ଧୂଆଁର ଚାଦର ତଳେ ଦିଲ୍ଲୀ, ବିପଦରେ ଲକ୍ଷ ଲକ୍ଷ ଲୋକଙ୍କ ସ୍ୱାସ୍ଥ୍ୟ

Nov 08, 2026 - 15:53
ଧୂଆଁର ଚାଦର ତଳେ ଦିଲ୍ଲୀ, ବିପଦରେ ଲକ୍ଷ ଲକ୍ଷ ଲୋକଙ୍କ ସ୍ୱାସ୍ଥ୍ୟ

ନନ୍ଦିଘୋଷ ବ୍ୟୁରୋ: ଆଲୋକର ପର୍ବ ଦୀପାବଳି। ଚାରିଆଡ଼େ ଦୀପର ଆଲୋକ, ରଙ୍ଗବେରଙ୍ଗ ଆତସବାଜି ସାଙ୍ଗକୁ ଉତ୍ସବର ମାହୋଲ୍। କିନ୍ତୁ ଏହି ଆଲୋକର ପର୍ବ ମଧ୍ୟରେ ଦେଶର ରାଜଧାନୀ ଦିଲ୍ଲୀ ପାଇଁ ଏବେ ଚିନ୍ତାର କାରଣ ପାଲଟିଛି ବିଷାକ୍ତ ବାୟୁ। ଦୀପାବଳିରେ ଦିଲ୍ଲୀର ବାୟୁମଣ୍ଡଳରେ ବଢ଼ିଛି ପ୍ରଦୂଷଣର ମାତ୍ରା। ଆକାଶରେ ଧୂଆଁର ଘନ ଆସ୍ତରଣ। ରାସ୍ତାଘାଟରୁ ଆରମ୍ଭ କରି ଉଚ୍ଚ ଅଟ୍ଟାଳିକା ପର୍ଯ୍ୟନ୍ତ ସବୁକିଛି କୁହୁଡ଼ି ଓ ଧୂଆଁର ଚାଦର ଭିତରେ ଲୁଚି ଯାଇଥିବା ଭଳି ଦେଖାଯାଉଛି।

ସବୁଠାରୁ ଚିନ୍ତାଜନକ କଥା ହେଉଛି, ଦୀପାବଳିର ଖୁସି ମଧ୍ୟରେ ଲୋକଙ୍କ ନିଶ୍ୱାସ ନେବା ମଧ୍ୟ କଷ୍ଟକର ହୋଇପଡ଼ିଛି। ରବିବାର ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ ବା AQI ପ୍ରାୟ ୩୮୩ରୁ ୩୮୪ ମଧ୍ୟରେ ରେକର୍ଡ ହୋଇଥିବା ରିପୋର୍ଟ ଆସିଛି । କେତେକ ସ୍ଥାନରେ ଏହା ୪୦୦ ଅତିକ୍ରମ କରିଛି। ଏହି ସଂଖ୍ୟା କେବଳ ଏକ ତଥ୍ୟ ନୁହେଁ, ବରଂ ଦିଲ୍ଲୀବାସୀଙ୍କ ପାଇଁ ଏକ ବଡ଼ ସତର୍କ ସଙ୍କେତ। କାରଣ AQI ୩୦୧ରୁ ୪୦୦ ମଧ୍ୟରେ ରହିଲେ ତାହାକୁ ଅତି ଖରାପ ବା Very Poor ବର୍ଗରେ ରଖାଯାଏ। ୪୦୧ରୁ ୫୦୦ ହେଲେ ଏହା ଗମ୍ଭୀର ବା Severe ବର୍ଗକୁ ଚାଲିଯାଏ। ଦିଲ୍ଲୀର ପ୍ରଦୂଷଣ ପଛରେ କେବଳ ଗୋଟିଏ କାରଣ ନାହିଁ। ଯାନବାହନରୁ ବାହାରୁଥିବା ଧୂଆଁ, ଶିଳ୍ପ କାରଖାନାର ପ୍ରଦୂଷଣ, ନିର୍ମାଣ କାର୍ଯ୍ୟରୁ ଉଡୁଥିବା ଧୂଳି, ପଡ଼ୋଶୀ ରାଜ୍ୟରେ ନଡ଼ା ଜଳାଇବା ଓ ଆତସବାଜିର ଧୂଆଁ ଏହି ସମସ୍ୟାକୁ ଆହୁରି ଜଟିଳ କରୁଛି।

