ଅରୁଣାଚଳ ସୀମାରେ ଭାରତ-ଚୀନ୍ ସେନା ମୁହାଁମୁହିଁ
ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶ ସୀମାରେ ଭାରତୀୟ ଏବଂ ଚୀନ୍ ସୈନ୍ୟମାନଙ୍କ ମଧ୍ୟରେ ଅନେକ ସ୍ଥାନରେ ମୁହାଁମୁହିଁ ସ୍ଥିତି ଜାରି ରହିଥିବା ନେଇ ଭାରତ-ତିବ୍ବତ ସୀମା ପୋଲିସ (ଆଇଟିବିପି) ର ମହାନିର୍ଦ୍ଦେଶକ ଶତ୍ରୁଜିତ୍ କପୁର ସୂଚନା ଦେଇଛନ୍ତି।
ଅରୁଣାଚଳ ପ୍ରଦେଶର ଉତ୍ତର-ପୂର୍ବ ସୀମାନ୍ତରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିବା ନେଇ ଏହା ପ୍ରଥମ ଆନୁଷ୍ଠାନିକ ସରକାରୀ ସ୍ପଷ୍ଟୀକରଣ।
Advertisment ଆଇଟିବିପିର ଆନୁଷାଙ୍ଗିକ ସମ୍ବର୍ଦ୍ଧନା ସମାରୋହରେ ମହାନିର୍ଦ୍ଦେଶକ କପୁର କହିଛନ୍ତି ଯେ, ଗତ ଜୁଲାଇ ମାସରୁ ଟାକ୍ସିଂ ଅଞ୍ଚଳରେ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି) ନିକଟବର୍ତ୍ତୀ ପ୍ରମୁଖ ପାଟ୍ରୋଲିଂ ପଏଣ୍ଟଗୁଡ଼ିକୁ ଯିବା ପାଇଁ ଭାରତୀୟ ସେନାକୁ ଚୀନ୍ ସୈନ୍ୟ ବାଧା ଦେବା ପରଠାରୁ ଏହି ଉତ୍ତେଜନା ଆରମ୍ଭ ହୋଇଥିଲା।
ଗତ କିଛି ଦିନ ହେବ ଅରୁଣାଚଳର ଏକାଧିକ ସ୍ଥାନରେ ଦୁଇ ସେନା ମୁହାଁମୁହିଁ ହୋଇଛନ୍ତି ଏବଂ ଏହି ସ୍ଥିତି ଏବେ ବି ଜାରି ରହିଛି।
ଗତ ସେପ୍ଟେମ୍ବର ମାସରେ ନୂଆଦିଲ୍ଲୀରେ ଆୟୋଜିତ ବ୍ରିକ୍ସ ସମ୍ମିଳନୀରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଯୋଗଦେଇଥିବା ବେଳେ ସୀମାରେ ଏହି ସାମରିକ ତୀକ୍ତତା ବଜାୟ ରହିଥିଲା।
ତେବେ ଏହି ପ୍ରତିକୂଳ ପରିସ୍ଥିତିରେ ଆମର ନବଗଠିତ ''ଶୌର୍ଯ୍ୟ କମାଣ୍ଡୋ'' ଅତ୍ୟନ୍ତ ପ୍ରଶଂସନୀୟ ଓ ଉଚ୍ଚକୋଟୀର ପ୍ରଦର୍ଶନ କରିଛନ୍ତି ବୋଲି ଆଇଟିବିପି ମୁଖ୍ୟ କହିଛନ୍ତି।
ପାର୍ବତ୍ୟାଞ୍ଚଳ ଯୁଦ୍ଧ କୌଶଳରେ ନିପୁଣ ଏହି କମାଣ୍ଡୋମାନେ ଅସାଧାରଣ ଧୈର୍ଯ୍ୟ ଦେଖାଇଛନ୍ତି।
୧୯୬୨ରେ ଗଠିତ ଆଇଟିବିପି ଚୀନ୍ ସହ ଜଡ଼ିତ ୩,୪୮୮ କିଲୋମିଟର ଦୀର୍ଘ ସୀମାର ସୁରକ୍ଷା ଦାୟିତ୍ୱରେ ରହିଛି।
