ତୃତୀୟ ସନ୍ତାନ ପାଇଁ ୩୬୫ ଦିନ ମାତୃତ୍ୱ ଛୁଟି: ତାମିଲନାଡୁ ସରକାରଙ୍କ ବଡ଼ ନିଷ୍ପତ୍ତି
ନନ୍ଦିଘୋଷ ବ୍ୟୁରୋ; ତୃତୀୟ ସନ୍ତାନ ହେଲେ ମିଳିବ ବର୍ଷେ ମାତୃତ୍ୱ ଛୁଟି। ତାମିଲନାଡୁ ସରକାର ମହିଳା ସରକାରୀ କର୍ମଚାରୀଙ୍କ ପାଇଁ ନେଇଛନ୍ତି ଏହି ବଡ଼ ନିଷ୍ପତ୍ତି। ଏଣିକି ତୃତୀୟ ସନ୍ତାନ ପ୍ରସବ ପରେ ମହିଳା କର୍ମଚାରୀଙ୍କୁ ୩୬୫ ଦିନ ବା ଏକ ବର୍ଷର ମାତୃତ୍ୱ ଛୁଟି ମିଳିବ। ଆଗରୁ ତୃତୀୟ ସନ୍ତାନ ପାଇଁ ମାତ୍ର ୧୨ ସପ୍ତାହ ବା ୮୪ ଦିନ ମାତୃତ୍ୱ ଛୁଟିର ବ୍ୟବସ୍ଥା ରହିଥିଲା। ତାମିଲନାଡୁ ବିଧାନସଭାରେ ବିଭାଗୀୟ ଅନୁଦାନ ଦାବି ଉପରେ ଆଲୋଚନା ବେଳେ ମାନବ ସମ୍ବଳ ପରିଚାଳନା ମନ୍ତ୍ରୀ ଡି. ସରଥକୁମାର ଏହି ଘୋଷଣା କରିଛନ୍ତି।
ସରକାରଙ୍କ କହିବା ଅନୁସାରେ, ମହିଳା ସଶକ୍ତିକରଣ ଓ ସାମାଜିକ କଲ୍ୟାଣକୁ ପ୍ରାଥମିକତା ଦେଇ ଏହି ପଦକ୍ଷେପ ନିଆଯାଇଛି। ତାମିଲନାଡୁରେ ମାତୃତ୍ୱ ଛୁଟି ପ୍ରଥମେ ୯୦ ଦିନ ଥିବା ବେଳେ ୨୦୧୧ରେ ଏହାକୁ ୬ ମାସ, ୨୦୧୬ରେ ୯ ମାସ ଏବଂ ୨୦୨୧ରେ ୩୬୫ ଦିନକୁ ବୃଦ୍ଧି କରାଯାଇଥିଲା। ନୂଆ ନିଷ୍ପତ୍ତି ଅନୁସାରେ କେଉଁ କେଉଁ କର୍ମଚାରୀ ଏହି ସୁବିଧା ପାଇବେ, ସେନେଇ ଖୁବଶୀଘ୍ର ବିସ୍ତୃତ ସରକାରୀ ନିର୍ଦ୍ଦେଶନାମା ଜାରି ହେବ।ଏହି ନିଷ୍ପତ୍ତିକୁ ଜନସଂଖ୍ୟା ବୃଦ୍ଧି ସହ ଯୋଡ଼ି ଦେଖାଯାଉଛି। ଦକ୍ଷିଣ ଭାରତର କିଛି ରାଜ୍ୟରେ ଜନସଂଖ୍ୟା ନିୟନ୍ତ୍ରଣ ହେତୁ ଭବିଷ୍ୟତରେ ଲୋକସଭା ଆସନ କମିବା ନେଇ ଆଶଙ୍କା ରହିଛି। ଏହି ପରିପ୍ରେକ୍ଷୀରେ ଅଧିକ ସନ୍ତାନ ପାଇଁ ପ୍ରୋତ୍ସାହନମୂଳକ ପଦକ୍ଷେପ ନିଆଯାଉଥିବା ଚର୍ଚ୍ଚା ହେଉଛି। ଏହା ପୂର୍ବରୁ ଆନ୍ଧ୍ରପ୍ରଦେଶ ସରକାର ମଧ୍ୟ ଅଧିକ ସନ୍ତାନ ଥିବା ପରିବାରକୁ ନେଇ ବିଭିନ୍ନ ପ୍ରୋତ୍ସାହନମୂଳକ ଘୋଷଣା କରିଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
