ତ୍ରିପୁରି
ସାମଗ୍ରୀ
ମଇଦା: ୨୦୦ ଗ୍ରାମ, ଘିଅ : ୨ ବଡ଼ ଚାମଚ, ଲୁଣ, ପାଣି, କୋରା ନଡ଼ିଆ : ୧୦୦ ଗ୍ରାମ, ଗୁଡ଼ : ୧୩୦-୧୫୦ ଗ୍ରାମ, ଗୋଲମରିଚ, ଅଳେଇଚ ମଞ୍ଜି, ମଇଦା : ୧ ବଡ଼ ଚାମଚ, ଘିଅ ।
ପ୍ରସ୍ତୁତି
ପ୍ରଥମେ ଏକ ପାତ୍ରରେ ମଇଦା, ଲୁଣ ଏବଂ ୨ ବଡ଼ ଚାମଚ ଉଷୁମ ଘିଅ ପକାଇ ଭଲଭାବେ ମିଶାଇ ଦିଅନ୍ତୁ । ତା'ପରେ ଅଳ୍ପ ଅଳ୍ପ ପାଣି ଦେଇ ଏକ ଟାଣ ମିଶ୍ରଣ ଚକଟି ନିଅନ୍ତୁ। ଏହାକୁ ଏକ ଓଦା କପଡ଼ାରେ ଘୋଡ଼ାଇ ୧୫-୨୦ ମିନିଟ୍ ପାଇଁ ରଖିଦିଅନ୍ତୁ । ଏହାପରେ ଅଳ୍ପ ଆଞ୍ଚରେ ଏକ କଡ଼େଇ ବସାଇ ସେଥିରେ ଗୁଡ଼ ପକାଇ ତରଳାନ୍ତୁ । ଏହାପରେ ଏଥିରେ କୋରା ନଡିଆ ପକାଇ ଗୋଳାନ୍ତୁ । ଗୁଡ଼ ଓ ନଡିଆ କୋରା ମିଶିଗଲା ପରେ ସେଥିରେ ଛେଚା ଗୋଲମରିଚ ଓ ଅଳେଇଚ ମଞ୍ଜି ଗୁଣ୍ଡ ପକାଇ ଭଲଭାବେ ମିଶାଇ ଥଣ୍ଡା ହେବାକୁ ଛାଡ଼ିଦିଅନ୍ତୁ। ଏବେ ଚକଟା ମଇଦାରୁ ଛୋଟ ଛୋଟ ଗୋଳା କରି ୩-୪ ଇଞ୍ଚ ବ୍ୟାସର ଛୋଟ ପୁରୀ ଭଳି ବେଲି ନିଅନ୍ତୁ । ୧ ବଡ଼ ଚାମଚ ମଇଦା ସହ ୩ ବଡ଼ ଚାମଚ ପାଣି ମିଶାଇ ଏକ ବହଳିଆ ଘୋଳ ତିଆରି କରନ୍ତୁ। ବର୍ତ୍ତମାନ ଗୋଟିଏ ପୁରୀର ମଝିରେ ପ୍ରସ୍ତୁତ ନଡ଼ିଆ-ଗୁଡ଼ ପୁର ରଖନ୍ତୁ । ଏହା ଉପରେ ଆଉ ଏକ ଛୋଟ ପୁରୀ ସାହାଯ୍ୟରେ ପୁରକୁ ଘୋଡାଇ ଦିଅନ୍ତୁ । ପରେ ପୁଣି ଉକ୍ତ ପୁରୀ ଉପରେ ଆଉ ଅଳ୍ପ ପୁର ଦେଇ ତା ଉପରେ ଆଉ ଏକ ପୁରୀ ଘୋଡାନ୍ତୁ । ପ୍ରତି ସ୍ତରକୁ ମଇଦା ଘୋଳ ଦ୍ବାରା ସିଲ କରନ୍ତୁ । ବର୍ତ୍ତମାନ ତଳେ ଥିବା ସବୁଠାରୁ ବଡ ପୁରୀକୁ ମଇଦା ଘୋଳ ଦେଇ ଅର୍ଦ୍ଧଚନ୍ଦ୍ରାକାର ଆକାର ଦେଇ ବନ୍ଦ କରି ଦିଅନ୍ତୁ । ଏହାପରେ କଡ଼େଇରେ ଘିଅ ଗରମ କରି, ପ୍ରସ୍ତୁତ ତ୍ରିପୁରୀଗୁଡ଼ିକୁ ସାବଧାନତାର ସହ ଛାଣି ନିଅନ୍ତୁ । ଏହାକୁ ଗାଢ ସୁନେଲି ରଙ୍ଗ ହେବା ପର୍ଯ୍ୟନ୍ତ ଛାଣି ନିଅନ୍ତୁ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।