ଅକ୍ଟୋବର ରେ ହେବ ଏସ୍‌ଆଇ ନିଯୁକ୍ତି ପରୀକ୍ଷା

Jul 01, 2026 - 16:27
ଅକ୍ଟୋବର ରେ ହେବ ଏସ୍‌ଆଇ ନିଯୁକ୍ତି ପରୀକ୍ଷା

ଭୁବନେଶ୍ୱର : ଏସ୍‌ଆଇ (Sub-Inspector) ଚାକିରି ଆଶାୟୀଙ୍କ ପାଇଁ ବଡ଼ ଖବର । ଚଳିତ ବର୍ଷ ଅକ୍ଟୋବର ଶେଷ ସୁଦ୍ଧା ପରୀକ୍ଷା କରାଯିବ। ଏସ୍‌ଆଇ ପରୀକ୍ଷାକୁ ନେଇ ଦୀର୍ଘ ଦିନ ଧରି ଅପେକ୍ଷା କରୁଥିବା ହଜାର ହଜାର ପ୍ରାର୍ଥୀଙ୍କ ପାଇଁ ଏହି ଘୋଷଣା ବଡ଼ ଆଶ୍ୱସ୍ତି ଆଣିଛି । ଏନେଇ ଓଡ଼ିଶା ୟୁନିଫର୍ମଡ୍ ସର୍ଭିସେସ୍ ଷ୍ଟାଫ୍ ସିଲେକ୍ସନ କମିଶନ (OUSSSC) ପକ୍ଷରୁ ସୂଚନା ମିଳିଛି ।

ସିଲାବସ୍‌ କିମ୍ବା ପରୀକ୍ଷା ପାଟର୍ନରେ କୌଣସି ପରିବର୍ତ୍ତନ ହେବ ନାହିଁ । ଏଥର ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ଓ ସ୍ୱଚ୍ଛ ପରୀକ୍ଷା କରାଯିବ ବୋଲି କହିଛନ୍ତି ଷ୍ଟାଫ୍ ସିଲେକ୍ସନ କମିଶନର ଅଧ୍ୟକ୍ଷ ରଶ୍ମି ରଞ୍ଜନ ସ୍ୱାଇଁ । ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ଘଟଣା ଯୋଗୁଁ ଯେଉଁ ପ୍ରାର୍ଥୀମାନେ ପରୀକ୍ଷା ଦେଇପାରିନଥିଲେ କିମ୍ବା ପରୀକ୍ଷାରୁ ବଞ୍ଚିତ ହୋଇଥିଲେ, ସେମାନଙ୍କୁ ଆସନ୍ତା ପରୀକ୍ଷାରେ ସୁଯୋଗ ଦିଆଯିବ। ବିଜ୍ଞପ୍ତି ପ୍ରକାଶ ପରେ ବୟସ ସୀମା ଅତିକ୍ରମ କରିଥିବା ଆଶାୟୀମାନଙ୍କୁ ମଧ୍ୟ ପରୀକ୍ଷା ଦେବାକୁ ସୁଯୋଗ ମିଳିବ । କୌଣସି ଯୋଗ୍ୟ ପ୍ରାର୍ଥୀ ଯେପରି ଅନ୍ୟାୟର ଶିକାର ନ ହୁଅନ୍ତି, ସେଥିପାଇଁ ଏହି ପଦକ୍ଷେପ ନିଆଯାଇଛି ।

OUSSSC ସ୍ପଷ୍ଟ କରିଛି ଯେ, ସମ୍ପୂର୍ଣ୍ଣ ନିଯୁକ୍ତି ପ୍ରକ୍ରିୟାକୁ ସ୍ୱଚ୍ଛ ଓ ନିରପେକ୍ଷ ରଖିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ପୂର୍ବ ଭଳି କୌଣସି ଅନିୟମିତତା କିମ୍ବା ପ୍ରଶ୍ନପତ୍ର ଲିକ୍ ଘଟଣା ନ ଘଟିବା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଉଥିବା ମଧ୍ୟ କମିଶନ ପକ୍ଷରୁ କୁହାଯାଇଛି। 

ପରୀକ୍ଷାର ସଂଶୋଧିତ ସମୟସୂଚୀ ଖୁବ୍‌ଶୀଘ୍ର ପ୍ରକାଶ ପାଇବ ବୋଲି କମିଶନ ସୂଚନା ଦେଇଛି। ତେଣୁ ପ୍ରାର୍ଥୀମାନଙ୍କୁ ନିୟମିତ ପ୍ରସ୍ତୁତି ଜାରି ରଖିବା ସହ କମିଶନର ପରବର୍ତ୍ତୀ ଘୋଷଣା ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି।