ପତିତପାବନ ଯାତ୍ରା

Jul 16, 2026 - 12:29
ପତିତପାବନ ଯାତ୍ରା

 

ସଜେଇ ହୋଇଛି ବଡ଼ଦାଣ୍ଡ। ମହାବାହୁଙ୍କୁ ସ୍ୱାଗତ କରିବା ପାଇଁ ରଥ, ପଥ ଓ ଭକ୍ତ ସମସ୍ତେ ପ୍ରସ୍ତୁତ। ସମସ୍ତଙ୍କ ପତିତ ହରଣ ପାଇଁ, ଦର୍ଶନ ଦେବାକୁ  ରଥରେ ଉଭା ହେବେ ପତିତପାବନ ।

 

ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ପ୍ରାଚୀନତାକୁ ନେଇ ଅନେକ ସମୟରେ ଚର୍ଚ୍ଚା ହୋଇଥାଏ । ଏହାର ବର୍ଣ୍ଣନା ବିଭିନ୍ନ ପୁରାଣ ଓ ବେଦରେ ରହିଛି । ଋକବେଦରେ ଥିବା ବର୍ଣ୍ଣନା ଅନୁସାରେ ସୂର୍ଯ୍ୟଦେବ ସବୁବେଳେ ରଥରେ ଯାତ୍ରା କରିଥାଆନ୍ତି । ତେବେ ଶ୍ରୀଜିୟୁଙ୍କର ରଥଯାତ୍ରା ବା ଘୋଷଯାତ୍ରା ପୃଥିବୀ ପ୍ରସିଦ୍ଧ । ଏହା ଜଗନ୍ନାଥଙ୍କର ଦ୍ୱାଦଶ ଯାତ୍ରା ମଧ୍ୟରୁ ଗୋଟିଏ । ଏହା ଠାକୁରଙ୍କର ସର୍ବଶ୍ରେଷ୍ଠ ପର୍ବ ବୋଲି ବିବେଚନା କରାଯାଇଥାଏ । ଓଡ଼ିଆ ଜାତିର ସାଂସ୍କୃତିକ ଜୀବନର ମୁଖ୍ୟ ଧାରା ରୂପେ ଏହା ଗୃହୀତ । ଏହି ଯାତ୍ରାର ବର୍ଣ୍ଣନା ବ୍ରହ୍ମ ପୁରାଣ, ନାରଦ ପୁରାଣ, କପିଳା ସଂହିତା, ସ୍କନ୍ଦ ପୁରାଣ, ନାରଦ ପୁରାଣ, ବାମଦେବ ସଂହିତା, ନୀଳାଦ୍ରି ମହୋଦୟ ଆଦି ପ୍ରାଚୀନ ପୁରାଣମାନଙ୍କରେ ରହିଛି । ଏହାର ଆରମ୍ଭ ନେଇ ସେଭଳି କୌଣସି ତଥ୍ୟ ନଥିଲେ ମଧ୍ୟ ଏହା ବହୁ ପ୍ରାଚୀନ ବୋଲି ତଥ୍ୟ ରହିଛି । ଏହାର ଆରମ୍ଭକୁ ନେଇ ଅନେକ ବର୍ଣ୍ଣନା ରହିଛି । ବିଭିନ୍ନ ପୁରାଣ ଓ ବିଭିନ୍ନ ଲେଖକ ଏହାକୁ ନେଇ ଅନେକ ନୂଆନୂଆ ତଥ୍ୟ ରଖିଛନ୍ତି ।   ରଥଯାତ୍ରାର ପ୍ରଚଳନ ନେଇ ଭିନ୍ନଭିନ୍ନ ମତ ସବୁବେଳେ ରହିଆସିଛି। କେତେକ ଗବେଷକଙ୍କ ମତରେ ଜଗନ୍ନାଥ ଆଦିବାସୀ ଶବରମାନଙ୍କ ଦେବତା ହୋଇଥିବାରୁ ଏହି ରଥଯାତ୍ରା ପଛରେ ସେମାନଙ୍କ ଏକ ପରମ୍ପରା ପ୍ରେରଣା ଯୋଗାଉଛି । ଆମ୍ବ ପାଚିଲାପରେ ଆଷାଢମାସର ପ୍ରଥମେ ଆଦିବାସୀଙ୍କର ଏକ ପୂଜାର ଆୟୋଜନ କରାଯାଇଥାଏ । ଯେଉଁଥିରେ ଏକ ଚାରିଚକିଆ ଛୋଟ ରଥ କରାଯାଇ ସେଥିରେ ଗାଁ ମୁଣ୍ଡ ଠାକୁରାଣୀଙ୍କୁ ଦୁଇ ଠାକୁରଙ୍କ ମଝିରେ ବସାଯାଇ ରଥଯାତ୍ରା ଭଳି ବୁଲା ଯାଇଥାଏ । ଏଥିରେ ଠାକୁରାଣୀଙ୍କର ସମସ୍ତ ଆସବାବ ପତ୍ର ଯିବାର ବ୍ୟବସ୍ଥା ମଧ୍ୟ ରହିଥାଏ । ଯାହାର ସାମଞ୍ଜସ୍ୟ ପୁରୀର ରଥଯାତ୍ରା ସହିତ ରହିଛି । ଏହି ଯାତ୍ରାକୁ ରଥଯାତ୍ରାର ଆରମ୍ଭ ଯାତ୍ରା ବୋଲି କିଛି ଗବେଷକ ମତ ଦେଇଥାଆନ୍ତି । ଆଦିବାସୀ ସମ୍ପ୍ରଦାୟର ଠାକୁର ମଧ୍ୟ କାଠରେ ପ୍ରସ୍ତୁତି ହୋଇଥିବାବେଳେ ଏମାନଙ୍କର ହାତ ଗୋଡ ନଥାଏ । ସେହିଭଳି କିଛି ଗବେଷକଙ୍କ ମତରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ବୌଦ୍ଧ ପରମ୍ପରାର ସୃଷ୍ଟି । ଜଗନ୍ନାଥଙ୍କର କାଠ ମୂର୍ତ୍ତିର ନିର୍ମାଣ ସରିବା ପରେ ବୌଦ୍ଧ ପ୍ରଥା ଅନୁସାରେ ତାଙ୍କର ସ୍ନାନଯାତ୍ରା, ରଥଯାତ୍ରା ପ୍ରଭୃତି ଆରମ୍ଭ ହୋଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।