28 JUNE 2026

Welcome!

Unlock your personalized experience.
Sign Up

୫ ଦିନ, ୩୦ ରୁ ଅଧିକ ଅମଣିଷ, ଏବଂ ଜଣେ ନିର୍ଦ୍ଦୋଷ ନାବାଳିକା ... ଗଣଦୁଷ୍କର୍ମକୁ ନେଇ ରାଜସ୍ଥାନରେ ଉତ୍ତେଜନା, କନ୍ଦାଇଦେବ ହୋଟେଲ ଘଟଣାର କାହାଣୀ

Jun 28, 2026 - 14:51
୫ ଦିନ, ୩୦ ରୁ ଅଧିକ ଅମଣିଷ, ଏବଂ ଜଣେ ନିର୍ଦ୍ଦୋଷ ନାବାଳିକା ... ଗଣଦୁଷ୍କର୍ମକୁ ନେଇ ରାଜସ୍ଥାନରେ ଉତ୍ତେଜନା, କନ୍ଦାଇଦେବ ହୋଟେଲ ଘଟଣାର କାହାଣୀ
  • ଅଚାନକ୍‌ ଘରୁ ନିଖୋଜ ହୋଇଯାଏ ୧୩ ବର୍ଷର ନାବାଳିକା
  • ଜଣେ ଅଟୋ ଡ୍ରାଇଭର ଝିଅଟିକୁ ଚାକିରିର ପ୍ରଲୋଭନ ଦେଖାଇ ନେଇଯାଏ
  • ଗୋଟିଏ ହୋଟେଲ ମାଲିକକୁ ବିକ୍ରି କରିଦିଏ ଅମଣିଷ ଅଟୋ ଡ୍ରାଇଭର
  • ତା' ପରେ ୫ ଦିନ ଯାଏଁ ୩୦ ଯୌନ ପିପାସୁଙ୍କ ଆଗରେ ଅସ୍ତିତ୍ବ ହରାଇବସେ ଅଜଣା ଅଚିହ୍ନା ଝିଅଟି...
  • ରାଜସ୍ଥାନରେ ଇଏ ଆଉ ଜଣେ ନିର୍ଭୟା...

ଜୟପୁର,୨୮/୦୬: ରାଜସ୍ଥାନର ଶ୍ରୀଗଙ୍ଗାନଗର ଜିଲ୍ଲାରୁ ଛାତି ଥରାଇଦେଲା ଭଳି ଗୋଟିଏ ଘଟଣା ସମ୍ନାକୁ ଆସିଛି। ଜଣେ ୧୩ ବର୍ଷୀୟ ନାବାଳିକାକୁ ପ୍ରଥମେ ଅପହରଣ କରି ବିକ୍ରି କରାଯାଇଥିଲା ଏବଂ ପରେ, ତାଙ୍କୁ ଅନେକ ହୋଟେଲରେ ବନ୍ଦୀ କରି ରଖାଯାଇଥିଲା। ଆଉ ସେଠାରେ ପାଞ୍ଚ ଦିନ ଧରି ୩୦ ଜଣ ରୁ ଅଧିକ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଥିଲେ। ପୀଡିତାଙ୍କ ଏହି ଭୟଙ୍କର କାହାଣୀ ଶୁଣି ପୋଲିସ ଅଧିକାରୀମାନେ ମଧ୍ୟ ସ୍ତବ୍ଧ। ଏହି ଘଟଣା ସାମ୍ନାକୁ ଆସିବା ପରେ ସମଗ୍ର ଅଞ୍ଚଳରେ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଛି।

