ନିୟମିତ ହେବେ ଠିକା କର୍ମଚାରୀ , ଗଠନ ହେଲା କମିଟି

Jul 09, 2026 - 11:45
ନିୟମିତ ହେବେ ଠିକା କର୍ମଚାରୀ , ଗଠନ ହେଲା କମିଟି

ଭୁବନେଶ୍ୱର : ଠିକା କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଦୀର୍ଘବର୍ଷ ଧରି କାର୍ଯ୍ୟରତ ଠିକା କର୍ମଚାରୀଙ୍କୁ ନିୟମିତ କରାଯିବ । ଦୀର୍ଘଦିନ ଧରି ସେମାନଙ୍କ ଦାବିକୁ ମାନି ନେଇଛନ୍ତି ରାଜ୍ୟସରକାର । ଏହାକୁ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜୁଲାଇ ୬ରେ ଏକ ଉଚ୍ଚସ୍ତରୀୟ ଯାଞ୍ଚ କମିଟି ଗଠନ କରାଯାଇଛି । ଏନେଇ ବିଭାଗୀୟ ଅତିରିକ୍ତ ସଚିବ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ନିର୍ଦ୍ଦେଶନାମାରେ  ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଯାଞ୍ଚ କମିଟି ଗଠନ ହେବାକୁ ରହିଥିବାବେଳେ ସାଧାରଣ ପ୍ରଶାସନ, ଜଳସମ୍ପଦ, ଆଇନ ଏବଂ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ସଚିବ ସଦସ୍ୟ ରହିବେ। ଉକ୍ତ କମିଟି ବିଭିନ୍ନ ବିଭାଗରେ ଆଡହକ୍‌ କିମ୍ବା ଚୁକ୍ତିଭିତ୍ତିକ ଭାବେ କାର୍ଯ୍ୟରତ କର୍ମଚାରୀଙ୍କ ନିୟମିତକରଣ ଲାଗି ସରକାରଙ୍କ ନୀତିଗତ ଢାଞ୍ଚା ଏବଂ ଆଇନଗତ ସ୍ଥିତିକୁ ପରୀକ୍ଷା କରିବ। 

ଠିକା ନିଯୁକ୍ତି ବେଳେ ସରକାରଙ୍କ ନିଯୁକ୍ତି ନିୟମ ଠିକ୍‌ ଭାବେ ବିଭାଗଗୁଡ଼ିକ କାର୍ଯ୍ୟକାରୀ କରିଛନ୍ତି କି ନାହିଁ ତାହା ମଧ୍ୟ ପରଖିବ। ଏଥିସହିତ ଗ୍ରୁପ୍‌ ବି’, ସି’ ଓ ଡି’ ପଦବୀ(ଚୁକ୍ତିଭିତ୍ତିକ ନିଯୁକ୍ତି) ନିୟମ-୨୦୧୩ ପ୍ରଣୟନ ପୂର୍ବରୁ କରାଯାଇଥିବା ନିଯୁକ୍ତି ମାମଲାଗୁଡ଼ିକର ଯାଞ୍ଚ କରିବ।

ସୂଚନାଯୋଗ୍ୟ, ୨୦୨୨ ଅକ୍ଟୋବରରେ ପୂର୍ବ ସରକାରଙ୍କ ସମୟରେ ଠିକାପ୍ରଥା ସମ୍ପୂୂର୍ଣ୍ଣ ଉଚ୍ଛେଦ ହେଲା ବୋଲି କୁହାଗଲା । ଏହାକୁ ନେଇ ସେତେବେଳେ ୫୭ ହଜାର କର୍ମଚାରୀଙ୍କୁ ନିୟମିତ କରାଯାଇଥିଲା। ମାତ୍ର ବିଭିନ୍ନ ବିଭାଗର ପ୍ରାୟ ୬୦ ହଜାରରୁ ଊର୍ଦ୍ଧ୍ୱ କର୍ମଚାରୀ ଏହି ନିୟମିତ ପ୍ରକ୍ରିୟାରୁ ବଞ୍ଚିତ  ହୋଇଥିଲେ । ଏହାକୁ ନେଇ ବିଭିନ୍ନ ସମୟରେ ଦାବି ଆନ୍ଦୋଳନ ହୋଇଆସୁଥିଲା । ପରେ ସରକାରଙ୍କ ଦ୍ୱାରା ଏହି ପ୍ରକ୍ରିୟା ଆରମ୍ଭ ହୋଇଥିବା ବିଭିନ୍ନ ସଂଘ ପକ୍ଷରୁ କୁହାଯାଇଛି।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।