ଅଣସର ନୀତି

Jul 06, 2026 - 14:01
ଅଣସର ନୀତି

 

ରଥଯାତ୍ରାର ଆଦ୍ୟ ପର୍ବଭାବେ ପାଳନ ହୁଏ ଦେବସ୍ନାନ ପୂର୍ଣ୍ଣିମା । ଯାହାପରେ ପ୍ରଭୁଙ୍କର ମାନବୀୟ ଲିଳା ଦେଖିବାକୁ ମିଳିଥାଏ । ମନ୍ୟୁଷମାନଙ୍କ ଭଳି ଭଗବାନ ମଧ୍ୟ ଜ୍ବରରେ ପୀଡିତ ହୋଇ ଚିକିତ୍ସିତ ହୋଇଥାଆନ୍ତି, ଯାହାକୁ ଅଣସର ନୀତି ବୋଲି ସମ୍ବୋଧନ କରାଯାଇଥାଏ ।

 

ଶ୍ରୀକ୍ଷେତ୍ର ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ଅନୁଷ୍ଠିତ ହେଉଥିବା ଅଣସର ନୀତିମହାପ୍ରଭୁ ଶ୍ରୀଜଗନ୍ନାଥ ସଂସ୍କୃତିର ଏକ ଅତ୍ୟନ୍ତ ରହସ୍ୟମୟ, ମାନବୀୟ ଓ ଗୁରୁତ୍ୱପୂର୍ଣ୍ଣ ଆଧ୍ୟାତ୍ମିକ ପରମ୍ପରା। ଜ୍ୟେଷ୍ଠ ପୂର୍ଣ୍ଣିମା ବା ଦେବସ୍ନାନ ପୂର୍ଣ୍ଣିମା ଦିନ ଗ୍ରୀଷ୍ମର ପ୍ରକୋପରୁ ରକ୍ଷା ପାଇବା ପାଇଁ ଶ୍ରୀମନ୍ଦିରର ତିନି ବିଗ୍ରହଙ୍କୁ ସୁନାକୂଆରୁ ଅଣାଯାଇଥିବା ୧୦୮ ଗରା ସୁବାସିତ ଶୀତଳ ଜଳରେ ଗାଧୋଇ ଦିଆଯାଏ। ଏହି ଭବ୍ୟ ଶାହୀ ସ୍ନାନ ଉତ୍ସବ ପରେ, ଅତ୍ୟଧିକ ସ୍ନାନ ଯୋଗୁଁ ତିନି ଦେବତା (ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା) ଜ୍ୱରରେ ପୀଡ଼ିତ ହୋଇ ପହଣ୍ଡି ବିଜେ ପଟୁଆରରେ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରନ୍ତି । ଅସୁସ୍ଥତା କାରଣରୁ ଦେବତାମାନେ ଗର୍ଭଗୃହକୁ ନଯାଇ ଏକ ସ୍ୱତନ୍ତ୍ର ସ୍ଥାନ 'ଅଣସର ପିଣ୍ଡି'ରେ ବିରାଜମାନ ହୁଅନ୍ତି । ସେମାନେ ଅଣସର ପିଣ୍ଡିରେ ପହଞ୍ଚିବା ପରେ ତଢ଼ାଉ ସେବକମାନେ ଦେବତାମାନଙ୍କ ମସ୍ତକରୁ ନୀଳା, ମାଣିକ ଓ ହୀରାରେ ନିର୍ମିତ ରାହୁ ରେଖା ଏବଂ ଚିତା ବାହାର କରି ଦେଉଳ କରଣଙ୍କୁ ହସ୍ତାନ୍ତର କରନ୍ତି, ଯିଏ ଏହି ଅଳଙ୍କାରଗୁଡ଼ିକୁ ଶ୍ରୀକପଡ଼ାରେ ଘୋଡ଼ାଇ ରତ୍ନଭଣ୍ଡାରରେ ସୁରକ୍ଷିତ ରଖନ୍ତି । ଏହାପରେ ଦଇତାପତିମାନେ ତିନି ବିଗ୍ରହଙ୍କ ମୁଖକୁ ତିନୋଟି ଖଣ୍ଡୁଆ ପାଟଶାଢ଼ୀରେ ଢାଙ୍କି ଦିଅନ୍ତି ଏବଂ କୋଠ ସୁଆସିଆମାନେ ଅଣସର ପିଣ୍ଡି ଚାରିପାଖରେ ଏକ ବାଉଁଶର ତାଟି ବାନ୍ଧି ଦିଅନ୍ତି।  ଏହିପରି ଭାବେ ଦେବତାମାନେ ଜ୍ୟେଷ୍ଠ ପୂର୍ଣ୍ଣିମାରୁ ଆଷାଢ଼ ଅମାବାସ୍ୟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ୧୫ ଦିନ ପାଇଁ ସର୍ବସାଧାରଣଙ୍କ ଦର୍ଶନରୁ ଦୂରେଇ ରୁହନ୍ତି, ଯାହାକୁ ଅଣସରକୁହାଯାଏ । ଏହି ଅବଧି ମଧ୍ୟରେ କେବଳ ଦଇତାପତିନାମକ ଏକ ସ୍ୱତନ୍ତ୍ର ସେବକ ଗୋଷ୍ଠୀ ମହାପ୍ରଭୁଙ୍କର ଗୁପ୍ତ ରୀତିନୀତି ସମ୍ପାଦନ କରନ୍ତି, ଯାହାକୁ 'ଗୁପ୍ତ ଶବର ସେବା' ବା 'ଅଣସର ରୀତି' ମଧ୍ୟ କୁହାଯାଏ । ଏହି ସମୟରେ ରାଜବୈଦ୍ୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜ୍ୱରର ଉପଶମ ପାଇଁ ପ୍ରଭୁଙ୍କୁ "ଅଣସର ପଣା", "ଫୁଲୁରୀ ତେଲ" ଏବଂ "ଦଶମୂଳ ମୋଦକ" ଭଳି ଆୟୁର୍ବେଦିକ ମହୌଷଧି ଅର୍ପଣ କରାଯାଇ ମାନବୀୟ ଢଙ୍ଗରେ ଉପଚାର କରାଯାଏ ।  

