କମ୍ପୁଛି ବାରବାଟୀ, ଆରମ୍ଭ ହେଲା ଓଡ଼ିଶା ଟି-୨୦ ଲିଗ୍
ନନ୍ଦିଘୋଷ ବ୍ୟୁରୋ : କମ୍ପୁଛି ବାରବାଟୀ। କ୍ରୀଡ଼ାପ୍ରେମୀଙ୍କ ଭିଡ଼ରେ ଫୁଲ୍ ଗ୍ୟାଲେରି। ଆରମ୍ଭ ହୋଇଛି ଓଡ଼ିଶା ଟି-୨୦ ଲିଗ୍। ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ଆନୁକୂଲ୍ୟରେ ଏବଂ ଭାରତ ମସଲା ପ୍ରାୟୋଜିତ ଓଡ଼ିଶା ଟି-୨୦ ଲିଗ୍ର ଉଦ୍ଘାଟନୀ ଉତ୍ସବ ବାରବାଟୀ ଷ୍ଟାଡିୟମ୍ରେ ଆୟୋଜିତ ହେଉଛି। ସମ୍ପୂର୍ଣ୍ଣ ଆଇପିଏଲ୍ ଢାଞ୍ଚାରେ ଆୟୋଜିତ ଏହି ଲିଗ୍ର ଶୁଭାରମ୍ଭରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର୍ ସୁରେଶ ରୈନା ଓ ଦେବାଶିଷ ମହାନ୍ତି ବ୍ରାଣ୍ଡ ଆମ୍ବାସଡର୍ ଭାବେ ଉଦ୍ଘାଟନୀ ଉତ୍ସବରେ ଯୋଗଦେବେ। ଏହାପରେ କଟକ ପାନ୍ଥର୍ସ ଓ ସମ୍ବଲପୁର ୱାରିୟର୍ସ ମଧ୍ୟରେ ଉଦ୍ଘାଟନୀ ମ୍ୟାଚ୍ ଖେଳାଯିବ। ଓସିଏର ଆଶା, ଏହି ଟୁର୍ଣ୍ଣାମେଣ୍ଟ ଯୁବ କ୍ରିକେଟର୍ମାନଙ୍କ ପାଇଁ ଏକ ବଡ଼ ସୁଯୋଗ ସୃଷ୍ଟି କରିବ।
ଓଡ଼ିଶା ଟି-୨୦ ଲିଗ୍ରେ କଟକ ପାନ୍ଥର୍ସ, ଭୁବନେଶ୍ୱର ଟାଇଗର୍ସ, ପୁରୀ ଟାଇଟନ୍ସ, ସମ୍ବଲପୁର ୱାରିୟର୍ସ, କେନ୍ଦୁଝର ମାଇନ୍ସ ଓ ରାଉରକେଲା ସୁପରଷ୍ଟାର୍ସ ଭଳି ୬ଟି ଟିମ୍ ମଧ୍ୟରେ ଆସନ୍ତା ୧୦ ଦିନ ଧରି କଡ଼ା ଟକ୍କର ହେବ। ଏଥିରେ ଓଡ଼ିଶାର ରଣଜୀ ଖେଳାଳିଙ୍କ ସହ ୨୩ ବର୍ଷରୁ କମ୍ ଓ ୧୯ ବର୍ଷରୁ କମ୍ ଖେଳାଳିମାନେ ନିଜ ପ୍ରତିଭା ପ୍ରଦର୍ଶନ କରିବେ। ଶ୍ରେଷ୍ଠ ପ୍ରଦର୍ଶନ କରୁଥିବା ଖେଳାଳିମାନେ ଜାତୀୟସ୍ତରରେ ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିବାର ସୁଯୋଗ ପାଇପାରନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
