ଡାଇନୋସର ବିନାଶର କାରଣ

Jul 28, 2026 - 15:35
ଡାଇନୋସର ବିନାଶର କାରଣ

 

୬୬ ନିୟୁତ ବର୍ଷ ତଳେ ପୃଥିବୀ ପୃଷ୍ଠରୁ ଡାଇନୋସର ଏବଂ ବିଭିନ୍ନ ଜୀବଜନ୍ତୁଙ୍କୁ ସମ୍ପୂର୍ଣ୍ଣ ବିଲୁପ୍ତ କରିଦେଇଥିବା ଉଲ୍କାପିଣ୍ଡର ପ୍ରକୃତ ପରିଚୟ ସମ୍ପର୍କରେ ବୈଜ୍ଞାନିକମାନେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛନ୍ତି । ବିଶ୍ୱବିଦ୍ୟାଳୟ ଅଫ୍ ବ୍ରିଟିଶ୍ କଲମ୍ବିଆ, ପ୍ୟାରିସ୍, ବ୍ରସେଲ୍ସ ଏବଂ ଭିଏନାର ମିଳିତ ଗବେଷକ ଦଳ ସାଇନ୍ସ ଆଡଭାନ୍ସେସ୍ପତ୍ରିକାରେ ପ୍ରକାଶିତ ସେମାନଙ୍କ ଗବେଷଣାରୁ ସ୍ପଷ୍ଟ କରିଛନ୍ତି ଯେ, ସେହି ବିନାଶକାରୀ ଉଲ୍କାପିଣ୍ଡଟି ସୌରମଣ୍ଡଳର ଅତ୍ୟନ୍ତ ଦୁର୍ଲଭ ସିଓ କୋଣ୍ଡ୍ରାଇଟ୍ପ୍ରଜାତିର ଥିଲା । ଯାହା ପୃଥିବୀରେ ମିଳୁଥିବା ମୋଟ ଉଲ୍କାପିଣ୍ଡର ମାତ୍ର ୫ ପ୍ରତିଶତ । କ୍ରେଟାସିଅସ୍-ପାଲିଓଜିନ୍ ସ୍ତରର ମୃତ୍ତିକାରେ ମିଳିଥିବା ନିକେଲ୍ ଆଇସୋଟୋପ୍ର ବିଶ୍ଳେଷଣରୁ ଜଣାପଡ଼ିଛି ଯେ, ୧୦ କିଲୋମିଟର ଓସାରର ଏହି ଆଷ୍ଟରଏଡ୍ଟି ମେକ୍ସିକୋର ୟୁକାଟାନ୍ ଉପଦ୍ୱୀପରେ ମାଡ଼ ହୋଇ ଚିକ୍ସୁଲୁବ୍’  ଗର୍ତ୍ତ ସୃଷ୍ଟି କରିବା ସହ ପୃଥିବୀର ପ୍ରାୟ ୭୫% ଜୀବଜଗତକୁ ବିନାଶ କରିଥିଲା । ଏହି ଧକ୍କା ଯୋଗୁଁ ଭୂକମ୍ପ, ସୁନାମି  ସୃଷ୍ଟି ହେବା ସହ ବାୟୁମଣ୍ଡଳରେ ପ୍ରଚୁର ଧୂଳି ଓ ଗ୍ୟାସ୍ ଆଚ୍ଛାଦିତ ହୋଇ ସୂର୍ଯ୍ୟକିରଣକୁ ରୋକିଦେଇଥିଲା। ଯାହା ଫଳରେ ଜଳବାୟୁ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଥିଲା । ନୂତନ ଅଧ୍ୟୟନ ଅନୁଯାୟୀ, ଏହି ଦୁର୍ଲଭ ସିଓ କୋଣ୍ଡ୍ରାଇଟ୍ରେ ସଲଫର (ଗନ୍ଧକ) ବହୁତ କମ୍ ପରିମାଣରେ ଥିବାରୁ, କେବଳ ସଲଫର ଗ୍ୟାସ୍ ନୁହେଁ ବରଂ ମହାକାଶକୁ ବିଚ୍ଛୁରିତ ହୋଇଥିବା ସୂକ୍ଷ୍ମ ଧୂଳିକଣା ହିଁ ବର୍ଷ ବର୍ଷ ଧରି ସୂର୍ଯ୍ୟକିରଣକୁ ବାଧାପ୍ରାପ୍ତ କରି ଏହି ମହାବିନାଶର ମୁଖ୍ୟ କାରଣ ସାଜିଥିଲା ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।