ଆଜି ରାଜ୍ୟସଭାରେ ଆଗତ ହେବ ବନ୍ଦେ ମାତରମ ବିଲ୍ ସହିତ ଅନ୍ୟ ୭ଟି ବିଲ
ନୂଆଦିଲ୍ଲୀ : ଆଜି ମୌସୁମୀ ଅଧିବେଶନ ପ୍ରଥମ ଦିନରେ ରାଜ୍ୟସଭାରେ ଆଗତ ହେବ ବନ୍ଦେ ମାତରମ ବିଲ୍ । ବିଲ୍ ଆଗତ କରିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ବିଲ୍ ଆଇନରେ ପରିଣତ ହେଲେ ଏଥିରେ କଠୋର ଦଣ୍ଡ ବ୍ୟବସ୍ଥା ରହିଛି । ଜାତୀୟ ଗୀତ ବନ୍ଦେ ମାତରମକୁ ବିରୋଧ କଲେ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ବ୍ୟବସ୍ଥା ନେଇ ଏହି ବିଲ୍ ରେ ରହିଛି । ପ୍ରସ୍ତାବିତ ଆଇନର ଲକ୍ଷ୍ୟ ହେଉଛି ଜାତୀୟ ଗୀତ ବନ୍ଦେ ମାତରମ୍କୁ ଆଇନଗତ ସୁରକ୍ଷା ପ୍ରଦାନ କରିବା । ବିଲ୍ ଆଇନରେ ପରିଣତ ହେଲେ ବନ୍ଦେ ମାତରମ୍ ଅପମାନକୁ ଏକ ଦଣ୍ଡନୀୟ ଅପରାଧ ଭାବେ ଧରାଯିବ ।
ଯେକେହି ଉଦ୍ଦେଶ୍ୟମୂଳକ ଭାବରେ ଜାତୀୟ ସଙ୍ଗୀତ ଗାନକୁ ଅପମାନିତ କରନ୍ତି କିମ୍ବା ବାଧା ଦିଅନ୍ତି ତାଙ୍କୁ ତିନି ବର୍ଷ ପର୍ଯ୍ୟନ୍ତ ଜେଲ୍, ଜରିମାନା କିମ୍ବା ଉଭୟ ଦଣ୍ଡ ହୋଇପାରେ। ଏବେ କୌଣସି ସରକାରୀ କାର୍ଯ୍ୟକ୍ରମରେ ଜନ ଗଣ ମନ ପୂର୍ବରୁ ବନ୍ଦେ ମାତରମ୍ ବଜାଇବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଗତ ୯ ତାରିଖରେ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ରାଜ୍ୟକୁ ଦିଆଯାଇଥିବା ନିର୍ଦ୍ଦେଶକୁ ଅନୁସରଣ କରି ଏହି ଆଇନଗତ ପଦକ୍ଷେପ ନିଆଯାଇଛି । ସଂସଦର ଚଳିତ ମୌସୁମୀ ଅଧିବେଶନରେ ଏହି ପ୍ରସ୍ତାବିତ ପରିବର୍ତ୍ତନ ଉପରେ ଆଲୋଚନା ହେବାର ଆଶା କରାଯାଇଛି ।
ସେହିପରି , ଏହି ଅଧିବେଶନରେ ସରକାର ୭ଟି ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଗତ କରିବାକୁ ଯୋଜନା କରିଛନ୍ତି। ଏଥିମଧ୍ୟରୁ ୫ଟି ନୂଆ ବିଲ୍ ଓ ୨ଟି ପୁରୁଣା ବିଲ୍। ସଂସଦରେ ଆଗତ ନିମନ୍ତେ ତାଲିକାଭୁକ୍ତ ବିଲ୍ ଗୁଡିକ ହେଲା ଆୟକର (ସଂଶୋଧନ) ବିଲ୍, ସୁପ୍ରିମକୋର୍ଟ (ବିଚାରପତିଙ୍କ ସଂଖ୍ୟା) ସଂଶୋଧନ ବିଲ, ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ (ସଂଶୋଧନ) ବିଲ୍, ଜାତୀୟ ସମ୍ମାନର ଅପମାନ ପ୍ରତିରୋଧ (ସଂଶୋଧନ) ବିଲ୍, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମଏସ୍ଏମଇ) ବିକାଶ (ସଂଶୋଧନ) ବିଲ୍ ଓ ବୈଦେଶିକ ସହାୟତା (ନିୟନ୍ତ୍ରଣ) ସଂଶୋଧନ (ଏଫସିଆରଏ) ବିଲ୍। ବିକଶିତ ଭାରତ ଶିକ୍ଷା ଅଭିସ୍ଥାନ ବିଲ୍, ୨୦୨୫ ଯାହାକୁ ଯାଞ୍ଚ ପାଇଁ ଯୁଗ୍ମ ସଂସଦୀୟ କମିଟି ପାଖକୁ ପଠାଯାଇଥିଲା ତାକୁ ଏଥର ଆଗତ କରାଯିବ ନାହିଁ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।