ଏକ ହଜାର ବର୍ଷ ପୁରୁଣା ସହର

ଦକ୍ଷିଣ ମେକ୍ସିକୋର ଜଙ୍ଗଲ ମଧ୍ୟରେ ଦୀର୍ଘ ଏକ ହଜାର ବର୍ଷରୁ ଅଧିକ ସମୟ ଧରି ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ଏକ ପ୍ରାଚୀନ ମାୟା ସଭତ୍ୟା ସମୟର ଏକ ସହରର ସନ୍ଧାନ ମିଳିଛି, ଯାହାକୁ ପ୍ରତ୍ନତତ୍ତ୍ୱବିତ୍ମାନେ ସାମ୍ପ୍ରତିକ ସମୟର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର ବୋଲି କହୁଛନ୍ତି । କ୍ୟାମ୍ପେଚେ ପ୍ରଦେଶର 'କାଲାକମୁଲ ବାୟୋସ୍ଫିୟର ରିଜର୍ଭ'ର ଏକ ଦୁର୍ଗମ ଅଞ୍ଚଳରେ ଅବସ୍ଥିତ ଏହି ସହରର ନାମ 'ମିନାନବେ' ରଖାଯାଇଛି । ଯାହାର ୟୁକାଟେକ ମାୟା ଭାଷାରେ ଅର୍ଥ ହେଉଛି "ସେଠାକୁ କୌଣସି ରାସ୍ତା ନାହିଁ" । ସ୍ଲୋଭେନିଆନ୍ ଏକାଡେମୀ ଅଫ୍ ସାଇନ୍ସେସ୍ ଆଣ୍ଡ ଆର୍ଟସର ପ୍ରତ୍ନତତ୍ତ୍ୱବିତ୍ ଇଭାନ୍ ସ୍ପ୍ରାଜକଙ୍କ ନେତୃତ୍ୱରେ ଏକ ମେକ୍ସିକାନ-ସ୍ଲୋଭେନିଆନ୍ ମିଳିତ ଗବେଷଣା ଦଳ ଦ୍ୱାରା ଏହି ଆବିଷ୍କାର କରାଯାଇଛି । ଯାହା ମଧ୍ୟ-ମାୟା ନିମ୍ନଭୂମି ଅଞ୍ଚଳରେ ଦୀର୍ଘ ତିନି ଦଶନ୍ଧିର ଅନୁସନ୍ଧାନର ଏକ ବଡ଼ ସଫଳତା। ମେକ୍ସିକୋର ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଆନ୍ଥ୍ରୋପୋଲୋଜି ଆଣ୍ଡ ହିଷ୍ଟ୍ରି ଅନୁଯାୟୀ, ଏହି ସ୍ଥାନରୁ ଏକ ୪୩ ଫୁଟ ଉଚ୍ଚର ପିରାମିଡ୍ ମନ୍ଦିର ସହିତ ୧୪ଟି ଖୋଦିତ ବେଦୀ ଏବଂ ଶିଳାଲିପି ମିଳିଛି । ପ୍ରାରମ୍ଭରେ 'ଲିଡାର୍' ଆକାଶମାର୍ଗ ସ୍କାନିଂ ଜରିଆରେ ଜଙ୍ଗଲ ତଳେ ପ୍ରାୟ ୧୫ ହେକ୍ଟର ବିଶିଷ୍ଟ ଏହି ଜନବସତିର ସନ୍ଧାନ ମିଳିଥିଲା । ପରେ ସ୍ଥଳଭାଗରେ ଯାଞ୍ଚ କରିବା ପରେ ଏକ ଜଟିଳ ସହରୀ କେନ୍ଦ୍ର, ପ୍ରାସାଦ, ଧାର୍ମିକ କୋଠାବାଡ଼ି, ପାହାଚଭିତ୍ତିକ ଚଟାଣ ଏବଂ ଏକ ବ୍ୟାପକ ଜଳ ପରିଚାଳନା ପ୍ରଣାଳୀ ଥିବା ନିଶ୍ଚିତ ହୋଇଛି । ଏଗୁଡିକ ସବୁ ସେମାନଙ୍କର ଉଚ୍ଚକୋଟୀର ନଗର ଯୋଜନାକୁ ଦର୍ଶାଉଛି । ପ୍ରତ୍ନତତ୍ତ୍ୱବିତ୍ ଭିତାନ ଭୁଜାନୋଭିକ୍ ଏବଂ ତାଙ୍କ ସହକର୍ମୀମାନଙ୍କ ଦ୍ୱାରା କରାଯାଇଥିବା ସର୍ଭେ ଅନୁଯାୟୀ, ଏହି ପିରାମିଡ୍ ମନ୍ଦିରଟି ୭ମ ରୁ ୧୨ଶ ଶତାବ୍ଦୀର ଶାସ୍ତ୍ରୀୟ 'ରିଓ ବେକ୍' ସ୍ଥାପତ୍ୟ ଶୈଳୀର ଅଟେ । ବିଶେଷଜ୍ଞଙ୍କ ମତରେ, ଏହି ସହରଟି ଖ୍ରୀଷ୍ଟାବ୍ଦ ୬୦୦ - ୯୦୦ ମଧ୍ୟରେ ଅଧିକ ସମୃଦ୍ଧ ଥିଲା ଏବଂ ଆଞ୍ଚଳିକ କୃଷି ତଥା ବାଣିଜ୍ୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ତେବେ ଏହାର ଶେଷ ସମୟରେ ବାହ୍ୟ ଆକ୍ରମଣ କିମ୍ବା ସଂଘର୍ଷର କିଛି ପ୍ରମାଣ ମଧ୍ୟ ମିଳିଛି ।