କଂସରଝରଣ ଜଳଭଣ୍ଡାର ସ୍ୱପ୍ନ ଅଧୁରା: ୩୨ ବର୍ଷ ତଳର ବିଜୁ ପଟ୍ଟନାୟକଙ୍କ ପ୍ରତିଶ୍ରୁତି ଏବେ ସ୍ମୃତି
"ବିଜୟ ସ୍ବାଇଁ ଯୁଯୁମୁରା: ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ୍ କଂସର ପଞ୍ଚାୟତର କଂସରଝରଣରେ ଏକ ବୃହତ୍ ଜଳଭଣ୍ଡାର ନିର୍ମାଣ ଦାବି ବହୁ ପୁରୁଣା।
ପ୍ରାୟ ୩୨ ବର୍ଷ ତଳେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକ ଏହି ପ୍ରକଳ୍ପ ପାଇଁ ପ୍ରତିଶ୍ରୁତି ଦେଇଥିଲେ।
ଏହାମଧ୍ୟରେ ତିନି ଦଶନ୍ଧି ବିତିଯାଇଥିଲେ ହେଁ ପ୍ରକଳ୍ପ ପାଇଁ କାହାରି ଚିନ୍ତା ନାହିଁ।
ଝରଣାର ପାଣି ଅନାୟାସରେ ତଳକୁ ବହିଯାଉଛି ଏବଂ ସ୍ଥାନୀୟ ଅଞ୍ଚଳର ଚାଷୀମାନେ ଜଳସେଚନ ସୁବିଧାରୁ ବଞ୍ଚିତ ହେଉଛନ୍ତି।
Advertisment Nita Ambani: ଫର୍ଚ୍ୟୁନ୍ର ସବୁଠୁ ପ୍ରଭାବଶାଳୀ ମହିଳା ତାଲିକାରେ ନୀତା ଅମ୍ବାନୀ ୧ ନମ୍ବର ୧୯୯୪ ମସିହା ଏପ୍ରିଲ ୩୦ ତାରିଖରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଯୁଯୁମୁରା ବ୍ଲକ୍ ଗସ୍ତରେ ଆସି କୟାକୁଦ ପଞ୍ଚାୟତ କାର୍ଯ୍ୟାଳୟ ଓ ଯୁଯୁମୁରା ମାର୍କେଟ୍ କମ୍ପ୍ଲେକ୍ସର ଉଦ୍ଘାଟନ କରିଥିଲେ।
ସେହି ସମୟରେ ସ୍ଥାନୀୟ ଚାଷୀ ଓ ଅଞ୍ଚଳବାସୀ କଂସରଝରଣରେ ଏକ ଜଳଭଣ୍ଡାର ନିର୍ମାଣ ପାଇଁ ତାଙ୍କୁ ଦାବି ଜଣାଇଥିଲେ।
ଏହାକୁ ଗୁରୁତ୍ୱର ସହ ନେଇ ବିଜୁ ପଟ୍ଟନାୟକ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ପ୍ରତିଶ୍ରୁତି ଦେଇଥିଲେ।
ସେତେବେଳେ ରେଢ଼ାଖୋଲର ତତ୍କାଳୀନ ବିଧାୟକ ଓ ମନ୍ତ୍ରୀ ସ୍ୱର୍ଗତ ବସନ୍ତ ମହାନନ୍ଦ ମଧ୍ୟ ଉପସ୍ଥିତ ଥିଲେ।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଭୁବନେଶ୍ୱରରୁ ଏକ ବୈଷୟିକ ଦଳ ଆସି ପ୍ରସ୍ତାବିତ ସ୍ଥାନ ପରିଦର୍ଶନ କରିଥିଲା।
ଅଞ୍ଚଳବାସୀଙ୍କ ସହ ଆଲୋଚନା କରି ପ୍ରାଥମିକ ସର୍ଭେ ମଧ୍ୟ କରାଯାଇଥିଲା।
ପରବର୍ତ୍ତୀ ସମୟରେ ଅଞ୍ଚଳର ବହୁ ବ୍ୟକ୍ତି ଭୁବନେଶ୍ୱରଠାରୁ ଜିଲ୍ଲାସ୍ତରୀୟ ବିଭିନ୍ନ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବାରମ୍ବାର ଦୌଡ଼ିଥିଲେ ମଧ୍ୟ ପ୍ରକଳ୍ପଟି ଫାଇଲ୍ ଭିତରେ ସୀମିତ ରହିଗଲା।
ଫଳରେ ପ୍ରବାଦ ପୁରୁଷଙ୍କର ସେହି ପ୍ରତିଶ୍ରୁତି ଆଜି କେବଳ ସ୍ମୃତି ହୋଇ ରହିଯାଇଛି ବୋଲି ଅଞ୍ଚଳବାସୀ ଦୁଃଖର ସହ ପ୍ରକାଶ କରିଛନ୍ତି।