ପୋଲିସରେ ପଞ୍ଜିକୃତ ଏଫଆଇଆର ଅନୁଯାୟୀ, ଯେତେବେଳେ ଝିଅଟି ତାଙ୍କ ଘରୁ ନିଖୋଜ ହୋଇଥିଲା, ଏହା ପରେ ହିଁ ତା ସହିତ ଏଭଳି ଅମାନବୀୟ ଘଟଣା ସବୁ ଘଟିଥିଲା। ସେ ନିଖୋଜ ହେବା ପରେ, ଜଣେ ଅଟୋ-ରିକ୍ସା ଡ୍ରାଇଭର ତାଙ୍କୁ ପ୍ରଲୋଭନ ଦେଖାଇ ଅପହରଣ କରିନେଇଥିଲେ, ପରେ ତାଙ୍କୁ ଶ୍ରୀଗଙ୍ଗାନଗରର ଏକ ହୋଟେଲ ମାଲିକଙ୍କୁ ବିକ୍ରି କରିଦେଇଥିଲେ।

ଅଧିକ ପଢ଼ନ୍ତୁ: ଭୂମିକମ୍ପ ପରେ ସଙ୍କଟରେ ଭେନେଜୁଏଲା; ସଂକଟମୋଚକ ସାଜିଲା ଭାରତ, ବହୁଳମାତ୍ରାରେ ପଠାଇଲା ରିଲିଫ୍ ସାମଗ୍ରୀ
ପରେ, ଝିଅଟିକୁ ସହରର ବିଭିନ୍ନ ହୋଟେଲକୁ ନିଆଯାଇଥିଲା, ଯେଉଁଠାରେ ହୋଟେଲର ପ୍ରମୁଖ କର୍ମଚାରୀ ଏବଂ ମ୍ୟାନେଜରଙ୍କ ସହ ମିଶି ୩୦ ରୁ ଅଧିକ ପୁରୁଷ ତାଙ୍କୁ ବାରମ୍ବାର ନିର୍ମମ ଯୌନ ନିର୍ଯାତନା ଦେଇଥିଲେ। ଏଫଆଇଆରରେ ପୀଡ଼ିତା କହିଛନ୍ତି ଯେ ବାରମ୍ବାର ଦୁଷ୍କର୍ମ ଯୋଗୁଁ ଯେତେବେଳେ ସେ ଅସହ୍ୟ ଯନ୍ତ୍ରଣା ଅନୁଭବ କରୁଥିଲେ, ଅଭିଯୁକ୍ତମାନେ ତାଙ୍କୁ ଚୁପ୍ କରିବା ପାଇଁ ଏବଂ ତାଙ୍କୁ ଅଚେତ କରିବା ପାଇଁ ଜୋରଜବରଦସ୍ତ ମଦ୍ୟପାନ କରାଇଥିଲେ। ଏହି ସମ୍ପୂର୍ଣ୍ଣ ଘୃଣ୍ୟ ଅପରାଧକୁ ଚାପି ଦେବା ଏବଂ ଘୋଡ଼ାଇବା ପାଇଁ ମଧ୍ୟ ଜୋରଦାର ପ୍ରୟାସ କରାଯାଇଥିଲା।

ଅନେକ ହୋଟେଲ ମାଲିକ ଏବଂ ପରିଚାଳକ ଗିରଫ; ବେଆଇନ ହୋଟେଲଗୁଡ଼ିକୁ ବନ୍ଦ କରିବାକୁ ଦାବି:

ମାମଲା ରୁଜୁ ହେବା ପରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏହି ଘୃଣ୍ୟ ସିଣ୍ଡିକେଟରେ ସମ୍ପୃକ୍ତ ଅନେକ ହୋଟେଲ ମାଲିକ ଏବଂ ପରିଚାଳକଙ୍କୁ ଗିରଫ କରିଥିଲା। ଏହି ଘଟଣା ପରେ ସମଗ୍ର ଜିଲ୍ଲାରେ ଉତ୍ତେଜନାତ୍ମକ ପରିସ୍ଥିତି ଦେଖିବାକୁ ମିଳିଛି। ସ୍ଥାନୀୟ ବାସିନ୍ଦାମାନେ ଦର୍ଶାଇଛନ୍ତି ଯେ ଶ୍ରୀଗଙ୍ଗାନଗର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳ ନହୋଇଥିଲେ ମଧ୍ୟ ୧୫୦ ରୁ ଅଧିକ ଅବୈଧ ହୋଟେଲ ନିର୍ଲଜ ଭାବରେ ଏଭଳି ଘୃଣ୍ୟ କାମ କରିବା ପାଇଁ ଖୋଲିଛନ୍ତି। ପ୍ରତିବାଦକାରୀମାନେ ପ୍ରଶାସନକୁ ତୁରନ୍ତ ଏହି ସମସ୍ତ ଅବୈଧ ହୋଟେଲକୁ ସିଲ୍ କରି ବନ୍ଦ କରିବାକୁ ଦାବି କରିଛନ୍ତି।

