ଆଖି ବୁଜିଲେ ଯୋଡ଼ା ମୁଣ୍ଡ ଶିଶୁ
ନନ୍ଦିଘୋଷ ବ୍ୟୁରୋ: ଆଖି ବୁଜିଲା ଯୋଡ଼ା ମୁଣ୍ଡ ଶିଶୁ । ବ୍ରହ୍ମପୁର ଏମକେସିଜି ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ଯୋଡ଼ା ମୁଣ୍ଡ ଶିଶୁଙ୍କର ମୃତ୍ୟୁ ଘଟିଛି । ଶିଶୁଟି ଦୀର୍ଘ ୭ ଦିନ ଧରି ଏମକେସିଜି ମେଡିକାଲର ଶିଶୁ ବିଭାଗର ଏସଏନସିୟୁରେ ଚିକିତ୍ସିତ ହେଉଥିଲା । ବରିଷ୍ଠ ଡ଼ାକ୍ତରଙ୍କ ଦ୍ବାରା ଶିଶୁର ଚିକିତ୍ସା ଚାଲିଥିଲା । ହେଲେ ଡାକ୍ତରଙ୍କ ସତ ଚେଷ୍ଟା ସତ୍ତ୍ବେ ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇନଥିଲା । ତେବେ ଶିଶୁଟିର ଦୁଇଟି ମୁଣ୍ଡ ଥିବା ବେଳେ ଗୋଟିଏ ଶରୀର ଓ ଗୋଟିଏ ହୃଦୟ ରହିଥିଲା ।
ଗତ ୧୧ ତାରିଖରେ ଏମକେସିଜି ମେଡିକାଲରେ ଜନ୍ମ ହୋଇଥିଲା ଯୋଡ଼ା ମୁଣ୍ଡ ଶିଶୁ । କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଅଞ୍ଚଳର ଜଣେ ମହିଳାଙ୍କ ଗର୍ଭରୁ ଜନ୍ମ ହୋଇଥିଲା ଶିଶୁ । ଶିଶୁଟିର ଓଜନ ୨.୬ କିଲୋଗ୍ରାମ ଏବଂ ନିଶ୍ବାସ ନେବାରେ ଅସୁବିଧା ଯୋଗୁଁ ତାକୁ ଏସଏନୟୁରେ ଭର୍ତ୍ତି କରାଯାଇଥିଲା । ମୃତ ନବଜାତକର ଦୁଇଟି ମୁଣ୍ଡ, ଦୁଇଟି ମେରୁଦଣ୍ଡ ସହ ତିନୋଟି ହାତ ଏବଂ ଦୁଇଟି ଗୋଡ ରହିଥିଲା । କିନ୍ତୁ ହୃଦୟ, ଯକୃତ ଏବଂ ଯୌନାଙ୍ଗ ସମାନ ରହିଥିଲା । ଶିଶୁଟିର ମଳଦ୍ବାରା ନଥିଲା, ଯାହା ତାର ଅବସ୍ଥାକୁ ଆହୁରି ଜଟିଳ କରିଦେଇଥିଲା । ଡାକ୍ତରଙ୍କ କହିବାନୁସାରେ, ଏହା ଏକ ଅତ୍ୟନ୍ତ ବିରଳ ପ୍ରକାରର ଯୋଡା ଯମଜ ସନ୍ତାନ । ଏପରି ମାମଲା ପ୍ରତି ୩ ରୁ ୪ ଲକ୍ଷ ଶିଶୁଙ୍କ ଜନ୍ମରେ ଥରେ ଘଟେ । ଏଭଳି ଶିଶୁମାନଙ୍କ ପାଇଁ ଚିକିତ୍ସା ଅତ୍ୟନ୍ତ ଜଟିଳ ଏବଂ ସମ୍ବେଦନଶୀଳ ।
ଏହା ପୂର୍ବରୁ ମଧ୍ୟ କନ୍ଧମାଳରେ ଯୋଡା ମୁଣ୍ଡ ଶିଶୁ ଜନ୍ମ ହୋଇଥିବା ଖବର ସାମ୍ନାକୁ ଆସିଥିଲା । ୨୦୧୭ରେ ଫିରିଙ୍ଗିଆ ବ୍ଲକର ମିଲିପଡା ଗାଁର ଯୋଡା ମୁଣ୍ଡ ଶିଶୁ ଜଗା ବଳିଆ ଚର୍ଚ୍ଚାକୁ ଆସିଥିଲେ । ଦିଲ୍ଲୀ ଏମ୍ସରେ ସେମାନଙ୍କୁ ଅଲଗା କରିବାକୁ ୪୫ ଘଣ୍ଟାରୁ ଅଧିକ ସମୟ ଧରି ଜଟିଳ ଅସ୍ତ୍ରୋପଚାର କରାଯାଇଥିଲା । ହେଲେ ଏହି ଅସ୍ତ୍ରାପଚାରର ପ୍ରାୟ ୩ ବର୍ଷ ପରେ ୨୦୨୦ ରେ କଟକର ଏକ ପ୍ରମୁଖ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ବଳିଆର ମୃତ୍ୟୁ ହୋଇଥିଲା ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
