କେଜି ରୁ ପିଜି ଯାଏଁ ମାଗଣା ପାଠ ପଢାକୁ ସରକାରଙ୍କ ଗୁରୁତ୍ତ୍ଵ

ଭୁବନେଶ୍ୱର: ରାଜ୍ୟ ସରକାର ଶିକ୍ଷା କ୍ଷେତ୍ରରେ ନେଇଛନ୍ତି ଏକ ଯୁଗାନ୍ତକାରୀ ତଥା ଐତିହାସିକ ନିଷ୍ପତ୍ତି । ୪୩ ତମ କ୍ୟାବିନେଟ ବୈଠକରେ ୧୨ଟି ଗୁରୁତ୍ତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁମୋଦନ କରିଛନ୍ତି । ଏହା ମଧ୍ୟରୁ ସବୁଠାରୁ ବଡ଼ ନିଷ୍ପତ୍ତି ହେଉଛି “ଜ୍ଞାନୋଦୟ- ଶିକ୍ଷାରୁ ସମୃଦ୍ଧି” ଯୋଜନା । ବୈଠକ ପରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ, ରାଜ୍ୟର କେ.ଜି (KG) ରୁ ପି.ଜି (PG) ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ସମ୍ପୂର୍ଣ୍ଣ ମାଗଣା ଶିକ୍ଷା ପ୍ରଦାନ କରାଯିବ। ସମସ୍ତ ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ସ୍କୁଲରେ ନାମଲେଖା ହେବ ମାଗଣା । ସ୍ନାତକୋତ୍ତର ଶିକ୍ଷା ପର୍ଯ୍ୟନ୍ତ ନାମଲେଖା ଦେୟ ପଡ଼ିବନି । ବର୍ଷକୁ ସରକାରଙ୍କୁ ଏଥିପାଇଁ ୮୯୫ କୋଟି ବହନ କରିବାକୁ ପଡ଼ିବ । ଆସନ୍ତା ୫ ବର୍ଷରେ ୫ ହଜାର ୪୬୭ କୋଟି ବ୍ୟୟ ହେବ ବୋଲି କହିଲେ ମୁଖ୍ୟମନ୍ତ୍ରୀ ।