ଆରମ୍ଭରୁ ବିରୋଧ

Jun 13, 2026 - 05:48
ଆରମ୍ଭରୁ ବିରୋଧ

 

ଉତ୍ତରାଖଣ୍ଡର  ହରିଦ୍ୱାରର ଶ୍ରବଣନାଥ ନଗର ସ୍ଥିତ ଭଟିଆ ଭବନରେ ବଲିଉଡର ଜଣାଶୁଣା ଅଭିନେତା ଇମ୍ରାନ ହାସମୀଙ୍କ ଏକ ଆଗାମୀ ଚଳଚ୍ଚିତ୍ରର ସୁଟିଂ ଚାଲିଥିବା ସମୟରେ  ଅଧାରୁ ବିରୋଧ ହୋଇଥିବା ଜଣାପଡିଛି । ତେବେ ସୂଚନା ଅନୁସାରେ ବାର୍ ଆଣ୍ଡ ରେଷ୍ଟୁରାଣ୍ଟର ଏକ ନକଲି ସେଟ୍ ବୋର୍ଡକୁ କେନ୍ଦ୍ର କରି ସ୍ଥାନୀୟ ଲୋକ, ହିନ୍ଦୁତ୍ୱବାଦୀ ସଂଗଠନ ଏବଂ ତୀର୍ଥ ପୁରୋହିତମାନଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ତଥା ପ୍ରବଳ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଛି। ବୁଧବାର ବିଳମ୍ବିତ ରାତିରେ ଚଳଚ୍ଚିତ୍ରର ଏକ ଦୃଶ୍ୟର ସୁଟିଂ ପାଇଁ ଘର ବାହାରେ ଏହି ଆପତ୍ତିଜନକ ବୋର୍ଡ ଲଗାଯାଉଥିବା ବେଳେ, ଏହାର ସୂଚନା ପାଇ ପ୍ରାୟ ୧୦ ରୁ ୧୨ ଜଣ ସ୍ଥାନୀୟ ଲୋକ ଓ ତୀର୍ଥ ପୁରୋହିତ ସେଠାରେ ପହଞ୍ଚି ଭିଡିଓ ସୁଟିଂ କରିବା ସହ ମେକର୍ସ ଓ କ୍ରୁ ମେମ୍ବରମାନଙ୍କ ସହିତ ପ୍ରବଳ ଯୁକ୍ତିତର୍କ କରିଥିଲେ । ବିରୋଧ କରୁଥିବା ଲୋକଙ୍କ  ମତ ଅନୁଯାୟୀ, ହରିଦ୍ୱାର ହେଉଛି ବିଶ୍ୱପ୍ରସିଦ୍ଧ ପବିତ୍ର ଧର୍ମନଗରୀ ଯେଉଁଠାରେ ମାଂସ ଓ ମଦ ସମ୍ପୂର୍ଣ୍ଣ ରୂପେ ନିଷେଧ, ଏବଂ ମାଗଙ୍ଗାଙ୍କ ପାବନ ତଟଠାରୁ ମାତ୍ର କିଛି ଦୂରରେ ଏଭଳି ବାର୍ର ବୋର୍ଡ ଲଗାଇବା ଦ୍ୱାରା କୋଟି କୋଟି ଶ୍ରଦ୍ଧାଳୁଙ୍କ ଧାର୍ମିକ ଭାବନା ଆହତ ହେବ । ତେଣୁ ସେମାନେ ଏହାର ବିରୋଧ କରୁଛନ୍ତି । ଅପରପକ୍ଷରେ ସୁଟିଂ ଦଳର ସଦସ୍ୟମାନେ ସେମାନଙ୍କ ପାଖରେ ସୁଟିଂ ପାଇଁ ପ୍ରଶାସନିକ ଅନୁମତି ଥିବା କଥା କହିଛନ୍ତି । ହେଲେ ଉତ୍ତ୍ୟକ୍ତ ଲୋକମାନେ ଧର୍ମନଗରୀର ମର୍ଯ୍ୟାଦା ଆଗରେ କୌଣସି ପ୍ରକାରର ବୁଝାମଣା କରାଯିବ ନାହିଁ ବୋଲି ସ୍ପଷ୍ଟ ଚେତାବନୀ  ଦେଉଥିବା ଭିଡିଓରୁ ଜଣା ପଡିଛି । ତେବେ ଘଟଣା ସମ୍ପର୍କରେ ଇମ୍ରାନ ହାସମୀଙ୍କର କୌଣସି ମତ ମିଳିପାରିନାହିଁ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।