ବିଧାୟକ କହିଲେ,'ଦୋଷୀଙ୍କୁ ଦିଆଯାଉ ଫାଶୀ ଦଣ୍ଡ':

ଏହି ଘୃଣ୍ୟ ଘଟଣା ପରେ ବିରୋଧୀ ଦଳ (କଂଗ୍ରେସ) ଆଇନ ଶୃଙ୍ଖଳା ସମସ୍ୟାକୁ ନେଇ ସରକାର ଏବଂ ସ୍ଥାନୀୟ ପ୍ରଶାସନ ବିରୁଦ୍ଧରେ ଏକ ଅଭିଯାନ ଆରମ୍ଭ କରିଛି। ଅପରାଧୀଙ୍କ ବିରୁଦ୍ଧରେ ଯଥାସମ୍ଭବ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରି କଲେକ୍ଟରେଟ୍ ଠାରେ ଏକ ବିଶାଳ ପ୍ରତିବାଦ କରାଯାଇଥିଲା। ପ୍ରତିବାଦରେ ଅଂଶଗ୍ରହଣ କରିଥିବା କରଣପୁରର କଂଗ୍ରେସ ବିଧାୟକ ରୂପିନ୍ଦର ସିଂହ କୁନ୍ନର କହିଛନ୍ତି ଯେ ଏହି ଘଟଣା ସ୍ଥାନୀୟ ପୋଲିସ ଏବଂ ପ୍ରଶାସନର ବିଫଳତାର ସ୍ପଷ୍ଟ ପ୍ରମାଣ। ସେ ଦାବି କରିଛନ୍ତି ଯେ ରିକ୍ସା ଚାଳକ, ହୋଟେଲ ମାଲିକ ଏବଂ ଦୁଷ୍କର୍କକାରୀଙ୍କ ସମେତ ସମ୍ପୃକ୍ତ ସମସ୍ତଙ୍କୁ ଫାଷ୍ଟ-ଟ୍ରାକ୍ କୋର୍ଟ ମାଧ୍ୟମରେ ମୃତ୍ୟୁଦଣ୍ଡ ଦିଆଯାଉ। କଂଗ୍ରେସ ପ୍ରଶାସନକୁ ଚେତାବନୀ ଦେଇଛି ଯେ ଯଦି ସମ୍ପୃକ୍ତ ପୋଲିସ ଷ୍ଟେସନର ଅବହେଳାକାରୀ ଅଧିକାରୀମାନଙ୍କୁ ତୁରନ୍ତ ନିଲମ୍ବିତ ନ କରାଯାଏ ଏବଂ ପୀଡ଼ିତାଙ୍କୁ ନ୍ୟାୟ ନ ଦିଆଯାଏ, ତେବେ ରାଜ୍ୟବ୍ୟାପୀ ଏକ ବିରାଟ, ତୀବ୍ର ଆନ୍ଦୋଳନ ଆରମ୍ଭ କରାଯିବ।

ପ୍ରମେୟ ପୃଷ୍ଠାର ପ୍ରମୁଖ ଖବର: Mann ki baat: ମନ୍‌ କି ବାତ୍‌ ରେ କୃତଜ୍ଞତା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି; 'ସୁନା, ପେଟ୍ରୋଲ ଓ ଡିଜେଲ ସଂରକ୍ଷଣ କରିଛନ୍ତି ଦେଶବାସୀ'