ଗିଡିପାବାଲିରେ ଉଦ୍ଧାର କାର୍ଯ୍ୟ ବନ୍ଦ !
ନନ୍ଦିଘୋଷ ବ୍ୟୁରୋ: ଗିଡିପାବାଲିରେ ଚାଲିଥିବା ଉଦ୍ଧାର କାର୍ଯ୍ୟ ଆଜି ପାଇଁ ସ୍ଥଗିତ ରହିଛି।, ପ୍ରଶାସନ ପକ୍ଷରୁ ଆଉ ଦୁଇଦିନ ଚେଷ୍ଟା କରାଯିବ ବୋଲି କହିଛନ୍ତି କନ୍ଧମାଳ ଜିଲାପାଳ। ସେ କହିଛନ୍ତି, ପ୍ରତିକୂଳ ପାଗ କାରଣରୁ ବୁଧବାର ଉଦ୍ଧାର କାର୍ଯ୍ୟ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହା କିନ୍ତୁ ଚୂଡାନ୍ତ ନୁହେଁ। ନିଖୋଜ ଲୋକଙ୍କୁ ଠାବ କରିବା ପାଇଁ ଅନ୍ତିମ ପ୍ରୟାସ କରାଯିବ। ଯଦି ପାଗ ଅନୁକୂଳ ରହେ, ତେବେ ଗୁରୁବାର ଠାରୁ ପୁଣି ରେସ୍କ୍ୟୁ ଅପରେସନ ଦୁଇ ଦିନପାଇ ଆରମ୍ଭ କରାଯାଇ ପାରେ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ, ଗୋଟିଏ ରାତିରେ ଏହି ସ୍ଥାନରେ ଲଗାତାର ତିନି ଥର ଭୂସ୍ଖଳନ ହୋଇଛି। ତେଣୁ ମୃତଦେହ ପ୍ରାୟ ୩୦ ଫୁଟରୁ ଅଧିକ ଗଭୀରରେ ରହିଥିବା ବିଶେଷଜ୍ଞ ଦଳ ଅନୁମାନ କରିଛନ୍ତି l ବର୍ତ୍ତମାନ ଉପଲବ୍ଧ ଯନ୍ତ୍ରପାତି ଯୋଗେ ୩୦ ଫୁଟରୁ ତଳକୁ ଯାଞ୍ଚ କରିବା ସମ୍ଭବ ନୁହେଁ। ଏଥି ସହିତ ଏଠାରେ ବ୍ଲାଷ୍ଟିଂ କଲେ ପୁଣି ଭୂସ୍ଖଳନ ହେବା ଆଶଙ୍କା ରହିଛି। ତେଣୁ ବିଶେଷଜ୍ଞ ମାନଙ୍କ ପରାମର୍ଶ ଓ ପ୍ରଶାସନର ନିଷ୍ପତ୍ତି ପ୍ରକାରେ ଉଦ୍ଧାର ପ୍ରକ୍ରିୟା ସାମୟିକ ଭାବେ ସ୍ଥଗିତ ରଖା ଯାଇଛି ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି। ଗତ ଦୁଇଦିନର ବ୍ଲାଷ୍ଟିଂ ପରେ ମଧ୍ୟ ବିଶେଷ ଫଳାଫଳ ମିଳିନାହିଁ। ଠାବ ହୋଇଥିବ ଦୁଇଟି ମୃତଦେହ ଉଦ୍ଧାର କରିବା ପାଇଁ ତିନି ଦିନ ଲାଗିଥିଲା। ବିଶେଷଜ୍ଞ ମାନଙ୍କ ମତ ଅନୁସାରେ ଏମାନେ ସବୁଠାରୁ ଉପର ସ୍ତରରେ ଥିଲେ। ସମସ୍ତଙ୍କ ସାମୂହିକ ଅନ୍ତିମ ସଂସ୍କାର ଗ୍ରାମ ନିକଟସ୍ଥ ଏକ ସ୍ଥାନରେ କରିବା ପାଇଁ ଆପାତତଃ ପ୍ରସ୍ତାବ ଦେଇଛନ୍ତି। ସେହି ସ୍ଥାନରେ ଏକ ସ୍ମୃତି ସ୍ତମ୍ଭ ନିର୍ମାଣ ପାଇଁ ମଧ୍ୟ ଗ୍ରାମବାସୀ ପ୍ରସ୍ତାବ ଦେଇଛନ୍ତି। ଆଗକୁ ହେବାକୁ ଥିବା ଉଦ୍ଧାର କାର୍ଯ୍ୟରୁ ରେଲବାଇକୁ ବାଦ ଦିଆଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ, ଏହି ସ୍ଥାନରେ ପହଞ୍ଚିବା କଷ୍ଟସାଧ୍ୟ ହୋଇଥିବାରୁ ରେସ୍କ୍ୟୁ କାର୍ଯ୍ୟରେ ନିୟୋଜିତ କର୍ମଚାରୀ ଏବଂ ଯନ୍ତ୍ରପାତି ହେଲିକପ୍ଟର ଯୋଗେ ଏୟାର ଡ୍ରପ କରିବା ପାଇଁ ପୂର୍ବରୁ ଚିନ୍ତା କରାଯାଇଥିଲା। କିନ୍ତୁ ସେଠାକାର ଭୌଗୋଳିକ ସ୍ଥିତି ଯୋଗୁଁ ଏହା ସମ୍ଭବ ନୁହେଁ ବୋଲି ବିଶେଷଜ୍ଞ ମାନେ ମତ ପ୍ରକାଶ କରିଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
