ସୁଧିର ପାତ୍ର ହତ୍ୟା ଘଟଣାରେ ଚାର୍ଜସିଟ ଦାଖଲ କଲା ପୋଲିସ
ବ୍ରହ୍ମପୁର : ଗୋପାଳପୁର ପ୍ଲଟ ବ୍ୟବସାୟୀ ସୁଧିର ପାତ୍ର ଅପହରଣ ଓ ହତ୍ୟା ମାମଲା । ୧୩ ଅଭିଯୁକ୍ତଙ୍କ ବିରୋଧରେ ୫୫୨ ପୃଷ୍ଠା ସମ୍ବଳିତ ଚାର୍ଜସିଟ ଦାଖଲ କରିଛି ଗୋପାଳପୁର ପୋଲିସ । ଜେଏମଏଫସି ରୁରାଲ କୋର୍ଟରେ ଚାର୍ଜସିଟ ଦାଖଲ କରାଯାଇଛି । ପୁତୁରା ତୁଷାର ପାତ୍ର,ଝିଆରୀ ନିବେଦିତା ପାତ୍ର ଏବଂ ତାଙ୍କ ପୁରୁଷ ବନ୍ଧୁ କାଳୁ ଚରଣ ପ୍ରଧାନଙ୍କୁ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଦର୍ଶାଯାଇଛି । ଚାର୍ଜସିଟରେ ୬୮ ଜଣ ସାକ୍ଷୀଙ୍କ ବୟାନ ସହ ଅନ୍ୟ ୧୩ ଅଭିଯୁକ୍ତଙ୍କ ନାମ ସାମିଲ କରାଯାଇଛି ।
ପୋଲିସ ସୂଚନାନୁସାରେ , ସୁଧୀର ପାତ୍ର ହତ୍ୟା ଘଟଣାରେ କାଳୁ ଚରଣ ପ୍ରଧାନ ମୃତକଙ୍କ ପୁତୁରା ତୁଷାର ପାତ୍ର, ଝିଆରୀ ନିବେଦିତା ପାତ୍ରଙ୍କୁ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଭାବେ ଦର୍ଶାଯାଇଛି । ଏହାସହ ନାରାୟଣ ପ୍ରଧାନ, ଆଶିଷ ମହାପାତ୍ର, ସୂର୍ଯ୍ୟ ପ୍ରତାପ ସିଂ ଓରଫ ଗୋଲୁ ମୁକେଶ ସାହୁ, ସୁମିତ ସିଂ ,ରଞ୍ଜନ ମଲ୍ଲିକ ଓ ସରୋଜ ପଣ୍ଡା, ଜିତେନ ପଳାଇ, ଶୁଭମ ଗୌଡ଼ ଓ ଶୁଭମ ନାୟକଙ୍କୁ ମଧ୍ୟ ଅଭିଯୁକ୍ତ ଭାବେ ଦର୍ଶାଯାଇଛି । ଅଭିଯୁକ୍ତମାନେ ସୁଧୀର ପାତ୍ରଙ୍କୁ ଅପହରଣ କରି ମୁଣ୍ଡରେ ବନ୍ଧୁକ ଲଗାଇ ୨କୋଟି ଟଙ୍କା ମୁକ୍ତିପଣ ଦାବି କରିଥିଲେ । ଶେଷରେ ଦାବି ପୂରଣ ନହେବାରୁ ତାଙ୍କୁ ହତ୍ୟା କରି ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରାଯାଇଥିବା ମଧ୍ୟ ଚାର୍ଜସିଟରେ ଉଲ୍ଲେଖ ରହିଛି । ତେବେ ଅଭିଯୁକ୍ତମାନଙ୍କ ବିରୋଧରେ ଅପହରଣ, ଷଡ଼ଯନ୍ତ୍ର, ହତ୍ୟା, ପ୍ରମାଣ ନଷ୍ଟ ସମେତ ବିଭିନ୍ନ ଦଫାରେ ମାମଲା ରୁଜୁ କରାଯାଇଛି।
ଏହି ମାମଲାର ତଦନ୍ତକାରୀ ଅଧିକାରୀ ତଥା ସଦର ଏସଡ଼ିପିଓ ଶୁଭ୍ରାଂଶୁ ଶେଖର ପରିଡ଼ା ଜେଏମଏଫ୍ସି (ରୁରାଲ) କୋର୍ଟରେ ଚାର୍ଜସିଟ୍ ଦାଖଲ କରିଥିବା ବେଳେ ଆବଶ୍ୟକ ହେଲେ ପରବର୍ତ୍ତୀ ତଦନ୍ତ ମଧ୍ୟ ଜାରି ରହିବ ବୋଲି ସୂଚନା ଦେଇଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।