ଗୋଡ ମୋଡିହେବାକୁ କରନ୍ତୁନି ଅଣଦେଖା

ଅନେକ ସମୟରେ ଚାଲିବା ସମୟରେ, ସିଡ଼ିରୁ ଓହ୍ଲାଇବା ବେଳେ ସନ୍ତୁଳନ ବିଗିଡ଼ିଯିବା କିମ୍ବା ଖାଲଖମାରେ ପାଦ ପଡ଼ିବା ଦ୍ୱାରା ପାଦ ମୋଡ଼ିହୋଇଯାଇଥାଏ । ତେବେ ଏହି ସମସ୍ୟାକୁ ସାଧାରଣ ଆଘାତ ଭାବି ନଜରଅନ୍ଦାଜ କରିବା ଅନୁଚିତ । କାରଣ ଏହାଦ୍ୱାରା ଶରୀରର ଗଣ୍ଠିଗୁଡ଼ିକୁ ସ୍ଥିରତା ପ୍ରଦାନ କରୁଥିବା ଲିଗାମେଣ୍ଟ ଗମ୍ଭୀର ଭାବେ କ୍ଷତିଗ୍ରସ୍ତ ହୋଇପାରେ। ଶରୀରର ଓଜନ ସମ୍ଭାଳୁଥିବା ଗୋଡ଼ର ଗଣ୍ଠିରେ ସବୁଠାରୁ ଅଧିକ ପ୍ରଭାବ ପଡିବାର ଆଶଙ୍କା ଥାଏ । ଏହି ସମୟରେ ଯଦି ପ୍ରାରମ୍ଭିକ ୪୮ ଘଣ୍ଟା ମଧ୍ୟରେ ଉପଯୁକ୍ତ ପ୍ରାଥମିକ ଚିକିତ୍ସା ନମିଳେ, ତେବେ ଯନ୍ତ୍ରଣା ଓ ପ୍ରଦାହ ବହୁତ ବଢ଼ିଯାଇଥାଏ । ଗୋଡ ମୋଡିହେଲେ ଲିଗାମେଣ୍ଟ ଛିଣ୍ଡିବା ବା ଟାଣି ହେବାର ଆଶଙ୍କା ଅଧିକଥାଏ । ଯେଉଁଠି ହାଡ଼ ଭାଙ୍ଗିବା ସମସ୍ୟା ଅଧିକ ଗମ୍ଭୀର ହୋଇଥାଏ, ତେଣୁ ଏଭଳି ପରିସ୍ଥିତିରେ ଡାକ୍ତରଙ୍କ ପରାମର୍ଶ ନେବା ତୁରନ୍ତ ଆବଶ୍ୟକ । ତେବେ ଆଘାତପ୍ରାପ୍ତ ସ୍ଥାନକୁ ଆରାମ ଦେବାସହ ପ୍ରତି ୨-୩ ଘଣ୍ଟାରେ ୧୫-୨୦ ମିନିଟ୍ ପାଇଁ ବରଫ ସେକ ଦେବା, ଇଲାଷ୍ଟିକ ବ୍ୟାଣ୍ଡେଜ୍ ବାନ୍ଧି ହାଲୁକା ଚାପ ଦେବା ଏବଂ ଶୋଇବା ସମୟରେ ପାଦକୁ ହୃଦୟର ସ୍ତରଠାରୁ ଉପରକୁ ଟେକି ରଖିପାରିବେ । ଏହି ସମୟରେ ପ୍ରଭାବିତ ପାଦ ଉପରେ ଓଜନ ଦେଇ ଚାଲିବା, ମାଲିସ କରିବା, ଗରମ ପାଣି ବା ହିଟ୍ ପ୍ୟାଡ୍ରେ ସେକ ଦେବା ଭଳି ଭୁଲ୍ ଆଦୌ କରିବା ଉଚିତ ନୁହେଁ । ଯଦି ଅତ୍ୟଧିକ କଷ୍ଟ ହେବା ସହ ପାଦ ପକାଇବା ମୁସ୍କିଲ୍ ହୁଏ କିମ୍ବା ଫ୍ରାକ୍ଚରର ସନ୍ଦେହ ଥାଏ, ତେବେ ବିନା ବିଳମ୍ବରେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଆବଶ୍ୟକ ।