ଭୀମସେନ ଟୁଡ଼ୁଙ୍କ ଜାମିନ ଆବେଦନ ଖାରଜ

କଟକ : ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ଘଟଣାରେ ପୁରୁଷ ବନ୍ଧୁ ଭୀମସେନ ଟୁଡୁଙ୍କ ଜାମିନ ଆବେଦନ ଖାରଜ । ଜାମିନ ଆବେଦନ ଖାରଜ କଲେ କଟକ ସ୍ବତନ୍ତ୍ର ଅଦାଲତ । ଘଟଣାର ତଦନ୍ତ ଚାଲିଥିବାରୁ ଜାମିନରେ ଛାଡ଼ ପାଇବା ପରେ ଅଭିଯୁକ୍ତ ତଦନ୍ତରେ ଅସହଯୋଗ କରିବା ଓ ସାକ୍ଷୀଙ୍କୁ ପ୍ରଭାବିତ କରିବାର ସମ୍ଭାବନାକୁ ନେଇ ଜାମିନ ଆବେଦନ ଖାରଜ କରାଯାଇଥିବା କୋର୍ଟ ଦର୍ଶାଇଛନ୍ତି ।
ସୂଚନାନୁସାରେ, ମେ ୪ତାରିଖରେ କଟକ କାଠଯୋଡ଼ି ବ୍ରିଜ ତଳୁ ଚନ୍ଦ୍ରିକାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ପରିବାର ବର୍ଗଙ୍କ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଥିଲା ବାରଙ୍ଗ ଥାନା ପୋଲିସ । ପରେ ଚନ୍ଦ୍ରିକାଙ୍କ ପୁରୁଷ ବନ୍ଧୁ ଓଟିଏସ ଅଧିକାରୀ ଭୀମସେନ ଟୁଡୁଙ୍କୁ ତାଙ୍କ ମୟୁରଭଞ୍ଜ ଜିଲ୍ଲାସ୍ଥିତ ବିଶୋଇ ଘରୁ ଗିରଫ କରିଥିଲା ବାରଙ୍ଗ ପୋଲିସ । ଦୀର୍ଘ ବର୍ଷର ପ୍ରେମ ସତ୍ତ୍ବେ ପରେ ଚନ୍ଦ୍ରିକାଙ୍କ ରଙ୍ଗ ଏବଂ ପେଶାକୁ ନେଇ ଆକ୍ଷେପ କରିଥିଲେ ଭୀମସେନ । ଅନ୍ୟ ଜଣେ ଯୁବତୀଙ୍କ ସହିତ ସମ୍ପର୍କ ବଢ଼ାଇବାରୁ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା ।
ସେହିପରି ଗତକିଛି ଦିନ ତଳେ ନବନିଯୁକ୍ତ ଓଡ଼ିଶା ଟାକ୍ସେସନ୍ ଏବଂ ଆକାଉଣ୍ଟସ ସର୍ଭିସ୍ (ଓଟିଏସ୍) ଅଧିକାରୀ ଭୀମସେନ ଟୁଡୁଙ୍କ ଉପରେ ରାଜ୍ୟ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ନେଇଥିଲେ । ୪୮ ଘଣ୍ଟା ଧରି ଜେଲରେ ରହିବା ପରେ ଜୁନ ୨୭ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ସରକାରୀ ଚାକିରିରୁ ବହିଷ୍କାର କରିବା ସହ ସେ ଭବିଷ୍ୟତରେ ମଧ୍ୟ ସରକାରୀ ଚାକିରି ପାଇବା ପାଇଁ ଯୋଗ୍ୟ ହେବେ ନାହିଁ ବୋଲି ନିର୍ଦେଶ ଦେଇଥିଲେ ।