ଆଜି ସନ୍ଧ୍ୟା ଦର୍ଶନ ବନ୍ଦ ପରେ ଆରମ୍ଭ ହେବ ବାହୁଡା ପ୍ରସ୍ତୁତି

Jul 23, 2026 - 13:04
ଆଜି ସନ୍ଧ୍ୟା ଦର୍ଶନ ବନ୍ଦ ପରେ ଆରମ୍ଭ ହେବ ବାହୁଡା ପ୍ରସ୍ତୁତି

ପୁରୀ: ଆସନ୍ତା କାଲି ଶ୍ରୀଜୀଉଙ୍କ ବାହୁଡା ଯାତ୍ରା । ଆଜି ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଜନ୍ମବେଦୀରେ ମହାପ୍ରଭୁଙ୍କ ଶେଷ ଆଡ଼ପ ଦର୍ଶନ ପାଇବେ ଶ୍ରଦ୍ଧାଳୁ । ବାହୁଡ଼ା ଯାତ୍ରା ପ୍ରସ୍ତୁତିକୁ ଦୃଷ୍ଟିରେ ସନ୍ଧ୍ୟାପରେ ଆଡ଼ପ ଦର୍ଶନ ବନ୍ଦ ରଖିବାକୁ ନିଷ୍ପତି ନେଇଛି ଶ୍ରୀମନ୍ଦିର ପ୍ରଶାସନ । ସନ୍ଧ୍ୟା ଦର୍ଶନ ଦିନ ଟିକେଟ୍‌ଧାରୀ ଗର୍ଭଗୃହକୁ ପ୍ରବେଶ କରିପାରିବେ ନାହିଁ । ମାତ୍ର ସେବକ ପରିବାରର ମହିଳାମାନଙ୍କୁ ଏହି ସ୍ବତନ୍ତ୍ର ସୁବିଧା ପ୍ରଦାନ କରାଯିବ । ଦର୍ଶନ ବନ୍ଦ ହେଲେ ମଧ୍ୟ କେବଳ ଆନନ୍ଦବଜାରକୁ ଯିବାଆସିବା କରିବା ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ବାର ଖୋଲା ରହିବ ଏବଂ ଆଡ଼ପ ଅବଢ଼ା ରାତି ୧୨ଟା ପର୍ଯ୍ୟନ୍ତ ଉପଲବ୍ଧ ହେବ । ଭକ୍ତମାନେ ନାକଚଣା ଦ୍ବାର ଦେଇ ଆନନ୍ଦବଜାରରୁ ଆଡ଼ପ ଅବଢ଼ା ଆଣିପାରିବେ।

ଭକ୍ତଙ୍କ ଭିଡ ଓ ଶୃଙ୍ଖଳିତ ଦର୍ଶନକୁ ଦୃଷ୍ଟିରେ ରଖି ବ୍ୟାରିକେଡ୍ କୁ ମଧ୍ୟ ସଂପ୍ରସାରଣ କରାଯାଇଛି । ଏ ନେଇ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ (SJTA) ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି।

ବାହୁଡ଼ା ଯାତ୍ରା ପୂର୍ବରୁ ଶ୍ରୀଗୁଣ୍ଡିଚା ମନ୍ଦିରର ଶୋଧ ନୀତି ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ରୀତିନୀତି ସମ୍ପନ୍ନ କରାଯିବ । ଆଜି ବିଳମ୍ବିତ ରାତିରେ ଦଇତାପତି ସେବାୟତଙ୍କ ଦ୍ବାରା ଶ୍ରୀମୁଖ ଖଣ୍ଡୁଆ,ବାହୁଟକଣ୍ଟ, କୁସୁମିଲାଗି କରାଯିବା ସହ କୋଠସୁଆଁସିଆ ସେବାୟତଙ୍କ ଦ୍ୱାରା ଚାରମାଳ ବନ୍ଧା ଯିବ । ତାପରେ କୁସୁମି ଲାଗି ହେବ । ବାହୁଡା ଦିନ ସକାଳୁ ସମସ୍ତ ନୀତି ଗୋପାଳବଲ୍ଲଭ ଓ ସକାଳ ଧୂପ ପରେ ସେନାପଟା ଲାଗି ହେବ । ଆସନ୍ତାକାଲି ଶ୍ରୀମନ୍ଦିରକୁ ବାହୁଡ଼ିବେ ଶ୍ରୀଜିଉ ।.

ମହାପ୍ରଭୁଙ୍କ ନୀତିକାନ୍ତି ଗୁଡ଼ିକ ଯେପରି ସୁରୁଖୁରୁରେ ସମ୍ପନ୍ନ ହୋଇପାରିବ, ସେଥିପାଇଁ ମନ୍ଦିର ପ୍ରଶାସନକୁ ସହଯୋଗ କରିବାକୁ ଶ୍ରଦ୍ଧାଳୁମାନଙ୍କୁ ଅନୁରୋଧ କରାଯାଇଛି । ପ୍ରସ୍ତୁତି ସମୟରେ ଉତ୍ତମ ସମନ୍ୱୟ ଏବଂ ସହଯୋଗ ପାଇଁ ଶ୍ରୀମନ୍ଦିର ପ୍ରଶାସନ ସମସ୍ତ ସେବାୟତମାନଙ୍କୁ କୃତଜ୍ଞତା ଜଣାଇଛନ୍ତି । ପୁରୀ ଆସୁଥିବା ଭକ୍ତମାନଙ୍କୁ ଏହି ସମୟସୂଚୀକୁ ଧ୍ୟାନରେ ରଖି ନିଜର ଦର୍ଶନ ଯୋଜନା କରିବାକୁ ପରାମର୍ଶ ଦିଆଯାଇଛି। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।