 ଶ୍ରୀ ଅଲାରନାଥ ମନ୍ଦିରର ବିଶେଷ ପରମ୍ପରା

ଶ୍ରୀମନ୍ଦିରରେ ଅଣସର ପିଣ୍ଡି ପଛରେ ପ୍ରଭୁ ସଂଗୋପନରେ ଚିକିତ୍ସିତ ହେଉଥିବା ବେଳେ ବାହାରେ ଭକ୍ତମାନଙ୍କ ପାଇଁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସମ୍ପୂର୍ଣ୍ଣ ବନ୍ଦ ରହେ। ଏହି ସମୟରେ ପୁରୀଠାରୁ ପ୍ରାୟ ୨୩ କିଲୋମିଟର ଦୂର ବ୍ରହ୍ମଗିରିରେ ଅବସ୍ଥିତ ତ୍ରୟୋଦଶ ଶତାବ୍ଦୀର ପ୍ରସିଦ୍ଧ ଶ୍ରୀ ଅଲାରନାଥ ମନ୍ଦିରର ମହତ୍ତ୍ବ ପ୍ରକାଶ ପାଇଥାଏ । ବିଶ୍ୱାସ ରହିଛି ଯେ, ଅଣସରର ଏହି ୧୫ ଦିନ ମହାପ୍ରଭୁ ଶ୍ରୀଜଗନ୍ନାଥ ବ୍ରହ୍ମଗିରିର ଚତୁର୍ଭୁଜ ନାରାୟଣ ରୂପୀ ଶ୍ରୀ ଅଲାରନାଥଙ୍କ ମଧ୍ୟରେ ପ୍ରକଟ ହୁଅନ୍ତି। ତେଣୁ ଅଣସର ସମୟରେ ଅଲାରନାଥଙ୍କ ଦର୍ଶନ କଲେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସମାନ ପୁଣ୍ୟ ମିଳେ ବୋଲି ମାନ୍ୟତା ରହିଛି ।  କିମ୍ବଦନ୍ତୀ ଅନୁସାରେ ପ୍ରାୟ ୫୦୦ ବର୍ଷ ପୂର୍ବେ ପୁରୀରେ ରହୁଥିବା ସମୟରେ ଅଣସର ଯୋଗୁଁ ଜଗନ୍ନାଥଙ୍କ ଦର୍ଶନ ନପାଇ ଚୈତନ୍ୟ ମହାପ୍ରଭୁ ବିରହ ବେଦନାରେ ବ୍ୟାକୁଳ ହୋଇପଡ଼ିଥିଲେ। ସେହି ସମୟରେ ମହାପ୍ରଭୁଙ୍କ ସ୍ୱପ୍ନାଦେଶ କ୍ରମେ ସେ ବ୍ରହ୍ମଗିରି ଯାଇ ଅଲାରନାଥଙ୍କ ବିଗ୍ରହ ମଧ୍ୟରେ ନିଜ ଆରାଧ୍ୟଙ୍କୁ ଦର୍ଶନ କରିଥିଲେ । ସେଠାରେ ଭକ୍ତିଭାବରେ ବିଭୋର ହୋଇ ସେ ଯେତେବେଳେ ସାଷ୍ଟାଙ୍ଗ ପ୍ରଣିପାତ କରିଥିଲେ, ତାଙ୍କ ଶରୀରର ଦେବୀୟ ସ୍ପର୍ଶରେ ସେଠାକାର କଠୋର ପଥର ଖଣ୍ଡଟି ତରଳି ଯାଇଥିଲା, ଯାହା ଆଜି ମଧ୍ୟ ମନ୍ଦିର ପରିସରରେ ପ୍ରେମ ଶିଳାଭାବେ ପୂଜା ପାଉଛି । ସେଥିରେ ଚୈତନ୍ୟ ମହାପ୍ରଭୁଙ୍କ ଶରୀରର ଚିହ୍ନ ସ୍ପଷ୍ଟ ଦେଖାଯାଏ। ଏହି ଅନବସର କାଳରେ ପୀଠରେ ମହାପ୍ରଭୁଙ୍କୁ ସ୍ୱତନ୍ତ୍ର ଭାବେ ଭୋଗ କରାଯାଉଥିବା ସୁଆଦିଆ "କ୍ଷୀରି"  ପ୍ରସାଦର ଅତ୍ୟନ୍ତ ଚାହିଦା ଥାଏ, ଯାହାକୁ ପାଇବା ପାଇଁ ହଜାର ହଜାର ଭକ୍ତଙ୍କ ଭିଡ଼ ଜମିଥାଏ । ଏହିପରି ଭାବେ ଅଣସର ନୀତି ଓ ଅଲାରନାଥଙ୍କ ବିଶେଷ ଉତ୍ସବ ଭକ୍ତ ଏବଂ ଭଗବାନଙ୍କ ମଧ୍ୟରେ ଥିବା ଅନାବିଳ ଭକ୍ତି, ଗଭୀର ବିରହ ଓ ମାନବୀୟ ଲୀଳାର ଏକ ଅନନ୍ୟ ଉଦାହରଣ ପ୍ରସ୍ତୁତ କରିଥାଏ ।  

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।