ଗଛ ଅନାଥଶ୍ରମ
ସାଧାରଣତଃ ସମସ୍ତେ ଗଛ ଲଗାଇବାକୁ ପରାମର୍ଶ ଦେଇଥାଆନ୍ତି, ହେଲେ ଗଛ ପୋଷ୍ୟ ନେବା କଥା କେହିକେବେ କଳ୍ପନା କରିନଥିବେ । ହେଲେ ଜଣେ ଯୁବକ ବର୍ତ୍ତମାନ ଖୁବ ଭାଇରାଲ ହେଉଛନ୍ତି, ସେ ଗଛ ଲଗାଇବା ପରିବର୍ତ୍ତେ ଗଛ ପୋଷ୍ୟ ଦେଉଛନ୍ତି ।
ଶାନ୍ତିନିକେତନର ଶିକ୍ଷାର ପରମ୍ପରା ଭିତରେ ୨୯ ବର୍ଷୀୟ ସୋମନାଥ ଘୋଷଙ୍କର ଏକ ନୂଆ ଭାବନାକୁ ବାସ୍ତବ ରୂପ ଦେଇଛନ୍ତି । ତାଙ୍କ ଦ୍ୱାରା ଗଠିତ ’ବୃକ୍ଷ ଫାଉଣ୍ଡେସନ୍’ ନିଜକୁ ଭାରତର ପ୍ରଥମ "ଗଛମାନଙ୍କ ଅନାଥ ଆଶ୍ରମ" ଭାବେ ପରିଚିତ କରାଇଛି । ସୋମନାଥଙ୍କ ମତରେ ଗଛ ଦୁଇଟି ଉପାୟରେ ଅନାଥ ହୁଏ । ପ୍ରଥମଟି, ଯେତେବେଳେ କୌଣସି କାରଣ ନଥାଇ ଏହାକୁ କାଟି ଦିଆଯାଏ । ଦ୍ୱିତୀୟଟି, ଯେତେବେଳେ ପ୍ରଚାର ଓ ଫଟୋ ଉଠାଇବା ପାଇଁ ଗଛ ଲଗାଯାଏ ଏବଂ ପରେ ତାହାକୁ ଯତ୍ନ ନନେଇ ଛାଡ଼ି ଦିଆଯାଏ । ତାଙ୍କର ଏହି ପ୍ରୟାସ ଏବେ ପରିବେଶ ସୁରକ୍ଷା କ୍ଷେତ୍ରରେ ଏକ ଅଭିନବ ପଦକ୍ଷେପ ପାଲଟିଛି । ଏହି ଅଭିଯାନର ପ୍ରମୁଖ ଦିଗ ହେଲା ସୁରକ୍ଷା ଓ ଅଭିଭାବକତ୍ୱ । ଯଦି ଅନାଥ ଶିଶୁମାନଙ୍କ ପାଇଁ ଆଶ୍ରମ ରହିପାରିବ, ତେବେ ଅବହେଳିତ ଗଛମାନଙ୍କ ପାଇଁ କାହିଁକି ଏକ ସୁରକ୍ଷା ବ୍ୟବସ୍ଥା ହୋଇପାରିବ ନାହିଁ ? ଏହି ପ୍ରଶ୍ନରୁ 'ବୃକ୍ଷ ଫାଉଣ୍ଡେସନ୍'ର ଜନ୍ମ । ଏହା କେବଳ ଗଛ ଲଗାଏ ନାହିଁ, ବରଂ ଗଛର ପୋଷଣ, ତଦାରଖ ଓ ସୁରକ୍ଷା ଦାୟିତ୍ୱ ନିଏ । ସୋମନାଥ ନିଜର ଏକ ମଲ୍ଟିମିଡିଆ ଷ୍ଟୁଡିଓ (କ୍ୟାମେରା, ଡ୍ରୋନ୍, ଏଡିଟିଂ ସିଷ୍ଟମ୍) ତିଆରି କରିଥିଲେ । କିନ୍ତୁ ବର୍ଦ୍ଧମାନ ଜଙ୍ଗଲ ବିଭାଗ ସହ କାମ କରିବା ସମୟରେ ଜଙ୍ଗଲରେ ରହିବାର ଅନୁଭୂତି ତାଙ୍କ ଜୀବନର ଲକ୍ଷ୍ୟ ବଦଳାଇ ଦେଇଥିଲା । ସେ ବୁଝିପାରିଥିଲେ ଯେ ଲୋକଙ୍କର ଗଛ ଲଗାଇବାର ଇଚ୍ଛା ଅଛି, କିନ୍ତୁ ସେଗୁଡ଼ିକୁ ବଞ୍ଚାଇ ରଖିବାର ସଠିକ୍ ବ୍ୟବସ୍ଥା ନାହିଁ । ଲକଡାଉନ୍ ସମୟରେ ସୋମନାଥ ଏବଂ ତାଙ୍କର ସ୍ୱେଚ୍ଛାସେବୀ ଦଳ 'ହେଲ୍ପିଂ ହ୍ୟାଣ୍ଡସ୍' ଗଠନ କରି ୧୫୦ ଦିନ ଧରି ବୁଲା କୁକୁରମାନଙ୍କୁ ଆହାର ଯୋଗାଇଥିଲେ । ବୃଦ୍ଧବୃଦ୍ଧାଙ୍କୁ ଔଷଧ ଦେଇଥିଲେ ଏବଂ ଅମ୍ଫାନ ବାତ୍ୟା ପରେ ସୁନ୍ଦରବନରେ ରିଲିଫ୍ ବାଣ୍ଟିଥିଲେ । ତେବେ ଗଛମାନଙ୍କୁ ସୁରକ୍ଷା ଦେବା ପାଇଁ ସେ ଏକ ବ୍ୟବସ୍ଥା ଆରମ୍ଭ କରିଛନ୍ତି ଅନଲାଇନ୍ 'ପୋଷ୍ୟ' । ଯେକୌଣସି ବ୍ୟକ୍ତି ୬୦୦ ଟଙ୍କା ଦେଇ ଅନଲାଇନ୍ରେ ଗୋଟିଏ ସ୍ଥାନୀୟ ପ୍ରଜାତିର ଗଛକୁ ‘ପୋଷ୍ୟ’ ନେଇପାରିବେ । ଫାଉଣ୍ଡେସନ୍ ସୋନାଝୁରୀ ଜଙ୍ଗଲ ଏବଂ ଚାଷୀମାନଙ୍କ ଜମିରେ ଏହି ଗଛ ଲଗାଇବା ସହ ୩ ବର୍ଷ ପର୍ଯ୍ୟନ୍ତ ଏହାର ମାଟି ପ୍ରସ୍ତୁତି, ବାଡ ଦେବା, ଓ ନିୟମିତ ତଦାରଖ କରିଥାଏ । ୨୦୨୧ ରୁ ୨୦୨୬ ମଧ୍ୟରେ ଫାଉଣ୍ଡେସନ୍ ୨,୦୦୦ରୁ ଅଧିକ ଗଛ ଲଗାଇସାରିଛି ଏବଂ ୯୫% ଗଛ ବଞ୍ଚି ରହିଛି। ପ୍ରତ୍ୟେକ ଗଛ ପୋଷ୍ୟ ଗ୍ରହଣ କରିଥିବା ବ୍ୟକ୍ତିଙ୍କୁ ଏକ 'ଗ୍ରୀନ୍ ହିରୋ ସାର୍ଟିଫିକେଟ୍' ଏବଂ ଜିଓ-ଟ୍ୟାଗ୍ ଲୋକେସନ୍ ଦିଆଯାଏ । ଫଳରେ ଲୋକେ ଘରେ ବସି ନିଜ ଗଛର ବୃଦ୍ଧି ଅନଲାଇନ୍ରେ ଦେଖିପାରନ୍ତି। ସୋମନାଥ କେବଳ ଗଛ ସଂଖ୍ୟା ବଢ଼ାଇବାକୁ ଚାହାନ୍ତି ନାହିଁ, ବରଂ ଏକ ପ୍ରକୃତ ଜଙ୍ଗଲ ତିଆରି କରିବାକୁ ଚାହାନ୍ତି । ସେଥିପାଇଁ ସେ କେବଳ ଗୋଟିଏ ପ୍ରଜାତିର ଗଛ ନଲଗାଇ ନିମ୍ବ, ଶାଳ, କଦମ୍ବ, ବର, ଓ ଓସ୍ତ ଭଳି ବିବିଧ ବୃକ୍ଷ ରୋପଣ କରନ୍ତି । ମିଶନ୍ କ୍ଲିନ୍ ଶାନ୍ତିନିକେତନ' ଅଧୀନରେ ବୃକ୍ଷ ଫାଉଣ୍ଡେସନ୍ କୋପାଇ ନଦୀରୁ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ସଫା କରିବା ସହ ଆଦିବାସୀ ଗ୍ରାମଗୁଡ଼ିକରେ ଜୈବିକ ଚାଷ ଶିକ୍ଷା ଦେଉଛି । ତାଙ୍କର ଏହି ଅଭିନବ ଉପାୟ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।