ଡିସେମ୍ବର ୨୬ ଓ ୨୭ରେ ହେବ ପୋଲିସ SI ପରୀକ୍ଷା
ଭୁବନେଶ୍ବର : ଓଡ଼ିଶା ପୋଲିସରେ ଚାକିରି କରିବାକୁ ସ୍ୱପ୍ନ ଦେଖୁଥିବା ଆଶାୟୀଙ୍କ ପାଇଁ ବଡ଼ ଖବର । ଡିସେମ୍ବର ୨୬ ଏବଂ ୨୭ ତାରିଖରେ କମ୍ବାଇନ୍ଡ ପୋଲିସ ସର୍ଭିସ ଏକ୍ଜାମିନେସନ୍ ବା CPSE ଅଧୀନରେ ଗ୍ରୁପ୍-ବି ପଦବୀ ପାଇଁ ହେବ ଲିଖିତ ପରୀକ୍ଷା । ମୋଟ ୯୩୩ଟି ଗ୍ରୁପ୍-ବି ପଦବୀ ପାଇଁ ହେବ ଲିଖିତ ପରୀକ୍ଷା । ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ ଓ OUSSSC ତତ୍ତ୍ୱାବଧାନରେ ଏହି ନିଯୁକ୍ତି ପ୍ରକ୍ରିୟା ଚାଲିଛି । CPSE ପରୀକ୍ଷା ମାଧ୍ୟମରେ ରାଜ୍ୟର ୪ଟି ପ୍ରମୁଖ ୟୁନିଫର୍ମ ସର୍ଭିସରେ ୯୩୩ ଜଣ ଅଧିକାରୀଙ୍କୁ ନିଯୁକ୍ତି ମିଳିବ । ଏଥିରେ ସବ୍-ଇନ୍ସପେକ୍ଟର ଅଫ୍ ପୋଲିସ ପାଇଁ ୬୦୯ଟି ପଦବୀ ଥିବାବେଳେ, ଏସ୍ଆଇ (ଆର୍ମଡ୍) ପାଇଁ ୨୫୩ଟି, ଅଗ୍ନିଶମ ବିଭାଗର ଷ୍ଟେସନ ଅଫିସର ପାଇଁ ୪୭ଟି ଏବଂ ଆସିଷ୍ଟାଣ୍ଟ ଜେଲର ପାଇଁ ୨୪ଟି ପଦବୀ ରହିଛି । ଏସ୍ଆଇ ସିଭିଲ୍, ଏସ୍ଆଇ ଆର୍ମଡ୍ ଏବଂ ଆସିଷ୍ଟାଣ୍ଟ ଜେଲର ପଦବୀ ପାଇଁ ପ୍ରାର୍ଥୀ ଯେକୌଣସି ବିଷୟରେ ସ୍ନାତକ ବା ଗ୍ରାଜୁଏସନ୍ ପାସ୍ କରିଥିବା ଆବଶ୍ୟକ । ତେବେ ଷ୍ଟେସନ ଅଫିସର ପଦବୀ ପାଇଁ କେବଳ ବିଜ୍ଞାନ ବା ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିବା ପ୍ରାର୍ଥୀ ହିଁ ଯୋଗ୍ୟ ଅଟନ୍ତି । ଏହା ସହ ପ୍ରାର୍ଥୀଙ୍କୁ ଓଡ଼ିଆ କହିବା, ଲେଖିବା ଓ ପଢ଼ିବା ଆସୁଥିବା ବାଧ୍ୟତାମୂଳକ । ଏହି ନିଯୁକ୍ତି ପ୍ରକ୍ରିୟାରେ କୌଣସି ଇଣ୍ଟରଭ୍ୟୁ ବା ଭାଇଭା ରହିବ ନାହିଁ । କେବଳ OMR ଭିତ୍ତିକ ଲିଖିତ ପରୀକ୍ଷା ଏବଂ ଶାରୀରିକ ଦକ୍ଷତା ପରୀକ୍ଷା ବା PST ଓ PET ଆଧାରରେ ଚୂଡ଼ାନ୍ତ ଚୟନ କରାଯିବ । ଡିସେମ୍ବର ୨୬ରେ ପେପର-୧ ଓ ପେପର-୨ ପରୀକ୍ଷା ହେବାକୁ ଥିବାବେଳେ, ୨୭ ତାରିଖରେ କେବଳ ଷ୍ଟେସନ ଅଫିସର ପଦବୀ ପାଇଁ ଟେକ୍ନିକାଲ ପେପର ପରୀକ୍ଷା ଅନୁଷ୍ଠିତ ହେବ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
