ଏସି ହୋଇପାରେ କ୍ଷତିକାରକ

Jun 15, 2026 - 17:18
ଏସି ହୋଇପାରେ କ୍ଷତିକାରକ

 

ଗ୍ରୀଷ୍ମ ଋତୁର ପ୍ରକୋପ ଓ ଗୁଳୁଗୁଳିରୁ ରକ୍ଷା ପାଇବା ପାଇଁ  ଏସି ଆମକୁ ଆରାମ ଦେଇଥାଏ ସତ, କିନ୍ତୁ ଏହି ଶୀତଳ ପରିବେଶ ଅଜାଣତରେ ଶରୀରରେ ମାରାତ୍ମକ 'ଡିହାଇଡ୍ରେସନ୍' ବା ଜଳାଭାବର କାରଣ ସାଜିଥାଏ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି । ବିଶେଷଜ୍ଞଙ୍କ ଅନୁଯାୟୀ, ଏସି ରୁମର ଶୁଷ୍କ ପବନ ଯୋଗୁଁ ଆମ ଶରୀରର ଚର୍ମ ଏବଂ ଶ୍ୱାସକ୍ରିୟା ମାଧ୍ୟମରେ କ୍ରମାଗତ ଭାବେ ଜଳୀୟବାଷ୍ପ ବାହାରିଯାଏ, ଯାହାକୁ ଆଇନଗତ ଭାଷାରେ 'ଟ୍ରାନ୍ସଏପିଡର୍ମାଲ୍ ୱାଟର ଲସ୍' କୁହାଯାଏ । ଏସିର ଥଣ୍ଡା ମାହୋଲରେ ଶରୀରର ତାପମାତ୍ରା ବଢ଼ୁନଥିବାରୁ ମସ୍ତିଷ୍କକୁ ଶୋଷର ସଙ୍କେତ ମିଳେନାହିଁ ଏବଂ ଲୋକେ ପାଣି ପିଇବା ଭୁଲିଯାଆନ୍ତି । ଯେଉଁଥିପାଇଁ ବିନା ଝାଳ ବାହାରି ମଧ୍ୟ ଶରୀରରେ ପାଣିର ଅଭାବ ଦେଖାଦେଇଥାଏ । ଏହି ଜଳାଭାବ ଯୋଗୁଁ କିଡନୀ ପାଣି ବଞ୍ଚାଇବା ପାଇଁ ଆଣ୍ଟିଡାୟୁରେଟିକ୍ ହରମୋନ୍ ସାହାଯ୍ୟରେ ପରିସ୍ରାକୁ ଅଧିକ ଘନୀଭୂତ କରିଦିଏ । ଯାହାଦ୍ୱାରା ପରିସ୍ରାର ରଙ୍ଗ ଗାଢ଼ ହେବା ସହ ଏହାର ମାତ୍ରା କମିଯାଏ ଏବଂ ଦିନ ଶେଷ ବେଳକୁ ମୁଣ୍ଡବିନ୍ଧା, କ୍ଲାନ୍ତି ଓ ମାନ୍ଦାପଣ ଅନୁଭୂତ ହୁଏ । ବିଶେଷ କରି ଯେଉଁମାନେ ଏସିରେ ରହି ବାରମ୍ବାର ଚା' କିମ୍ବା କଫି ପିଅନ୍ତି, ସେଥିରେ ଥିବା କଫିନର 'ଡାୟୁରେଟିକ୍ ପ୍ରଭାବ' ଯୋଗୁଁ ଶରୀରର ଫ୍ଲୁଇଡ୍ ବାଲାନ୍ସ ବିଗିଡ଼ିଯାଏ ଏବଂ ଅନେକ ସମସ୍ୟା ଉପୁଜିଥାଏ । ଏହି ସମସ୍ୟାର ପ୍ରତିକାର ସ୍ୱରୂପ, ଏସିରେ ରହୁଥିବା ଜଣେ ବ୍ୟକ୍ତି ଶୋଷକୁ ଅପେକ୍ଷା ନକରି ଯୋଜନାବଦ୍ଧ ଭାବେ ଦୈନିକ ସାଧାରଣ ମାତ୍ରାଠାରୁ ୩୦୦-୫୦୦ ମିଲିଲିଟର ଅଧିକ ଅର୍ଥାତ୍ ପ୍ରାୟ ୨.୫ ରୁ ୩ ଲିଟର ପାଣି ଅଳ୍ପ ଅଳ୍ପ କରି ପିଇବା ଉଚିତ । ଏହାସହ ଶରୀରକୁ 'ଟେମ୍ପରେଚର ସକ୍'ରୁ ରକ୍ଷା କରିବା ପାଇଁ ହଠାତ୍ ଏସି ରୁମରୁ ଅତ୍ୟଧିକ ଗରମକୁ ନଯାଇ ଧୀରେ ଧୀରେ ବାହାର ପରିବେଶ ସହ ନିଜକୁ ଆଡଜଷ୍ଟ କରିବା ଆବଶ୍ୟକ ରହିଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।