ଆଇଆଇସି ଙ୍କ ଆଗୁଆ ଜାମିନ ଆବେଦନ

କେନ୍ଦ୍ରାପଡ଼ା : ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ତାଳଚୁଆ ସାମୁଦ୍ରିକ ଥାନା ନିଲମ୍ବିତ ଆଇଆଇସି ସନ୍ଧ୍ୟାରାଣୀ ଜେନା । ଗିରଫ ଆଶଙ୍କା କରି ଜୁନ ୨୯ ତାରିଖ ଦିନ ଆଗୁଆ ଜାମିନ୍ ପାଇଁ ଆବେଦନ କରିଥିବା ସୂଚନା ମିଳିଛି ।
ସୂଚନାନୁସାରେ, ମେ’ ୨୫ ତାରିଖ ଦିନ କେନ୍ଦ୍ରାପଡ଼ା ଜିଲ୍ଲା ତାଳଚୁଆ ସାମୁଦ୍ରିକ ଥାନାକୁ ମାଆ'ପୁଅ ଏକ ଅଭିଯୋଗ ନେଇ ଯାଇଥିବାବେଳେ ସେଠାରେ ମାଆ ପୁଅଙ୍କୁ ଥାର୍ଡ ଡିଗ୍ରି ପ୍ରୟୋଗ କରି ଲହୁଲୁହାଣ କରିଥିଲେ ଆଇଆଇସି ସନ୍ଧ୍ୟାରାଣୀ ଜେନା । ଘଟଣାରେ ତାଙ୍କ ନାଁରେ କେସ ନମ୍ବର ୧୨୪/୨୦୨୬ରେ ମାମଲା ରୁଜୁ ପରେ ତାଙ୍କୁ ନିଲମ୍ବନ କରାଯାଇଛି । ଏହା ସହ ତାଙ୍କ ନାଁରେ ୨୯୬, ୭୪, ୧୧୫, ୩୫୧ , ୩୦୮ ପ୍ରଭୁତି ସଙ୍ଗିନ ବିଏନଏସ ଦଫାରେ ମାମଲା ରୁଜୁ ହୋଇଥିଲା । ତେବେ ବର୍ତ୍ତମାନ ଯାଏଁ ନିଲମ୍ବିତ ଆଇଆଇସିଙ୍କୁ ପୋଲିସ ଗିରଫ କରୁନଥିବା ବେଳେ ଆଗୁଆ ଜାମିନ ପାଇଁ ଆବେଦନ କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ନିଲମ୍ବିତ ଆଇଆଇସି ଜଣେ ବିଶୃଙ୍ଖଳିତ ପୋଲିସ କର୍ମଚାରୀ । ଗତ ୬ ବର୍ଷ ଭିତରେ ତାଙ୍କୁ ୩ଥର ନିଲମ୍ବନ କରାଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କାହା ଛତ୍ରଛାୟା ରେ ତାଙ୍କୁ ସୁରକ୍ଷା ଦିଆଯାଉଛି ଏହାକୁ ନେଇ ଅସନ୍ତୋଷ ବଢୁଛି ।