ଚାଷ ପାଇଁ ଝରଣା ପାଣି ସଂରକ୍ଷଣ ଦାବି ଯୁଯୁମୁରା ବ୍ଲକ୍ର ଅଧିକାଂଶ ଅଞ୍ଚଳ ଘନ ଜଙ୍ଗଲରେ ଘେରା।
ଜରାଙ୍ଗ ଜଙ୍ଗଲରୁ ଦେବଝରଣ, କଂସରଝରଣ, କୁଠେରଝରଣ ଓ କଞ୍ଚନପୁର ନିକଟ ନାକଟିଦେଉଳ ଅଞ୍ଚଳର ବିଭିନ୍ନ ପ୍ରାକୃତିକ ଝରଣାରୁ ବର୍ଷସାରା ପାଣି ପ୍ରବାହିତ ହୋଇଥାଏ।
ଏହି ପ୍ରାକୃତିକ ସମ୍ପଦର ଠିକ୍ ବ୍ୟବହାର ହେଲେ ହଜାର ହଜାର ଏକର ଜମିକୁ ଜଳସେଚନ ସୁବିଧା ମିଳିପାରିବ ବୋଲି ସ୍ଥାନୀୟ ଲୋକଙ୍କ ମତ।
ଦେବଝରଣକୁ ଇକୋ-ଟୁରିଜମ୍ କେନ୍ଦ୍ର ଭାବେ ବିକଶିତ କରାଯାଇଥିବାରୁ ସେଠାରେ ପର୍ଯ୍ୟଟନର ବିକାଶ ସହ ଚାଷୀମାନେ ଜଳସେଚନ ସୁବିଧା ମଧ୍ୟ ପାଉଛନ୍ତି।
ସେହି ଢାଞ୍ଚାରେ କଂସରଝରଣର ବିକାଶ କରାଗଲେ ପର୍ଯ୍ୟଟନ ସହ କୃଷି କ୍ଷେତ୍ରର ମଧ୍ୟ ଉନ୍ନତି ହୋଇପାରିବ।
କଂସରଝରଣ ନିକଟରେ ସରକାରୀ ଜମି ସହ କିଛି ରୟତି ଚାଷ ଜମି ରହିଛି।
Attack: ପବିତ୍ର ମୋହନ ପ୍ରଧାନ ଚିକିତ୍ସାଳୟ ଷ୍ଟାର୍ଫ ନର୍ସଙ୍କୁ ଛୁରା ମାଡ଼ ଜଳଭଣ୍ଡାର ନିର୍ମାଣ ପାଇଁ ଆବଶ୍ୟକ ହେଲେ ନିଜ ଜମି ଛାଡ଼ିବାକୁ ଅନେକ ଚାଷୀ ପ୍ରସ୍ତୁତ ଥିବା କହିଛନ୍ତି।
ଜଳଭଣ୍ଡାର ନିର୍ମାଣ ହେଲେ ଗରଗଡବାହାଳ, ମୂଷାକାନୀ, କଂସର, ଢାଡୁମୁଣ୍ଡା ସମେତ ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ପ୍ରାୟ ୫୦୦ ଚାଷୀ ପରିବାର ସିଧାସଳଖ ଉପକୃତ ହେବେ।
ଧାନ ସମେତ ବିଭିନ୍ନ ରବି ଓ ପନିପରିବା ଚାଷ କରି ଚାଷୀମାନେ ଆର୍ଥିକ ଭାବେ ସ୍ୱାବଲମ୍ବୀ ହୋଇପାରିବେ।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ସରକାର ଭୂତଳ ଜଳ ସଂରକ୍ଷଣ ପାଇଁ ବିଭିନ୍ନ ଯୋଜନା କରୁଥିବା ବେଳେ କଂସରଝରଣ ପରି ପ୍ରାକୃତିକ ଜଳସ୍ରୋତକୁ ବ୍ୟବହାର କରି ଜଳଭଣ୍ଡାର ନିର୍ମାଣ କଲେ ଦୀର୍ଘମିଆଦୀ ଲାଭ ମିଳିବ।
ବର୍ଷା ପାଣି ସଂରକ୍ଷିତ ହୋଇ ପରିବେଶ ଓ ବନ୍ୟଜନ୍ତୁଙ୍କ ପାଇଁ ଉପକାରୀ ସାବ୍ୟସ୍ତ ହେବ।
ଜିଲ୍ଲା ପ୍ରଶାସନ, ବନ ବିଭାଗ ଓ ଜଳସେଚନ ବିଭାଗ ମିଳିତ ଭାବେ ପୁନଃ ସର୍ଭେ କରି ପ୍ରସ୍ତାବିତ ଜଳଭଣ୍ଡାର ପ୍ରକଳ୍ପକୁ ଶୀଘ୍ର କାର୍ଯ୍ୟକାରୀ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
ଜଳସେଚନ ବିଭାଗର ଏସ୍ଡିଓ ଘନଶ୍ୟାମ ଭୋଇ କହିଛନ୍ତି, ସର୍ଭେ ପରେ ପ୍ରକଳ୍ପର ସମ୍ଭାବନା ଓ ଜଙ୍ଗଲ ସମ୍ପର୍କିତ ଆବଶ୍ୟକ ଦିଗକୁ ବିଚାର କରାଯିବ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।