ଚୀନ୍ ସୀମାନ୍ତକୁ ସବୁଠାରୁ କଠିନ ସୀମା ଭାବେ ସ୍ୱୀକାର କରିବା ସହ ଆଇଟିବିପି ଏବେ ନିଜର ପ୍ରତ୍ୟେକ ୟୁନିଟରେ ଡ୍ରୋନ୍ ପ୍ଲାଟୁନ୍ ଗଠନ କରିଛି, ଗାଲୱାନ୍ ଭଳି ପରିସ୍ଥିତିର ମୁକାବିଲା ପାଇଁ ସ୍ୱତନ୍ତ୍ର ଯୁଦ୍ଧ ତାଲିମ ଦେଉଛି ଏବଂ ଭୂତଳ ଭୂମିରୂପ ସୃଷ୍ଟି କରୁଛି ବୋଲି ସେ ଦର୍ଶାଇଛନ୍ତି।
ଅନ୍ୟପଟେ, ପୀପୁଲ୍ସ ପାର୍ଟି ଅଫ୍ ଅରୁଣାଚଳ (ପିପିଏ) ର ଏକ ପ୍ରତିନିଧି ଦଳ ଗତ ଜୁଲାଇରେ ଅପର ସୁବନସିରି ଜିଲ୍ଲାର ଟାକ୍ସିଂ ଅଞ୍ଚଳରେ ଚୀନ୍ ସୈନ୍ୟ ଭାରତର ପାଟ୍ରୋଲିଂ ପଏଣ୍ଟକୁ ଅବରୋଧ କରୁଥିବା ନେଇ ଦାବି କରିଥିଲେ।
ତେବେ କେନ୍ଦ୍ର ସରକାର ଏହି ଦାବିକୁ ପ୍ରତ୍ୟାଖ୍ୟାନ କରି ଅରୁଣାଚଳ ପ୍ରଦେଶ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ବୋଲି ସ୍ପଷ୍ଟ କରିଛନ୍ତି।
କେନ୍ଦ୍ରମନ୍ତ୍ରୀ କିରେନ୍ ରିଜିଜୁ କହିଛନ୍ତି ଯେ, ଚୀନ୍ ଦ୍ୱାରା କୌଣସି ନୂତନ ଅଞ୍ଚଳ ଜବରଦଖଲ ହୋଇନାହିଁ, ମାତ୍ର କିଛି ଗୋଚର ଅଞ୍ଚଳକୁ ଯିବା ନେଇ ସ୍ଥାନୀୟ ଲୋକଙ୍କ ସମସ୍ୟାର ସମାଧାନ କରାଯାଉଛି।
ପ୍ରୋଟେମ ସ୍ପିକରଙ୍କୁ ସାହାଯ୍ୟ କରିବାକୁ ମନା କଲା ଇଣ୍ଡିଆ ମେଣ୍ଟ: ସଂସଦ ଅଧିବେଶନ ପୂର୍ବରୁ ଶାସକ-ବିରୋଧୀ ମୁହାଁମୁହିଁ ସ୍ଥିତି ଆଇଟିବିପି ଡିଜିଙ୍କ ଏହି ବକ୍ତବ୍ୟ ପରେ କଂଗ୍ରେସ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରାଯାଇଛି।
କଂଗ୍ରେସ ସାଂସଦ ଜୟରାମ ରମେଶ ସୋସିଆଲ ମିଡିଆ ଏକ୍ସ ରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୀରବତା ଉପରେ ପ୍ରଶ୍ନ ଉଠାଇଛନ୍ତି।
ସୀମାରେ ଚୀନ୍ ସହ ସୈନ୍ୟବାହିନୀ ନିଜର ବୀରତ୍ୱ ଦେଖାଉଥିବା ବେଳେ ସରକାର କାହିଁକି ଚୁପ୍ ରହିଛନ୍ତି ବୋଲି ସେ ପ୍ରଶ୍ନ କରିବା ସହ, ଗତ ସେପ୍ଟେମ୍ବର ମାସରେ ଅନୁଷ୍ଠିତ କୋର୍ କମାଣ୍ଡର ସ୍ତରୀୟ ଆଲୋଚନାର ଫଳାଫଳ ଉପରେ ଦାବି ରଖିଛନ୍ତି।
ଡୋକଲାମ ଏବଂ ପୂର୍ବ ଲଦାଖ ବିବାଦ ପରେ ଅରୁଣାଚଳ ପ୍ରଦେଶରେ ସୃଷ୍ଟି ହୋଇଥିବା ଏହି ନୂତନ ସୀମା ବିବାଦକୁ ଭାରତ ଏବଂ ଚୀନ୍ କିପରି ସମାଧାନ କରୁଛନ୍ତି, ତାହା ଏବେ ଗୁରୁତ୍ୱପୂର୍ଣ୍ଣ ବିଷୟ ପାଲଟିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
