ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିଗ୍ୟାସ ଦୁର୍ଘଟଣାରେ ଆଉ ଜଣେ ଓଡ଼ିଆଙ୍କ ମୃତ୍ୟୁ

Jun 25, 2026 - 12:54
ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିଗ୍ୟାସ ଦୁର୍ଘଟଣାରେ ଆଉ ଜଣେ ଓଡ଼ିଆଙ୍କ ମୃତ୍ୟୁ

କେନ୍ଦୁଝର : ତାମିଲନାଡ଼ୁ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିଗ୍ୟାସ ଲିକ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି । ଓଡିଶାର ଆଉ ଜଣେ ମହିଳାଙ୍କ ମୃତ୍ୟୁ ପରେ ଏହି ସଂଖ୍ୟା ବୃଦ୍ଧି ପାଇଛି । ପୂର୍ବରୁ କେନ୍ଦୁଝରରୁ ୭ ଜଣ ଓଡ଼ିଆ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା । ଗତ ୨୧ ତାରିଖରେ ତାମିଲନାଡୁର ତିରୁଭଲ୍ଲୁର ଜିଲା ପେରିୟାପାଲ୍ଲୀଆମ ନିକଟସ୍ଥ ସେଣ୍ଟ ପିଟର୍ସ ପର୍ଲ ସି-ଫୁଡ ଏକ୍ସପୋର୍ଟ କମ୍ପାନୀରେ ବିଷାକ୍ତ ଆମୋନିଆ ଗ୍ୟାସ ଲିକ୍ ହୋଇଥିଲା। ଗତକାଲି ସୁଦ୍ଧା ଏହି ଦୁର୍ଘଟଣାରେ କେନ୍ଦୁଝର ଜିଲାର ୭ ଯୁବତୀଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଆଉ ଜଣେ ଜୁଆଙ୍ଗ ଯୁବତୀ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି । ମୃତକ ହେଲେ କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ସୁନାପେଣ୍ଠ ବାଲିସାହିର ରୁଈ ଜୁଆଙ୍ଗଙ୍କ ଝିଅ ସୁବାସିନୀ ଜୁଆଙ୍ଗ। ସେ ରାଜୀବ ଗାନ୍ଧୀ ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତାଙ୍କ ସହିତ ଅନ୍ୟ ଜଣଙ୍କର ମୃତ୍ୟୁ ଘଟିଛି ,ତେବେ ତାଙ୍କର ପରିଚୟ ମିଳିପାରି ନାହିଁ । ସେହିପରି ଅନ୍ୟ ୧୦ଜଣ ଅସୁସ୍ଥଙ୍କୁ ଭେଣ୍ଟିଲେଟର ସହାୟତାରେ ଚିକିତ୍ସା ଜାରି ରହିଛି  ।