ଏହା ସହ ଶୀତ ଋତୁରେ ପବନର ବେଗ କମିବା ଓ ବାୟୁମଣ୍ଡଳର ସ୍ଥିତି ଯୋଗୁଁ ପ୍ରଦୂଷିତ କଣିକା ସହଜରେ ବିସ୍ତାର ହୋଇପାରେ ନାହିଁ। ଫଳରେ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଧୂଆଁ ଜମି ରହିଥାଏ । ଏହି ପ୍ରଦୂଷଣର ସବୁଠାରୁ ଅଧିକ ପ୍ରଭାବ ପଡ଼ିପାରେ ଶିଶୁ, ବୟସ୍କ, ଗର୍ଭବତୀ ମହିଳା ଓ ଶ୍ୱାସକ୍ରିୟା ସମସ୍ୟା ଥିବା ଲୋକଙ୍କ ଉପରେ। ବାୟୁରେ ଥିବା PM2.5 ଭଳି ଅତି ସୂକ୍ଷ୍ମ ପ୍ରଦୂଷିତ କଣିକା ଫୁସଫୁସର ଗଭୀର ଭାଗକୁ ପହଞ୍ଚିପାରେ। ଏହା ଦ୍ୱାରା କାଶ, ଆଖି ଜଳିବା, ଗଳା ଯନ୍ତ୍ରଣା ଓ ଶ୍ୱାସ ନେବାରେ ଅସୁବିଧା ଭଳି ସମସ୍ୟା ଦେଖାଦେଇପାରେ। ଦିଲ୍ଲୀର ରାସ୍ତାରେ ମାସ୍କ ପିନ୍ଧି ଯାଉଥିବା ଲୋକଙ୍କ ଦୃଶ୍ୟ ଏବେ ସହରର ପ୍ରଦୂଷଣ ସମସ୍ୟାର ଗମ୍ଭୀରତାକୁ ସାମ୍ନାକୁ ଆଣୁଛି। ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଧୂଳି ନିୟନ୍ତ୍ରଣ, ରାସ୍ତାରେ ପାଣି ସିଞ୍ଚନ, ଆଣ୍ଟି ସ୍ମଗ୍ ଗନ୍‌ର ବ୍ୟବହାର, ନିର୍ମାଣ କାର୍ଯ୍ୟ ଉପରେ ନିୟନ୍ତ୍ରଣ ଓ ଯାନବାହନ ନିୟମକୁ କଡ଼ାକଡ଼ି କରିବା ଭଳି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ।

କିନ୍ତୁ ପ୍ରଶ୍ନ ହେଉଛି, ପ୍ରତିବର୍ଷ ଶୀତ ଆସିଲେ ଦିଲ୍ଲୀ କାହିଁକି ପ୍ରଦୂଷଣର ଏଭଳି ଜାଲରେ ଫସିଯାଉଛି? କାହିଁକି ଏହାର ସ୍ଥାୟୀ ସମାଧାନ ହୋଇପାରୁନାହିଁ? ଦୀପାବଳି ଆଲୋକର ପର୍ବ ନା ଧୂଆଁର ପର୍ବ? ଦୀପାବଳି ଆମକୁ ଅନ୍ଧକାରରୁ ଆଲୋକ ଆଡ଼କୁ ଯିବାର ବାର୍ତ୍ତା ଦିଏ। କିନ୍ତୁ ଉତ୍ସବ ପାଳନ କରିବା ସହିତ ଆମ ପରିବେଶ ଓ ସ୍ୱାସ୍ଥ୍ୟର ସୁରକ୍ଷା ମଧ୍ୟ ଆମର ଦାୟିତ୍ୱ। ଆଜି ଦିଲ୍ଲୀର ପରିସ୍ଥିତି ଆମ ସମସ୍ତଙ୍କ ପାଇଁ ଏକ ବଡ଼ ଚେତାବନୀ। ପ୍ରଦୂଷଣ କୌଣସି ଗୋଟିଏ ସହରର ସମସ୍ୟା ନୁହେଁ, ଏହା ସମଗ୍ର ମାନବ ସମାଜ ଓ ଆଗାମୀ ପିଢ଼ିର ଭବିଷ୍ୟତ ସହ ଜଡ଼ିତ। ତେଣୁ ପ୍ରଶ୍ନ ଉଠୁଛି— ଦିଲ୍ଲୀ କେବେ ଏହି ବିଷାକ୍ତ ବାୟୁରୁ ମୁକ୍ତି ପାଇବ? ଆଉ କେତେଦିନ ଏଭଳି ଧୂଆଁ ଭିତରେ ନିଶ୍ୱାସ ନେବେ ରାଜଧାନୀବାସୀ? ଏବେ ସମୟ ଆସିଛି କେବଳ ଦୀପ ଜଳାଇବାର ନୁହେଁ, ବରଂ ପରିବେଶକୁ ସୁରକ୍ଷିତ ରଖିବାର ସଂକଳ୍ପ ନେବାର।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)