚତାରେ ସ୍କାଇଡାଇଭିଂ ବେଳେ ନିଜକୁ ଟାଟୁ କରିବାର ରେକର୍ଡ ଭାବରେ ସ୍ୱୀକୃତି ମିଳିଛି । ସୂଚନାଯୋଗ୍ୟ ଯେ, ଫଙ୍କି ମାଟସ୍ ପୂର୍ବରୁ ମଧ୍ୟ ନିଜ ଶରୀରରେ ୱିଲ୍ ସ୍ମିଥ୍, ୫୦ ସେଣ୍ଟ, ଲୋଗାନ୍ ପଲ୍ ଏବଂ ବିଶ୍ୱର ସବୁଠାରୁ ଛୋଟ ମହିଳା ଜ୍ୟୋତି ଆମଗେଙ୍କ ସମେତ ମୋଟ ୨୭୩ ଜଣଙ୍କ ଅଟୋଗ୍ରାଫକୁ ଟାଟୁ କରି ରେକର୍ଡ କରିସାରିଛନ୍ତି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।