ଚଳିତବର୍ଷ ରଥଯାତ୍ରାରେ ଖାଦ୍ୟ ବଣ୍ଟନ ପାଇଁ ୬ଟି କର୍ପୋରେଟ ସଂସ୍ଥାକୁ ଅନୁମତି

ଭୁବନେଶ୍ୱର : ଚଳିତବର୍ଷ ରଥଯାତ୍ରାରେ ପୁରୀ ଠାରେ ୪୬୬ ଟି ସଂସ୍ଥା ଭକ୍ତମାନଙ୍କୁ ଖାଦ୍ୟ, ପାନୀୟ ଆଦି ବଣ୍ଟନ କରିବେ । ଏମାନଙ୍କ ମଧ୍ୟରେ ୬ଟି କର୍ପୋରେଟ ସଂସ୍ଥାଙ୍କୁ ଅନୁମତି ପ୍ରଦାନ କରାଯାଇଛି ।
ରଥଯାତ୍ରା ସମୟରେ ପୁରୀକୁ ଆସୁଥିବା ଭକ୍ତମାନଙ୍କୁ ବିନା ମୂଲ୍ୟରେ ଖାଦ୍ୟ ପାନୀୟ ଯୋଗାଇବାପାଇଁ ୫୧୫ଟି ସଂସ୍ଥା ଆବେଦନ କରିଥିଲେ । ଏମାନଙ୍କ ମଧ୍ୟରୁ ୪୬୬ଟି ସଂସ୍ଥାଙ୍କୁ ଅନୁମତି ପ୍ରଦାନ କରାଯାଇଛି । ଏହା ମଧ୍ୟରେ ରହିଛନ୍ତି ୬ଟି କର୍ପୋରେଟ ସଂସ୍ଥା ।
ମିଳିଥିବା ସୂଚନା ଅନୁଯାୟୀ ସିଂହଦ୍ୱାର ଠାରୁ ମାର୍କେଟ ଛକ ପର୍ଯ୍ୟନ୍ତ କେବଳ ଶୁଖିଲା ଖାଦ୍ୟ, ପାଣି ଓ ସରବତ ବଣ୍ଟନ ପାଇଁ ଅନୁମତି ଦିଆଯାଇଛି । ଏହି ଅଞ୍ଚଳ ବାହାରେ ଭକ୍ତମାନଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯିବ । ତେବେ ୨୮୧ ସଂସ୍ଥାଙ୍କୁ ରନ୍ଧାଖାଦ୍ୟ ଓ ପାନୀୟଜଳ ଯୋଗାଣ ପାଇଁ ଅନୁମତି ପ୍ରଦାନ କରାଯାଇଥିବାବେଳେ ୬ଟି କର୍ପୋରେଟ ସଂସ୍ଥାକୁ ରନ୍ଧାଖାଦ୍ୟ, ଶୁଖିଲା ଖାଦ୍ୟ ଓ ପାନୀୟଜଳ ଯୋଗାଇ ଦିଆଯିବ । ୩୪ଟି ସଂସ୍ଥାଙ୍କୁ କେବଳ ପାନୀୟଜଳ ବଣ୍ଟନ ପାଇଁ ଅନୁମତି ମିଳିଥିବାବେଳେ ୧୦୪ଟି ସଂସ୍ଥାଙ୍କୁ ଶୁଖିଲା ଖାଦ୍ୟ ସହିତ ପାନୀୟଜଳ ବଣ୍ଟନ ଅନୁମତି ମିଳିଛି । ଗୋଟିଏ ସଂସ୍ଥାକୁ ରସଗୋଲା ବଣ୍ଟନ ପାଇଁ ଅନୁମତି ଏବଂ ୪୦ଟି ସଂସ୍ଥାକୁ ସରବତ, ଦହି, ଚା ଓ ଅନୁରୂପ ଅନ୍ୟାନ୍ୟ ପାନୀୟ ଯୋଗାଣ ପାଇଁ ପ୍ରଶାସନ ଅନୁମତି ପ୍ରଦାନ କରିଛି ।
ଅନୁମତି ପାଇଥିବା କର୍ପୋରେଟ ସଂସ୍ଥା ମଧ୍ୟରେ ଆଇଆରଟି ଲିମିଟେଡ ଗୁଣ୍ଡିଚାରୁ ବାହୁଡା, ନାଲକୋ ଗୁଣ୍ଡିଚାରେ, ରିଲାୟନ୍ସ ଗୁଣ୍ଡିଚା ଠାରୁ ନିଳାଦ୍ରୀ ବିଜେ, ଆଇଆରଇଡିଏ ଗୁଣ୍ଡିଚାରୁ ବାହୁଡା, ଇମ୍ଫା ବାହୁଡାରେ, ଏଆରଏସଏସ୍ ଗୁଣ୍ଡିଚାରୋ ଓ ଜିନ୍ଦଲ ଗୁଣ୍ଡିଚାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ଭକ୍ତମାନଙ୍କୁ ରନ୍ଧାଖାଦ୍ୟ, ଶୁଖିଲା ଖାଦ୍ୟ ଓ ପାନୀୟଜଳ ବଣ୍ଟନ ପାଇଁ ଅନୁମତି ପ୍ରଦାନ କର।।ଯାଇଛି ।
ଅନୁମତି ପାଇଥିବା ସଂସ୍ଥାଗୁଡିକ ହାରାହାରି ୭ଲକ୍ଷ ୫୦ହଜାର ପାଣି ବୋତଲ ବଣ୍ଟନ କରିବେ ବୋଲି କର୍ତ୍ତୃପକ୍ଷ ଆକଳନ କରିଛନ୍ତି । ତେବେ ରନ୍ଧାଖାଦ୍ୟ ବଣ୍ଟନ କରୁଥିବା ସଂସ୍ଥାମାନେ ପୂର୍ବବର୍ଷଗୁଡିକରେ ଖାଦ୍ୟ ବଣ୍ଟନସ୍ଥଳରେ ପ୍ଲେଟ ଓ ଜରିମୁଣା ଗଦାକରି ରଖୁଥିବାରୁ ଚଳିତବର୍ଷ ଯେଭଳି ଏହା ନହୁଏ ତାହା ଉପରେ କଡା ନଜର ରଖାଯାଇଛି । ସେହିଭଳି ଲକ୍ଷାଧିକ ପ୍ଲାଷ୍ଟିକ ପାଣି ବୋତଲକୁ ରିସାଇକ୍ଲିଂ କରାଯିବ ସେଥିପାଇଁ ମଧ୍ୟ ବିଭିନ୍ନ ସଂସ୍ଥାଙ୍କ ସହଯୋଗରେ ମେସିନ ସ୍ଥାପନ ହୋଇଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।