ଜୁଲାଇ ୨୦ରୁ ସଂସଦର ମୌସୁମୀ ଅଧିବେଶନ!

Jul 02, 2026 - 16:34
ଜୁଲାଇ ୨୦ରୁ ସଂସଦର ମୌସୁମୀ ଅଧିବେଶନ!

ନୂଆଦିଲ୍ଲୀ: ସଂସଦରେ ମୌସୁମୀ ଅଧିବେଶନ ଆସନ୍ତା ଜୁଲାଇ ୨୦ ତାରିଖରୁ ଆରମ୍ଭ ହୋଇପାରେ। ତେବେ ସଂସଦୀୟ ବ୍ୟାପାର କ୍ୟାବିନେଟ୍‌ କମିଟି ଏଯାବତ ଏନେଇ କିଛି ଚୂଡ଼ାନ୍ତ ନିଷ୍ପତ୍ତି ନେଇନାହିଁ। ସାଧାରଣତଃ ମୌସୁମୀ ଏବଂ ଶୀତ ଅଧିବେଶନରେ ୨୦ଟି କାର୍ଯ୍ୟଦିବସ ରହିଥାଏ ଏବଂ ଏହା ୪ ସପ୍ତାହ ପର୍ଯ୍ୟନ୍ତ ଚାଲେ। ପଶ୍ଚିମବଙ୍ଗ, ଆସାମ ଏବଂ ପୁଡ଼ୁଚେରୀରେ ବିଜେପିର ବିଜୟ ପରେ ମୌସୁମୀ ଅଧିବେଶନ ଆରମ୍ଭ ହେଉଛି। ଆଗାମୀ ଅଧିବେଶନରେ ଟିଏମ୍‌ସି ଏବଂ ଶିବସେନା (ୟୁବିଟି)ରେ ବିବାଦ ମଧ୍ୟ ସ୍ପଷ୍ଟ ଦେଖିବାକୁ ମିଳିବ। ତେବେ ୨୦ ଟିଏମ୍‌ସି ସାଂସଦ ଏବଂ ୬ ଶିବସେନା (ୟୁବିଟି) ସାଂସଦଙ୍କୁ ପୃଥକ୍‌ ଗୋଷ୍ଠୀର ମାନ୍ୟତା ଦେବା ସଂକ୍ରାନ୍ତୀୟ ଦାବି ଉପରେ ଏଯାବତ ଲୋକସଭା ବାଚସ୍ପତି କିଛି ନିଷ୍ପତ୍ତି ନେଇନାହାନ୍ତି। ଅନ୍ୟପକ୍ଷେ ରାଜ୍ୟସଭାରେ ନବ ନିର୍ବାଚିତ ଏବଂ ପୂନଃ ନିର୍ବାଚିତ ସାଂସଦମା‌ନେ ଶପଥ ନେବାପରେ ଶାସକ ଏନ୍‌ଡିଏ ସମର୍ଥନରେ ପୁଣି ରାଜନୈତିକ ସଂଖ୍ୟା ବଢ଼ିବ। ଏଭଳିସ୍ଥିତିରେ ମୌସୁମୀ ଅଧିବେଶନ ଅଧିକ ରୋଚକ ହେବ ବୋଲି ଚର୍ଚ୍ଚା ହେଉଛି।