ଖରିଫ ଚାଷୀ ପଞ୍ଜୀକରଣରେ ଅବ୍ୟବସ୍ଥା, ଜଟିଳ ନିୟମ ଓ ସର୍ଭର ସମସ୍ୟାରେ ଚାଷୀ ହନ୍ତସନ୍ତ

Aug 23, 2026 - 11:47
ଖରିଫ ଚାଷୀ ପଞ୍ଜୀକରଣରେ ଅବ୍ୟବସ୍ଥା, ଜଟିଳ ନିୟମ ଓ ସର୍ଭର ସମସ୍ୟାରେ ଚାଷୀ ହନ୍ତସନ୍ତ

ନନ୍ଦିଘୋଷ ବ୍ୟୁରୋ ; ଖରିଫ ଚାଷୀ ପଞ୍ଜୀକରଣକୁ ନେଇ ବଢ଼ିଚାଲିଛି ଚାଷୀ ଅସନ୍ତୋଷ। ମଣ୍ଡିରେ ସ୍ୱଚ୍ଛତା ଆଣିବା ସହ ଚାଷୀଙ୍କୁ ସିଧାସଳଖ ଟଙ୍କା ଦେବାକୁ ସରକାର କହୁଥିବା ବେଳେ, ଖରିଫ ପଞ୍ଜୀକରଣ ପ୍ରକ୍ରିୟାରେ ଜଟିଳ ନିୟମ ଚାଷୀଙ୍କ ସମସ୍ୟା ବଢ଼ାଇଦେଇଛି। ଚାଷ କାମ ଛାଡ଼ି ପ୍ୟାକ୍ସ ଆଗରେ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଠିଆ ହେବାକୁ ପଡ଼ୁଛି ଚାଷୀଙ୍କୁ।

ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକରେ ଏବେ ହଜାର ହଜାର ଚାଷୀ ପଞ୍ଜୀକରଣକୁ ନେଇ ସମସ୍ୟାରେ ପଡ଼ିଛନ୍ତି। ଅସ୍ତରଙ୍ଗ ବ୍ଲକରେ ମୋଟ ୧୦ଟି ପ୍ୟାକ୍ସ ରହିଛି। ଗତ ଖରିଫ ଋତୁରେ ୩୨୦୪ ଜଣ ଚାଷୀ ପଞ୍ଜୀକରଣ କରିଥିଲେ। କିନ୍ତୁ ଚଳିତବର୍ଷ ଅଗଷ୍ଟ ୨୦ ସୁଦ୍ଧା ମାତ୍ର ୧୨୧୫ ଜଣ, ଅର୍ଥାତ୍ ପ୍ରାୟ ୩୮ ପ୍ରତିଶତ ଚାଷୀ ପଞ୍ଜୀକରଣ କରିଛନ୍ତି। ଏବେ ବି ୧୯୮୯ ଜଣ, ଅର୍ଥାତ୍ ୬୨ ପ୍ରତିଶତ ଚାଷୀ ପଞ୍ଜୀକରଣ କରିନାହାନ୍ତି। ପଞ୍ଜୀକରଣ ପାଇଁ ଆଉ ଅଳ୍ପ ଦିନ ଥିବାରୁ ଏହାକୁ ନେଇ ଚାଷୀଙ୍କ ଚିନ୍ତା ବଢ଼ିଛି। ନୂଆ ନିୟମ ଅନୁସାରେ ଗୋଟିଏ ପ୍ୟାକ୍ସ ପାଇଁ ଗୋଟିଏ ମାତ୍ର ଆଇଡି ରହିଛି। ଜଣେ ଚାଷୀଙ୍କ ଡାଟା ସବମିଟ୍ ହେବା ପରେ ହିଁ ପରବର୍ତ୍ତୀ ଚାଷୀଙ୍କ ଡାଟା ଏଣ୍ଟ୍ରି କରାଯାଇପାରୁଛି। ଏହା ସହ ଆଇ-ସ୍କାନ୍ ଓ ଫଟୋ ଅପଲୋଡ୍ ଭଳି ପ୍ରକ୍ରିୟା ମଧ୍ୟ ରହିଛି। ତା’ ଉପରେ ଘଣ୍ଟା ଘଣ୍ଟା ଧରି ସର୍ଭର ଡାଉନ୍ ରହୁଥିବାରୁ ପଞ୍ଜୀକରଣ ପ୍ରକ୍ରିୟା ଆହୁରି ଧିମା ହୋଇଯାଉଛି।

ଗୋଟିଏ ଗୋଟିଏ ପ୍ୟାକ୍ସରେ ୩୦୦ରୁ ୪୦୦ ଜଣ ଚାଷୀ ରହୁଥିବା ବେଳେ ଗୋଟିଏ ଆଇଡିରେ ଏତେ ସଂଖ୍ୟକ ଚାଷୀଙ୍କ ପଞ୍ଜୀକରଣ କିପରି ସମ୍ଭବ ହେବ, ତାହାକୁ ନେଇ ପ୍ରଶ୍ନ ଉଠିଛି। ଏନେଇ ସମବାୟ ସମିତି ଉପନିବନ୍ଧକଙ୍କ ପ୍ରତିକ୍ରିୟା ମିଳିନଥିବା ବେଳେ, ପଞ୍ଜୀକରଣ ଅବଧି ବଢ଼ାଇବାକୁ ଚାଷୀମାନେ ଦାବି କରିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)